ବାତ୍ୟା ପ୍ରଭାବିତ ଗୁଜୁରାଟକୁ ହଜାରେ କୋଟି ଟଙ୍କାର ଆର୍ଥିକ ସହାୟତା, ସ୍ଥିତି ସମୀକ୍ଷା ପରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ ୧୯/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ତାଉତେ ପ୍ରଭାବିତ ଗୁଜୁରାଟକୁ ୧୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହା ସହ ବାତ୍ୟା ପ୍ରଭାବିତ ରାଜ୍ୟରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀ ବିମାନ ଯୋଗେ ଗୁଜୁରାଟ ଏବଂ ଡିୟୁରେ ପ୍ରଭାବିତ ଅଞ୍ଚଳ ରେ ସ୍ଥିତି ସମୀକ୍ଷା କରିଛନ୍ତି ।

ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ଏକ ସମୀକ୍ଷା ବୈଠକ କରି ତାଉତେ ବାତ୍ୟା ଦ୍ଵାରା ହୋଇଥିବା କ୍ଷୟକ୍ଷତି ଏବଂ ପରିସ୍ଥିତିର ଆକଳନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବାତ୍ୟା ପ୍ରଭାବିତ ରାଜ୍ୟର ଲୋକମାନଙ୍କୁ ଆଶ୍ବସନା ଦେଇ କହିଛନ୍ତି, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ସରକାର ରାଜ୍ୟ ସହ କାନ୍ଧରେ କାନ୍ଧ ମିଶାଇ କାମ କରିବ । ଏହା ସହ ପ୍ରଭାବିତ କ୍ଷେତ୍ରରେ ପୁନଃନିର୍ମାଣ କାର୍ଯ୍ୟ ସହ ଯଥାସମ୍ଭବ ସହାୟତା ମିଳିବ ବୋଲି କହିଛନ୍ତି । ବାତ୍ୟା ତାଉତେ ଦ୍ବାରା ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବାକୁ ମୋଦୀ ବୁଧବାର ଗୁଜରୁାଟ ଯାତ୍ରା କରିଥିଲେ। ଭାବନଗରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ତାଙ୍କୁ ସ୍ବାଗତ ଜଣାଇଥିଲେ। ବିମାନ ଯୋଗେ ପ୍ରଭାବିତ ଅକରେଲି, ଗିର, ସୋମନାଥ ଏବଂ ଭାବନଗର ଜିଲ୍ଲା ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Spread the love