ଅମାନିଆ କରାଇଦେବେ ଲକଡାଉନ ! ନିୟମ ନମାନିଲେ ଲାଗୁ ହେବ କଟକଣା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, ୩୦/୪: ରାଜ୍ୟରେ କ୍ରମଶଃ ସଂକ୍ରମଣ ହାର ବୃଦ୍ଧିପାଇବାରେ ଲାଗିଛି। ଜନସାଧାରଣ ସ୍ଥାନେ ସ୍ଥାନେ ଗହଳି କରୁଥିବାବେଳେ ନିୟମର ଅନୁପାଳନ କରୁଥିବାରେ ଢ଼ିଲା ଦେଉଥିବା ନଜରକୁ ଆସୁଛି। ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପ ସଚେତନ କରାଯିବା ସତ୍ତେ୍ୱ ଲୋକେଙ୍କ ମଧ୍ୟରେ ସତର୍କତା ନଜରକୁ ଆସୁନାହିଁ। ଫଳରେ ଆସନ୍ତା ଦିନରେ ରାଜ୍ୟରେ ଅମାନିଆମାନେ ସଟ୍ଡାଉନ୍ ଓ ଲକ୍ଡାଉନ୍ କରାଇଦେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏନେଇ ଗୁରୁବାର ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଚେତାବନୀ ଦେଇଛନ୍ତି। ଅମାନିଆ ହେଲେ ରାଜ୍ୟରେ ସଟଡାଉନ୍ ଲାଗୁ ହୋଇପାରେ। ଯେଉଁ ସ୍ଥାନରେ ଲୋକେ କୋଭିଡ୍ ନିୟମ ନ ମାନିବେ ଏବଂ ଅଧିକ ଭିଡ଼ ହେବ ସେଠାରେ ଲକଡାଉନ ଓ ସଟଡାଉନ୍ ଭଳି ଚରମ ପଦକ୍ଷେପ ନିଆଯାଇପାରେ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଚନ୍ତି।
କୋଭିଡ ସଂକ୍ରମଣ ଶୀର୍ଷରେ ପହଞ୍ଚିଥିବାବେଳେ ରାଜ୍ୟବାସୀଙ୍କୁ ଶ୍ରୀ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇ କହିଛନ୍ତି, ରାଜ୍ୟବାସୀ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଖବର ଉପରେ ବିଶ୍ୱାସ ନ କରି ବିଶେଷଜ୍ଞ ପରାମର୍ଶ ଗ୍ରହଣ କରନ୍ତୁ। ରାଜ୍ୟ ସରକାର କେନ୍ଦ୍ରର ବିଶେଷଜ୍ଞଙ୍କ ସହ ନିୟମିତ କଥା ହେଉଛନ୍ତି। ସୋସିଆଲ ମିଡିଆ ପ୍ରସାରିତ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ। ଯେଉଁଠି ଲୋକେ କୋଭିଡ୍ ନିୟମ ନ ମାନିବେ ଏବଂ ଅଧିକ ଭିଡ଼ ହେବ ସେଠାରେ ଲକଡାଉନ୍, ସଟଡାଉନ୍ ଭଳି ପଦକ୍ଷେପ ନିଆଯାଇପାରେ। ସେହିପରି ଗତଥର ସଟଡାଉନ, ଲକଡାଉନ କରାଯାଇଥିଲା। ତାହାର ପ୍ରଭାବ କେମିତି ଥିଲା ତାହାକୁ ମଧ୍ୟ ଅନୁଧ୍ୟାନ କରାଯାଇ ଏବେ ପଦକ୍ଷେପ ନିଆଯାଉଛି। କିନ୍ତୁ ଯେଉଁ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ବଢୁଛି, ଲୋକେ ଅମାନିଆ ହେଉଛନ୍ତି, ଭିଡ଼ ହେଉଛି ସେହି ସବୁ ସ୍ଥାନରେ ଆବଶ୍ୟକ ପଡିଲେ ସଟଡାଉନ, ଲକଡାଉନ ଭଳି ପଦକ୍ଷେପ ନିଆଯାଇପାରେ। ରାଜ୍ୟରେ ବର୍ତ୍ତମାନ ୪୩% ସାଧାରଣ ବେଡ଼, ୬୩% ଆଇସିୟୁ ବେଡ଼ ଓ ୩୫% ଭେଣ୍ଟଲେଟର ବେଡ଼ ଫିଲ ଅଫ ଅଛି। ଯେହେତୁ ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକ, ସେଥିପାଇଁ ସେଠାରେ ଅଧିକ ରୋଗୀ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ସେଠାରେ ଏଡିଏମ, ନୋଡାଲ ସ୍ୱାସ୍ଥ୍ୟ ଅଧିକାରୀ ମନିଟର କରିବା ସମେତ ଷ୍ଟେଟ ନୋଡାଲ ଅଧିକାରୀ ସ୍ଥିତିକୁ ମନିଟର କରୁଛନ୍ତି।
ଗୋଟିଏ ଦିନର ରୋଗୀ ସଂଖ୍ୟା ଦେଖି ଭୟବିତ ହୁଅନ୍ତୁ ନାହିଁ। ୧୫ ଦିନର ତଥ୍ୟ ଦେଖି ସମୀକ୍ଷା କରିବା ଉଚିତ। ସେହିପରି ସଂକ୍ରମଣ ହାର ଅଧିକ ହେଲେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବା ସ୍ୱାଭାବିକ, କିନ୍ତୁ ରାଜ୍ୟର ସ୍ଥିତି ଅନ୍ୟ ରାଜ୍ୟଙ୍କ ତୁଳନାରେ ଭଲ ସ୍ଥିତିରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସେହିପରି କଣ୍ଟାକ୍ଟ ଟ୍ରେସିଂ ଯୋଗୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଆମର ସତର୍କକତା ହିଁ ବର୍ତ୍ତମାନ ପରିସ୍ଥିତିରେ ମୁଖ୍ୟ ଅସ୍ତ୍ର। ଲକ୍ଷଣ ପ୍ରକାଶ ପାଇଲେ ପରୀକ୍ଷା କରାଯାଉଛି। ସ୍ଥାନୀୟ ଗହଳି ଅଞ୍ଚଳକୁ ଅଧିକ ପ୍ରାଥମିକତା ଦିଆଯାଉଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଲକଡାଉନର ଆବଶ୍ୟକତା ନାହିଁ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ ରାଜ୍ୟରେ ସଂକ୍ରମଣ ଦୃତ ଗତିରେ ବଢୁଥିବାବେଳେ କୋଭିଡ ନିୟମ ଉଲଙ୍ଘନକାରୀଙ୍କ ପାଇଁ ଦୁଖଃ ପ୍ରକାଶ କରିଛନ୍ତି ଡିଜିପି ଅଭୟ। କେବଳ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଅମାନିଆଙ୍କଠାରୁ ଏପ୍ରିଲ ମାସରେ ଦେଢ ଲକ୍ଷ ଲୋକଙ୍କଠାରୁ ୫ କୋଟି ୨୪ ଲକ୍ଷ ଟଙ୍କାର ଜୋରିମାନା ଆଦାୟ ହୋଇଛି। ସେହିପରି ମାସ୍କ ଓ ସାମାଜିକ ଦୂରତା ପାଇଁ ୫ କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆୟୋଜିତ କୋଭିଡ ସଚେତନତା ପରାମର୍ଶ କାର୍ଯ୍ୟାକ୍ରମରେ ବକ୍ତାଭାବେ ଯୋଗଦେଇ ଡିଜିପି ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଆମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି। ଫଳରେ ଆମକୁ ଅପରାଧୀଙ୍କ ଭଳି ଗିରଫ କରିବାକୁ ପଡୁଛି ଯାହା ଆମକୁ କଷ୍ଟ ଦେଉଛି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରୀ ଅଭୟ ଜନସାଧାରଣଙ୍କୁ ସଚେତନ କରିବା ନିୟମ ମାନିବାକୁ ଅନୁରୋଧ କରିଛନ୍ତି। ମାସ୍କ ପିନ୍ଧିବାକୁ ସେ ଗୁରୁତ୍ୱ ଦେଇଥିବାବେଳେ ଅମାନିଆଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସବୁ ପୁଲିସ ଜିଲ୍ଲାର ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ କୋଭିଡ କଟକଣା ରାଜ୍ୟରେ କଡାକଡି ଭାବେ ପାଳନ କରାଯାଉଛି। ଇତିମଧ୍ୟରେ ୩୫୦ ଦୋକାନ ଏବଂ କୋଚିଂ ସେଣ୍ଟର ସିଲ ହୋଇଛି। ଏପ୍ରିଲରେ କୋଭିଡ ନିୟମ ଉଲ୍ଲଂଘନ କରି ୪୧୮ ଜଣ ଅମାନିଆ ଗିରଫ ହୋଇଛନ୍ତି। ୧୩୦୦ରୁ ଅଧିକ ଅବକାରୀ ମାମଲା ରୁଜୁ ହୋଇଛି। ଏପ୍ରିଲରେ ୧୮ ହଜାରରୁ ଅଧିକ ଗାଡି ଜବତ ହୋଇଛି। ଏସମ୍ପର୍କରେ ସୂଚନା ଦେବା ସହ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ ଅନ୍ୟାନ୍ୟ କୋଭିଡ ନିୟମ ମାନିବାକୁ ଡିଜିପି ନିବେଦନ କରିଛନ୍ତି। ଏହାସହ ନିୟମ ମାନୁଥିବା ଲୋକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Spread the love