ଉଦଘାଟିତ ହେଲା ନବମ ଏମଏସଏମଇ ବାଣିଜ୍ୟ ମେଳା

ଭୁବନେଶ୍ୱର: ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ନବମ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳାକୁ ଭର୍ଚୁଆଲ୍ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ମିଶନ ଶକ୍ତି ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରି ମେଳାରେ ଅଂଶଗ୍ରହଣ କରିଥିବା ୩୨୦ଟି ଏମଏସଏମଇ ଓ ୬୦ଟି ଷ୍ଟାର୍ଟ ଅପକୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ୍ ମହାମାରୀର ପ୍ରଭାବ ଜନସ୍ୱାସ୍ଥ୍ୟ କ୍ଷେତ୍ରଠାରୁ ବହୁ ଦୂରରେ ରହିଛି। ଜୀବାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପ୍ରତିବନ୍ଧକ ଯୋଗୁଁ ଅର୍ଥନୀତି ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଏମଏସଏମଇ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ବହୁ ସମୟ ଲାଗିବ। ଏମଏସଏମଇ କ୍ଷେତ୍ରକୁ ସମର୍ଥନ କରିବା ପାଇଁ ଆମ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ। ସରକାର ଏମଏସଏମଇ ସହିତ ଜଡିତ ହେବା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମିଶନ୍ ଶକ୍ତି ଗୋଷ୍ଠୀ ଆକାରରେ ଆମେ ଆମର ଲକ୍ଷ ଲକ୍ଷ ମାଇକ୍ରୋ ଉଦ୍ୟୋଗୀଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିଆସୁଛୁ। ବାଣିଜ୍ୟ ମେଳା ସେମାନଙ୍କ ଉତ୍ପାଦ ପ୍ରଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ ପ୍ରଦାନ କରିଛି। ଷ୍ଟାର୍ଟଅପ୍ ଲ୍ୟାଣ୍ଡସ୍କେପରେ ଆମ ରାଜ୍ୟ ମଧ୍ୟ ଭଲ ପ୍ରଦର୍ଶନ କରୁଛି ଯେଉଁଥି ପାଇଁ ଓଡିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ଜାତୀୟ ସ୍ତରରେ ସ୍ୱୀକୃତି ଦିଆଯାଇଛି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶକ୍ତି, ଶିଳ୍ପ, ଏମଏସଏମଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଏମଏସଏମଇରେ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ଥିବା ହେତୁ ଏହି ଦିଗରେ ଅଧିକରୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ମେଳାରେ ଉଦ୍ୟୋଗ ନିମନ୍ତେ ଆଲୋଚନା ଚକ୍ର, ସଂପାନ, ସମସ୍ୟା ସମାଧାନ ଶିବିର, ନୂତନ ସୁଯୋଗ ସୃଷ୍ଟି ତଥା ଉଦ୍ୟୋଗୀ ଓ ଅଧିକାରୀମାନଙ୍କ ମଧ୍ୟରେ ମତବିନିମୟର ସୁଯୋଗ ସୃଷ୍ଟି କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ସେ ଦର୍ଶାଇଥିଲେ।  ରାଜ୍ୟ ସରକାର ଲ୍ୟାଣ୍ଡ ବ୍ୟାଙ୍କରେ ଏଥିପାଇଁ ପର୍ଯ୍ୟାପ୍ତ ଜମି ଗଚ୍ଛିତ ରଖିଥିବା, ସିଙ୍ଗଲ ୱିଣ୍ଡୋ କାର୍ଯ୍ୟକାରୀ କରିବା ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ଏଥିପ୍ରତି ଯତ୍ନବାନ ହେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ଦର୍ଶାଇଥିଲେ ।

ପ୍ରାରମ୍ଭରେ ମେଳା ସଂପର୍କରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଅଳ୍ପ ସମୟ ମଧ୍ୟରେ ଆମେ ଏହାକୁ ଆୟୋଜନ କରିଥିବାରୁ ଏଥର ବାହାର ଦେଶରୁ ଉଦ୍ୟୋଗୀଙ୍କୁ ଏହି ମେଳାରେ ସାମିଲ କରାଯାଇ ପାରି ନଥିବା କହିଥିଲେ। ତେବେ ମେଳାରେ ପ୍ରତିଟି ଦିଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ବିଶେଷ ଭାବେ ଏମଏସଏମଇ କ୍ଷେତ୍ରରେ ଅଭିଜ୍ଞତା ଥିବା ବିଶେଷଜ୍ଞମାନଙ୍କୁ ପ୍ରତିଦିନ ମେଳା ପରିସରରେ ହେବାକୁ ଥିବା ସେମିନାରକୁ ଡକା ଯାଇ ଭାବବିନିମୟ କରାଯିବ ବୋଲି ସେ କହିଥିଲେ। ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ରାଜ୍ୟ ସରକାର ଏହି ବିଭାଗର ବାର୍ଷିକ ବଜେଟକୁ ଇତି ମଧ୍ୟରେ ଦୁଇଗୁଣା କରିଥିବାରୁ ଏହାର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଥିବା କହିଥିଲେ। ବୃହତ୍ ଶିଳ୍ପାନୁଷ୍ଠାନ ମଧ୍ୟରେ ନାଲକୋ, ମହାନଦୀ କୋଲଫିଲଡସ୍, ପାରାଦ୍ୱୀପ ରିଫେରିନାରୀ ରହିଥିବାବେଳେ ବିଭିନ୍ନ ବ୍ୟାଙ୍କ, ଶିଳ୍ପ ତାଲିମ କେନ୍ଦ୍ର, କଟକ, ଆଇଆଇଟି-ଭୁବନେଶ୍ୱର ଏବଂ ମୋ ସ୍କୁଲ, କୟେର ବୋର୍ଡ, ଓସିସିସିଏଲ୍, ଓଆରଟିଏସଏସ ପ୍ରଭୃତି ସଂସ୍ଥା ଅଂଶଗ୍ରହଣ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଜି. ରେଘୁ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଶ୍ରୀ ଚିନ୍ମୟ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।

Spread the love