୨୪ ଘଂଟା ପରେ ପ୍ରଥମ ପର୍ଯ୍ୟାୟ ମତଦାନ

 ଓଡିଶାର ପ୍ରଥମ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଭୋଟ। 28ଟି ବିଧାନସଭା ଓ 4ଟି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ 217ଜଣ ପ୍ରାର୍ଥୀଙ୍କ ରକ୍ତଚାପ ବଢିଯାଇଛି। ଭୋଟର ସେମାନଙ୍କ ଆଙ୍ଗୁଠି ଟିପରେ ଯେଉଁ ନିଷ୍ପତ୍ତି ଶୁଣାଇବେ, ତାହା ଉପରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ସେମାନଙ୍କ ରାଜନୈତିକ ଭବିଷ୍ୟତ ଯୋଡି ହୋଇ ରହିବ। ରାଜ୍ୟରେ କିଏ ସରକାରକୁ ଆସିବ, କେନ୍ଦ୍ରରେ କଣ ହେବ ନିର୍ବାଚନୀ ଫଳାଫଳ ସେ କ୍ଷେତ୍ରରେ ବି ଏହି ପର୍ଯ୍ୟାୟ ନିର୍ବାଚନର ଅବଦାନ କିଛି କମ୍ ନୁହେଁ। ଏଣୁ ଜନମତକୁ କିଭଳି ଭୋଟ ବାକ୍ସ ଯାଏ ଟାଣିଆଣିବେ, ସେ ନେଇ ଗତକାଲିଠାରୁ ପ୍ରମୁଖ ରାଜନୈତିକ ଦଳର ଛାମୁଆ କର୍ମୀ ଓ ନେତା ଅନ୍ଧାରୀ ବିଜେ ଆରମ୍ଭ କରିଦେଇଛନ୍ତି। ଛକାପଞ୍ଝାରେ ରହିଛନ୍ତି ପ୍ରମୁଖ ରାଜନୈତିକ ଦଳର କର୍ମୀ। କିଏ କାହାକୁ ଭେଟୁଛି, ସାଙ୍ଗରେ କିଏ ଅଛି, କଣ ନେଇଛି ସେ ନେଇ ନିର୍ବାଚନମଣ୍ଡଳୀରେ ରାତିତମାମ କସରତ ଜାରି ରହିଛି। ପୁଲିସ, ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀମାନେ ଛାନଭିନ୍ ଆରମ୍ଭ କରିଦେଇଛନ୍ତି।

୪ ଲୋକସଭା, ୨୮ ବିଧାନସଭା କ୍ଷେତ୍ରରେ ପ୍ରଚାର ସରିଲା

କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଏବଂ ଏସବୁ ଆସନ ସହିତ ସଂଯୁକ୍ତ 28ଟି ବିଧାନସଭା ପାଇଁ ନିର୍ବାଚନ ହେବ। ଲୋକସଭା ଆସନଗୁଡ଼ିକରେ 26ଜଣ ଏବଂ ବିଧାନସଭା ଆସନଗୁଡ଼ିକରେ 191ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏହି ପର୍ଯ୍ୟାୟ ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ବେଶ୍ ଗୁରୁତ୍ବ ରଖୁଛି। କାରଣ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ କେଂଗ୍ରସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଭାଗ୍ୟ ଏହି ପ୍ରଥମ ପର୍ଯ୍ୟାୟ ଭୋଟରେ ହିଁ ନିର୍ଣ୍ଣୟ ହେବ। ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ,ପ୍ରଦୀପ ନାୟକ, ଭୂପିନ୍ଦର ସିଂହ, ମନ୍ତ୍ରୀ ରମେଶ ମାଝୀ, ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଉଷା ଦେବୀ, ପୂବର୍ତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ରବି ନାରାୟଣ ନନ୍ଦ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପ୍ରମୁଖଙ୍କ କପାଳ ଲେଖିବେ ଭୋଟର। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ଛାଡି ବିଜେଡି ଆସିଥିବା ଚନ୍ଦ୍ରଶେଖର ମାଝୀ, ଭକ୍ତ ଦାସଙ୍କ ଠାରୁ ଆରମ୍ଭ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ, ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ପ୍ରମୁଖଙ୍କ ଲୋକପ୍ରିୟତାର ପରୀକ୍ଷା ହେବ। ଏମାନଙ୍କୁ ଛାଡି ପ୍ରମୁଖ ରାଜନୈତିକ ଦଳରୁ ତୁଙ୍ଗ ନେତାମାନେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି।

ଅନ୍ୟପକ୍ଷରେ ବୁଥ୍ ସହିତ ନିର୍ବାଚନ ପାଇଁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ବି ଚୂଡ଼ାନ୍ତ ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକରୁ ଅନେକ ବୁଥରେ ମାଓବାଦୀ ବେଶ୍ ସକ୍ରିୟ ଥିବା କାରଣରୁ ରିଟର୍ଣ୍ଣିଂ ଅଫିସର, ପ୍ରିଜାଇଡିଂ ଅଫିସର, ଇଭିଏମ୍ କିଭଳି ନିରାପତ୍ତା ସହିତ ବୁଥରେ ପହଞ୍ଚିବ, ସେ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଜୋରଦାର କରିଛି। ପୁଲିସ ସଜାଗ ରହିଛି, ଫୋର୍ସ ପଇଁତରା ମାରୁଛନ୍ତି। କେତେକ ସ୍ଥାନରେ ମଧ୍ୟ ହେଲିକପ୍ଟର ସହ ଯବାନ ପ୍ରସ୍ତୁତ ହୋଇ ରହିଛନ୍ତି। ଇତିମଧ୍ୟରେ 11 ତାରିଖର ନିର୍ବାଚନ ପାଇଁ ପ୍ରସ୍ତୁତି ପର୍ବ ସରିଛି। ଏହି 4ଟି ଲୋକସଭା ଓ 28ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ରହିଛି 7233ଟି ବୁଥ୍ ବା ଭୋଟଗ୍ରହଣ କେନ୍ଦ୍ର। ଏଥିମଧ୍ୟରୁ 2375ଟି ବୁଥ୍କୁ ବିପଦସଙ୍କୁଳ ଭାବେ ଚିହ୍ନଟ କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 29 ଲକ୍ଷ 72 ହଜାର 925ଜଣ ପୁରୁଷ ଓ 30 ଲକ୍ଷ 30 ହଜାର 222ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ 60 ଲକ୍ଷ 3ହଜାର 707ଜଣ ଭୋଟର ଭୋଟ ଦେବେ।

ଏସବୁ ମତଦାନ ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି 47805ଜଣ ନିର୍ବାଚନ କର୍ମଚାରୀ। ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, ୩୦ଟି ବୁଥରେ କେବଳ ମହିଳା କର୍ମଚାରୀମାନେ ନିୟୋଜିତ ହୋଇଛନ୍ତିି। ଗୋଟିଏ ବୁଥ୍ରେ ସମସ୍ତ ଭିନ୍ନକ୍ଷମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଭିନ୍ନକ୍ଷମ ମତଦାତାଙ୍କୁ ନେବା ଆଣିବା କରିବା ପାଇଁ 2617ଟି ଗାଡି ବ୍ୟବସ୍ଥା ହୋଇଛି। ସମସ୍ତ 7233 ବୁଥରେ ଭିନ୍ନକ୍ଷମଙ୍କ ଯାଆସ ପାଇଁ ରୢାମ୍ପ, ଗୋଟିଏ ବୁଥ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବୁଥ୍ରେ ପିଇବାପାଣି, 25ଟି ବୁଥ୍କୁ ଛାଡ଼ି ଅନ୍ୟ ସବୁ ବୁଥରେ ବିଜୁଳି ସୁବିଧା, ସବୁ ବୁଥରେ ପୁରୁଷ ଓ ମହିଳାଙ୍କ ପାଇଁ ଶୌଚାଳୟ, 6988ଟି ବୁଥ୍ରେ ହ୍ବିଲ୍ ଚେୟାର, 5051ଟିରେ ଦୃଷ୍ଟିବାଧିତଙ୍କ ପାଇଁ ବ୍ରେଲ୍ ଡମି ବ୍ୟାଲଟ୍ ସିଟ୍, 2617ଜଣ ସ୍ବେଚ୍ଛାସେବୀଙ୍କୁ ନିୟୋଜନ କରାଯିବା ଭଳି ବ୍ୟବସ୍ଥା ହୋଇଛି। ଇତିମଧ୍ୟରେ 18086ଟି ଡାକ ବ୍ୟାଲଟ୍ ଦିଆଯାଇଥିବା ବେଳେ ସେଥିମଧ୍ୟରୁ ମିଳିଛି 17585।

Spread the love