କୋଭିଡ୍ ରେ ମରିବା ପୂର୍ବରୁ ଡାକ୍ତର ଲେଖିଥିଲେ ଏହି ମେସେଜ୍‌; ଆଉ କହିଗଲେ …

କରୋନା ମହାମାରୀର ଭୟବହତା କାହାକୁ ଅଛପା ନାହିଁ। ଡାକ୍ତର ହୁଅନ୍ତୁ କି ସାଧାରଣ ଲୋକ ସମସ୍ତଙ୍କୁ କରୋନା ଆକ୍ରାନ୍ତ କରୁଛି। ଏପରିକି ଜୀବନ ନେଇଯାଉଛି କରୋନା । କେହି କେହି କରୋନା ଲଢ଼େଇରେ ସଫଳତା ପାଉଛନ୍ତି ତ ଆଉ କେହି ଯୁଦ୍ଧରେ ହାର ମାନି ପ୍ରାଣ ହରାଉଛନ୍ତି। ମୁମ୍ବାଇର ଜଣେ ଡାକ୍ତର ମନୀଷା ଯାଦବ କରୋନାରେ ପ୍ରାଣ ହରାଇଛନ୍ତି।

କରୋନା ଲଢ଼େଇରେ ପରାଜିତ ହେବା ଏବଂ ମୃତ୍ୟୁକୁ ନିଜର କରିବା ନେଇ ଡାକ୍ତରଙ୍କ ଶେଷ ପୋଷ୍ଟ ପ୍ରକୃତରେ ବହୁ ଯନ୍ତ୍ରଣାଦାୟକ। ଶେଷ ତଥା ଅନ୍ତିମ ପୋଷ୍ଟ ସମ୍ପର୍କ​‌ରେ ଜାଣିଲେ ଆଖି ଲୁହରେ ଭରିହୋଇଯିବ। ଡାକ୍ତର ମନୀଷା ଯାଦବ ସିଉରି ଟିବି ହସ୍ପିଟାଲରେ ମୁଖ୍ୟ ମେଡିକାଲ ଅଫିସର ଥିଲେ। ସେ ଜାଣିସାରିଥିଲେ କରୋନା ଭୂତାଣୁ ତାଙ୍କ ଶରୀରକୁ ପୂରା ଗ୍ରାସ କରିସାରିଛି। ସେ ଏହା ବି ଜାଣିପାରିଥିଲେ ହୁଏତ ଆଉ ସେ ଦୁନିଆକୁ ଦେଖିପାରିବେ ନାହିଁ।

 

ଏହାକୁ ହୃଦୟଙ୍ଗମ କରିବା ପରେ ଶେଷ ଫେସ୍‌ବୁକ୍‌ ପୋଷ୍ଟରେ ମନୀଷା ଲେଖିଥିଲେ, ‘ପ୍ରାୟତଃ ଏହା ମୋର ଶେଷ ଗୁଡମର୍ଣ୍ଣିଂ। ବୋଧୁହୁଏ ଏହି ପ୍ଲାଟଫର୍ମରେ ପୁଣି ଥରେ ଆପଣଙ୍କ ସହ ସାକ୍ଷାତ କରିନପାରେ। ସମସ୍ତେ ନିଜ ନିଜର ଧ୍ୟାନ ରଖନ୍ତୁ। ଶରୀରର ମୃତ୍ୟୁ ଅଛି ଆତ୍ମାର ନୁହେଁ। ଆତ୍ମା ଅମର।’ ଡାକ୍ତର ମନୀଷା ଏହି ପୋଷ୍ଟ ରବିବାର କରିଥିଲେ। ସୋମବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଟିବି ବିଶେଷଜ୍ଞ ମନୀଷା ଯାଦବଙ୍କ ଏହି ପୋଷ୍ଟ ଏବେ ଭାଇରାଲ୍‌ ହେଉଛି। ଯେ କେହି ବି ତାଙ୍କର ଏହି ଶେଷ ତଥା ଅନ୍ତିମ ପୋଷ୍ଟଟିକୁ ଦେଖୁଛନ୍ତି ନିଜର କୋହ ସମ୍ଭାଳିବା ସେମାନଙ୍କ ପାଇଁ ମୁସ୍‌କିଲ ହୋଇପଡ଼ୁଛି।

Spread the love