ସରକାରୀ ଜମିରେ ବିଦେଶୀ ମଦ ଦୋକାନକୁ ବିରୋଧ, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି

ସାରା ରାଜ୍ୟରେ ସରକାରୀ ଠିପି ବନ୍ଦ ମଦ ଦୋକାନ ଲଟେରି ମାଧ୍ୟମରେ ଆବଣ୍ଟନ ପରେ ଏବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଶୈଲଙ୍ଗ ମଦ ଦୋକାନ ସ୍ଥାପନ ହୋଇଥିବା ଜମିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ମଦ ଦୋକାନ ସ୍ଥାପନ ପାଇଁ ନିର୍ଦ୍ଧାରିତ ସମସ୍ତ ଗାଇଡ୍ ଲାଇନ୍ କୁ ଉଲ୍ଲଂଘନ କରି ଏକ ସରକାରୀ ଜମିରେ କଣ୍ଟେନର ବସାଇ ସଂପୃକ୍ତ ଲିଜ୍‌ଧାରୀ ବ୍ୟବସାୟ ଆରମ୍ଭ କରିବାକୁ ଉଦ୍ୟମ କରୁଥିବାବେଳେ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ସହ ଲିଜ୍‌ଧାରୀ ଜମିପାଇଁ  ଚୁକ୍ତିନାମା କରିଛନ୍ତି । ଉକ୍ତ ଚୁକ୍ତିନାମାକୁ ବିଭାଗରେ  ଲାଇସେନ୍ସ ପାଇଁ ଦାଖଲ କରିଛନ୍ତି । ହେଲେ ଜମି ମାଲିକ ସହ ଚୁକ୍ତି ହୋଇଥିବା ପ୍ଲଟ୍ ପରିବର୍ତ୍ତେ ଏକ ସରକାରୀ ଜମିରେ କଣ୍ଟେନର ପକାଇ ବ୍ୟବସାୟ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଲିଜ୍‌ଧାରୀ । ଅନ୍ୟପଟେ ସେଠାରେ ବହୁପୂର୍ବରୁ ଅତି ନିକଟରେ ଜନବସତି ରହିଛି । ସ୍ଥାନୀୟ ଲୋକେ ଏହାକୁ ଘୋର ବିରୋଧ କରିବା ସହ ଘଟଣାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଅବକାରୀ କମିସନର, ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଆନନ୍ଦପୁର ଅବକାରୀ ଇନ୍ସପେକ୍ଟରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Spread the love