ବିନା କୌଣସି ଚାପରେ ନିଷ୍ପତ୍ତି ନିଅ: ରାଷ୍ଟ୍ରପତି

ରାଉରକେଲା: ଓଡ଼ିଶା ଉଭୟ ସାଂସ୍କୃତିକ ଓ ଐତିହାସିକ କ୍ଷେତ୍ରରେ ବେଶ୍ ସମୃଦ୍ଧ। କୋଣାର୍କ ସୂର୍ଯ୍ୟ ମନ୍ଦିରର କଳା ଓ ବିଜ୍ଞାନର ଉତ୍କୃଷ୍ଟ ନିଦର୍ଶନ। ଦେଶ ସ୍ୱାଧୀନତାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସୂର୍ଯ୍ୟମନ୍ଦିରକୁ ମାନବ ସଭ୍ୟତାର ଶ୍ରେଷ୍ଠ ଧରୋବର ଭାବେ ପରିଗଣିତ କରାଯାଇଛି। ଯାହାକି ଓଡ଼ିଶାରେ ରହିଛି। ରାଉରକେଲା ଭୂମିରେ ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ଆସି ଇସ୍ପାତ କାରଖାନାର ପ୍ରଥମ ବ୍ଲାଷ୍ଟ ଫର୍ଣ୍ଣେସକୁ ଲୋକାର୍ପିତ କରିଥିଲେ। ଏହି ଭୂମିରେ ଦେଶର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଏନଆଇଟି ଖ୍ୟାତି ଲାଭ କରିଛି। ଏଥିରେ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟ ସହ ବିଶ୍ୱର ୧୭ଟି ଦେଶର ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି। ଗ୍ରାଜୁଏସନ ଛାତ୍ର ଜୀବନରେ ଏକ ମାଇଲ ଖୁଣ୍ଟ ସଦୃଶ। ଲକ୍ଷ୍ୟ ଓ ମୂଲ୍ୟବୋଧକୁ ନେଇ ସଫଳତା ଆଡ଼କୁ ଅଗ୍ରସର ହେବା ଉଚିତ। ଋଚି ସମ୍ପନ୍ନ କାମ କରିବାସହ ପରିବାରକୁ ପ୍ରାଧାନ୍ୟତା ଦେବା ଉଚିତ। ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡ଼ିକରେ ସମ୍ପ୍ରତି ଛାତ୍ରୀମାନଙ୍କ ସଂଖ୍ୟା ଅଧିକ ରହିଛି। କୃତିତ୍ୱ କ୍ଷେତ୍ରରେ ମଧ୍ୟ ଛାତ୍ରୀମାନେ ଆଗରେ ଅଛନ୍ତି। ବୈଷୟିକ ଶିକ୍ଷାରେ ମଧ୍ୟ ସେମାନଙ୍କ ପ୍ରମୁଖ ଯୋଗଦାନ ରହିଛି। ଏନଆଇଟି ସ୍ଥାନୀୟ ୫ଟି ପୋଷ୍ୟଗ୍ରାମ ନେଇଥିବା ବେଳେ ସେଥିରେ ବୈଷୟିକ ବିକାଶ ସହ କେବିକେ ଜିଲ୍ଲାରେ ଦାରିଦ୍ର୍ୟ ଦୂରୀକରଣ ବ୍ୟବସ୍ଥା ଅତ୍ୟନ୍ତ ପ୍ରଶଂସନୀୟ ପଦକ୍ଷେପ। ବିନା କୌଣସି ଚାପରେ ଛାତ୍ରଛାତ୍ରୀଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି ରବିବାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନଆଇଟି) ରାଉରକେଲାର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି।

ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ସୁନ୍ଦରଗଡ଼ ସାଂସଦ ତଥା ସଂସଦ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଜୁଏଲ ଓରାମ ପ୍ରମୁଖ ଆତିଥ୍ୟ ଗ୍ରହଣ କରିଥିଲେ। କରୋନା ଯୋଗୁ ଚଳିତଥର ସମାବର୍ତ୍ତନ କାର୍ଯ୍ୟକ୍ରମ ବିଳମ୍ବ ହୋଇଛି। ଚଳିତବର୍ଷ ବିଭିନ୍ନ ବିଭାଗରେ ମୋଟ୍ ୧୪୭୦ ଜଣ ଛାତ୍ରଛାତ୍ରୀ ଡିଗ୍ରୀ ପାଇଛନ୍ତି। ବିଟେକ୍ରେ ୫୪୪ ଜଣ, ବି(ଆର୍କ) ୧୭ ଜଣ, ଡୁଆଲ କୋର୍ସରେ ୧୧୭ ଜଣ, ଏମ୍ଟେକ୍ରେ ୪୨୪ ଜଣ, ଏମ୍ଏସ୍ସିରେ ୧୨୫ ଜଣ, ଏମ୍ବିଏରେ ୨୫ ଜଣ, ଏମଏରେ ୨୧ ଜଣ, ଏମଟେକ୍ (ରିସର୍ଚ୍ଚ)ରେ ୪ ଜଣ, ପିଏଚ୍ଡିରେ ୧୧୮ ଜଣ ଡିଗ୍ରୀ ପାଇଛନ୍ତି। ସେହିପରି ୬ ଜଣ ସ୍ୱର୍ଣ୍ଣ ଓ ୭୦ ଜଣ ରୌପ୍ୟପଦକ ପାଇଛନ୍ତି। ଏହି ଅବସରରେ ୮ ଜଣ ପ୍ରାକ୍ତନ ଛାତ୍ରଙ୍କୁ ‘ଆଲୁମିନି ଆୱାର୍ଡ ୨୦୨୦’ ପ୍ରଦାନ କରାଯାଇଛି। ଏକାଡେମିକ ଓ ରିସର୍ଚ୍ଚ ପାଇଁ ୧୯୭୦ ମେଟ୍ରଲୋଜିକାଲ ବିଭାଗର ଡ. ରାଜକିଶୋର ପରମଗୁରୁ, ୧୯୮୫ ଇଲେକ୍ଟ୍ରିକାଲ ବିଭାଗର ଆଶୁତୋଷ ଦତ୍ତ, ଶିଳ୍ପ ଓ ପ୍ରବନ୍ଧନ ପାଇଁ ୧୯୬୭ ଇଲେକ୍ଟ୍ରିକାଲ ବିଭାଗର ଏୟାର ଭାଇସ ମାର୍ସଲ ଶୁଭଙ୍କର ଶେଖର ଲାହିରୀ, ୧୯୮୫ କେମିକାଲ ଇଞ୍ଜିନିୟରିଂ ବିଭାଗର ଶ୍ରୀକାନ୍ତ ମାଧବ ବୈଦ୍ୟ, ୧୯୮୯ର ମେକାନିକାଲ ଇଞ୍ଜିନିୟର ବିଷ୍ଣୁପଦ ସେଠୀ, ଉଦ୍ୟୋଗ କ୍ଷେତ୍ରରେ ୧୯୭୧ ମସିହା କେମିକାଲ ବିଭାଗର ଫକୀରଚରଣ ମହାନ୍ତି, ପ୍ରତିଷ୍ଠାନର ବିକାଶ ପାଇଁ ଯୋଗଦାନ କ୍ଷେତ୍ରରେ ୧୯୬୯ ବ୍ୟାଚ ଇଲେଟ୍ରିକାଲ ବିଭାଗର ଭାରତଭୂଷଣ ମହାନ୍ତି, ୧୯୭୨ ମସିହା କେମିକାଲ ବିଭାଗର ଗ୍ୟାରୀ କ୍ରିଷ୍ଣନ ପ୍ରମୁଖ ୮ଜଣଙ୍କୁ ଆଲୁମିନି ଆୱାର୍ଡ ପ୍ରଦାନ କରାଯାଇଛି। ସେହିପରି ଦେଶ ଗଠନ ଓ ଶିଳ୍ପରେ ଯୋଗଦାନ ଦେଇଥିବା ଡ. କୁମାର ମଙ୍ଗଲମ ବିର୍ଲା, ଡ. ପ୍ରମୋଦ କୁମାର ମିଶ୍ର, ସାହିତ୍ୟ କ୍ଷେତ୍ରେରେ ଯୋଗଦାନ ଦେଇଥିବା ସୀତାକାନ୍ତ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାଜଲ ଅଗ୍ରୱାଲ, ଶୁଭଶ୍ରୀ ପ୍ରିୟଦର୍ଶନୀ, ସତ୍ୟକ ସାଧୁ, ଶ୍ରୀଜା ରାୟ, କ୍ରିଷ୍ଣା କୁମାର, ଋଷଭ ବଜାଜ ତଥା ସ୍ନିଗ୍ଧାଶ୍ରୀ ପାତ୍ର ମେମୋରିଆଲ ଟ୍ରଫି ମହମ୍ମଦଙ୍କ ସମେତ ୪୮ ଜଣଙ୍କୁ ପ୍ରଦାନ କରାଯାଇଥିଲା। ଏନଆଇଟି ନିର୍ଦ୍ଦେଶକ ପ୍ରଫେସର ଅନିମେଷ ବିଶ୍ୱାସ ସ୍ୱାଗତ ଭାଷଣ ଓ ପିପିଆରସି ଆରକେ ପଟେଲ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ରେଜିଷ୍ଟ୍ରାର ପ୍ରଦୀପ ଦାସ, ସମାବର୍ତ୍ତନ ଆବାହକ ମହାବୀର ପଣ୍ଡାଙ୍କ ସମେତ ଶିକ୍ଷାବିତ୍, ପ୍ରାକ୍ତନ ଛାତ୍ରମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରପତିଙ୍କୁ ତାରକସି କାରୁକାର୍ଯ୍ୟ ଉପହାର ପ୍ରଦାନ କରାଯାଇଥିଲା।

Spread the love