ଲକଡାଉନରେ ଠକ ସଂସ୍ଥାଙ୍କ ଟାର୍ଗେଟରେ ବେକାର ଯୁବକ ଯୁବତୀ

କଳାହାଣ୍ଡି, ୧୯/୫ : ଘରେ ଥାଇ ଅନଲାଇନରେ ରୋଜଗାର ଆଶା ଦେଖାଇ ଜାରି ରହିଛି ଅଭିନବ ଠକେଇ। ଏଭଳି ଏକ ଠକ ସଂସ୍ଥା ଉର୍ଯ୍ୟେଗ ପଞ୍ଚତତ୍ତ୍ୱର ପର୍ଦ୍ଦାଫାଶ କରିଛି ପୋଲିସ l ସଂସ୍ଥା ମୁଖ୍ୟ ଗୁରୁଦେବ ସେଠକୁ କଳାହାଣ୍ଡି ପୋଲିସ ଗିରଫ କରିଥିବା ଜଣାପଡ଼ିଛି l

ମାଷ୍ଟର ମାଇଣ୍ଡ ଗୁରୁଦେବ ସେଠ ନାଁରେ ପୁର୍ବରୁ କଟକ ବାଦାମବାଡ଼ି ଓ ସମ୍ବଲପୁର ଟାଉନ ଥାନାରେ ଅନୁରୁପ ଠକେଇ ମାମଲା ରୁଜୁ ହୋଇ ରହିଛି। କଳାହାଣ୍ଡି ପୋଲିସ ଅଭିଯୁକ୍ତକୁ ଜୁନାଗଡ଼ ସହରରୁଗିରଫ କରି ବହୁ କାଗଜପତ୍ର ଜବତ ସହ କୋର୍ଟ ଚାଲାଣ କରିଛି।

ଏହି ସଂସ୍ଥା ପ୍ରଥମେ ବିଭିନ୍ନ କମ୍ପୁଟର ସେଣ୍ଟର ସାମ୍ନାରେ ବିଜ୍ଞାପନ ଦେଉଥିଲା l କମ୍ପ୍ୟୁଟର ଶିକ୍ଷା ନେଇଥିବା ଯୁବକ ଯୁବତୀଙ୍କୁ ଏବଂ ପ୍ଲେସମେଣ୍ଟ ପାଇଁ ରେଜିଷ୍ଟ୍ରେସନ୍ ବାବଦକୁ ୩୫ ଶହ ରୁ ୪ ହଜାର ଟଙ୍କା ଆଦାୟ କରୁଥିଲା l ଏଭଳି ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼ ଅଂଚଳରୁ ୬୧ ଜଣ ଯୁବକ ଯୁବତୀ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲା। ହେଲେ ୟୁଟ୍ୟୁବରେ ଏକ ପୁରୁଣା ନ୍ୟୁଜରେ ଗୁରୁଦେବ ସେଠ ନାଁ ରେ ଠକେଇ ଖବର ଦେଖି ଯୁବକ ଯୁବତୀ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ବିଶେଷ କରି ଲକଡାଉନ ଆଶଙ୍କାରେ ଭିଟା ମାଟିକୁ ଫେରିଥିବା ଅନେକ ଯୁବକ ଯୁବତୀ ଏହି ସଂସ୍ଥା ମାଧ୍ୟମରେ ରୋଜଗାର ଆଶାରେ ଠକେଇର ଶୀକାର ହୋଇଛନ୍ତି।

Spread the love