ରାଜ୍ୟରେ ବର୍ତମାନ ସ୍ୱୟଂ ଭଗବାନ ମଧ୍ୟ ଅସୁରକ୍ଷିତ ହୋଇପଡିଛନ୍ତି : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ପୁରୀ ବଡଦାଣ୍ଡସ୍ଥିତ ପ୍ରସିଦ୍ଧ ମାଉସୀମା ମନ୍ଦିରରୁ ଗତକାଲି ରାତିରେ ଡକାୟତମାନେ ହୁଣ୍ଡିରୁ ଦାନ ଅର୍ଥ ସମେତ ସୁନା, ରୁପା ଆଦି ଗହଣା ଅଲଙ୍କାର ଚୋରୀ କରି ନେଇ ପଳାଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କ୍ଷୋଭ ପ୍ରକାଶ କରି କହିଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ । ଦିନ ଦ୍ୱିପ୍ରହରରେ ଛିନତାଇ, ଲୁଟ, ଡକାୟତି, ହତ୍ୟା ଭଳି ଜଘନ୍ୟ
କାଣ୍ଡ ଘଟିଚାଲିଛି । ‘ଅପରାଧ ଏବଂ ଅପରାଧୀ’ ବର୍ତମାନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ପୋଲିସ ପ୍ରତି ଅପରାଧୀଙ୍କ ଆଉ ଭୟ ନାହିଁ । ନିର୍ଭୟରେ ଅପରାଧୀମାନେ ଅପରାଧ କରିଚାଲୁଛନ୍ତି । ରାଜ୍ୟର ମାଁ, ଭଉଣୀ, ବୁଦ୍ଧ, ବୃଦ୍ଧାମାନେ ନିଜକୁ ଅସୁରକ୍ଷିତ
ମଣୁଥିବାବେଳେ ବର୍ତମାନ ସ୍ୱୟଂ ଭଗବାନ ମଧ୍ୟ ଅସୁରକ୍ଷିତ ହୋଇପଡିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ପ୍ରତିଦିନ ଖବରକାଗଜରେ ମନ୍ଦିରରୁ ଚୋରୀ ଘଟଣା ସମ୍ବାଦ ପଢିବାକୁ ମିଳୁଛି । ଗତ ବର୍ଷ ଡିସେମ୍ବର ମାସରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଥିବା ପ୍ରସିଦ୍ଧ ଦକ୍ଷ ପ୍ରଜାପତି ମନ୍ଦିରରୁ ୨୨ଟି ଦୁର୍ଲଭ ଅଷ୍ଟଧାତୁ ନିର୍ମିତ ମୁର୍ତି ଚୋରୀ ଘଟଣା ସମସ୍ତଙ୍କୁ ଆଚମ୍ବିତ କରିଥିଲା । ସେହିପରି ଜାନୁଆରୀ ମାସରେ ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ କୁକୁଡିଆ ଗ୍ରାମସ୍ଥିତ ବିଖ୍ୟାତ ଗୋପିନାଥ
ମନ୍ଦିରରୁ ମଧ୍ୟ ଚୋରୀ ହୋଇଥିଲା । ଅତୀତରେ ନବକଳେବର ବିଭ୍ରାଟ, ରତ୍ନଭଣ୍ଡାର ବିଭ୍ରାଟ, ଦାରୁବିଭ୍ରାଟ ଭଳି ଘଟଣାରୁ ରାଜ୍ୟ ସରକାର କୈାଣସି ଶିକ୍ଷା ଲାଭ କରିନଥିବାବେଳେ ବ ତୋର୍ତମାନ ମାଉସୀମା ମନ୍ଦିରରୁ ଚୋରୀ ଘଟଣା ରାଜ୍ୟ ସରକାରଙ୍କ ଅପାରଗତା ଓ ନଷ୍କ୍ରିୟତାକୁ ପୁଣି ଥରେ ପଦାରେ ପକାଇ ଦେଇଛି । ରାଜ୍ୟ ସରକାରଙ୍କ ଅନ୍ତରିକତା ଅଭାବ ଏବଂ ଅପରାଧୀମାନଙ୍କୁ ସୁରକ୍ଷା ଦେବା ଏବଂ ଅବାଧ ନିଶା ବେପାର ହିଁ ମୁଖ୍ୟ କାରଣ ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ଅତ୍ୟନ୍ତ ଖରାପ ସ୍ଥିତିରେ ପହଂଚିଲାଣି । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଅପରାଧୀମାନେ ଅପରାଧ ଭିଆଇ ଚାଲୁଛନ୍ତି । ଶାସକ ବିଜେଡିର ସଂପୃକ୍ତି ଥିବାରୁ ରାଜ୍ୟ ସରକାର ଏଭଳି ମନ୍ଦିର ଚୋରୀ
ଘଟଣାକୁ ରୋକିବା ପାଇଁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି । ଓଡିଶାବାସୀଙ୍କ ଆସ୍ଥା କେନ୍ଦ୍ର ମନ୍ଦିରରୁ ପ୍ରାୟତଃ ପ୍ରତିଦିନ ହେଉଥିବା ଚୋରୀ ଘଟଣାକୁ ରୋକିବା ପାଇଁ ରାଜ୍ୟ ସରକାର ତୁରନ୍ତ କଡା ଆଭିମୁଖ୍ୟ ଗ୍ରହଣ କରି ଦୋଷୀଙ୍କୁ କଠୋର ଦଣ୍ଡ ପ୍ରଦାନ କରନ୍ତୁ ବୋଲି କହିବା ସହ ଓଡିଆ ଜାତିର ପ୍ରାଣ ପ୍ରତିଷ୍ଠାତା ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ମନ୍ଦିର ଐତିହ୍ୟର ସୁରକ୍ଷା ପାଇଁ କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାର ପ୍ରୟାସ ନକରି ରାଜ୍ୟ ସରକାର ବାସ୍ତବରେ ଓ ସଠିକ ଭାବେ ମନ୍ଦିରର ସୁରକ୍ଷା ପ୍ରଦାନ କରିବାକୁ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି ।

Spread the love