ମା’ବିରଜାଙ୍କ ବରିଷ୍ଠ ସେବାୟତ ତାରାକାନ୍ତ ପାଣିଙ୍କ ପରଲୋକ

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ଶ୍ରୀ ଅଙ୍ଗ ଲାଗି ବରିଷ୍ଠ ସେବାୟତ ତାରାକାନ୍ତ ପାଣି (୬୮)ଙ୍କ ଆଜି ପ୍ରାତଃ ସମୟରେ  ପରଲୋକ ହୋଇଯାଇଛି । ସେ କିଛି ଦିନ ହେବ କଟକ ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ୱର୍ଗତ ପାଣିଙ୍କ ମର ଶରୀର ନିଜ ବାସଭବନ କଳସପୁର ଗ୍ରାମକୁ ଆସିବା ପରେ ଗ୍ରାମରେ ଶୋକର ବାତାବରଣ ଖେଳିଯାଇଥିଲା ।  ବିରଜା ମନ୍ଦିର ଶ୍ରୀ ଅଙ୍ଗଲାଗି ସେବାୟତ ସମେତ ବିଭିନ୍ନ ବର୍ଗର ସେବାୟତ ଓ ମନ୍ଦିର କର୍ମଚାରୀମାନେ ତାଙ୍କ ମରଶରୀରକୁ ଶେଷ ଦର୍ଶନ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ କାମନା କରିଥିଲେ ।ସ୍ୱର୍ଗତ ପାଣି ବିରଜା ମନ୍ଦିର ବରିଷ୍ଠ ସେବାୟତ ସହିତ ମନ୍ଦିର ପଣ୍ଡିତ ସଭାର ସଦସ୍ୟ ଓ ମନ୍ଦିରର ଗୁମାସ୍ତା ପଦରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିଲେ । ଜଣେ ମିଷ୍ଟିଭଷୀ , ବନ୍ଧୁବତ୍ସଳ, ଭଗବତ୍ ପ୍ରେମୀ ଓ ଜ୍ଞାନି ପଣ୍ଡିତ ଭାବେ ତାଙ୍କର ବେସ୍ ସୁନାମଥିଲା । ତାଙ୍କ ବିୟୋଗରେ ବିରଜା ମନ୍ଦିର ସେବାୟତ ମଧ୍ୟରେ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ ସ୍ୱର୍ଗତ ପାଣିଙ୍କ ମରଶରୀରକୁ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା । ଏକମାତ୍ର ପୁତ୍ର ନଳିନୀକାନ୍ତ ପାଣି (ଦିଲୁ) ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ବିରଜା ମନ୍ଦିର ପଣ୍ଡିତ ସଭାର ସଭ୍ୟ ଓ ସେବାୟତ ପରିଷଦର ସମସ୍ତ ସଭ୍ୟମାନେ ସ୍ୱର୍ଗତ ପାଣିଙ୍କ ବିୟେଗରେ ଗଭିର ସମବେଦନା ଜ୍ଞାପନ କରିଛନ୍ତି ।

Spread the love