୨୪ରୁ ବର୍ଷା ଆରମ୍ଭ, ୧୬୬ କିମି ବେଗରେ ବହିବ ପବନ

ଭୁବନେଶ୍ୱର : ଆସୁଛି ବାତ୍ୟା । ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ବାତ୍ୟା ଅତି ଭୀଷଣ (ଭେରି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ) ରୂପ ନେବ । ୧୬୦ କିଲୋମିଟରକୁ ଟପିପାରେ ପବନର ବେଗ ।ପବନ ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ଧରି ମାଡ଼ି ଆସିବ ବାତ୍ୟା ‘ୟଶ୍’ । ପାଣିପାଗ ବିଭାଗ ଆକଳନ କହୁଛି, ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୨୬ ତାରିଖରେ ମାଡ଼ ହୋଇପାରେ ।

ଆଇଏମ୍‌ଡି ପୂର୍ବନୁମାନ କହୁଛି, ଶୁକ୍ରବାର ସଂଧ୍ୟା ସୁଦ୍ଧା ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଶନିବାରକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହେବ । ୨୪ ତାରିଖ ସୁଦ୍ଧା (ସୋମବାର) ଘନୀଭୂତ ହୋଇ ବାତ୍ୟା ‘ୟଶ୍’ ରୂପ ନେବ ।ଭେରି ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେଲେ ପବନର ବେଗ ୧୧୮ରୁ ୧୬୬ କିଲୋମିଟର ଯାଏ ରହିବ । ଭୟାନକ ରୂପ ନେବ ସମୁଦ୍ର। ବାତ୍ୟାର କେନ୍ଦ୍ର ସ୍ଥଳରେ ୧୪ ମିଟର ଯାଏ ଉଠିପାରେ ଢେଉ ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବିଭିନ୍ନ ମଡେଲର ପୂର୍ବାନୁମାନ ବିଶ୍ଳେଷଣରୁ ଜଣାପଡ଼ୁଛି, ସମ୍ଭବତଃ ବାତ୍ୟା ୟଶ୍ ୨୬ ତାରିଖ ସକାଳେ ସ୍ଥଳଭାଗ ଛୁଇଁପାରେ । ସେତେବେଳକୁ ତାହା ଭେରି ସିଭିୟର (ଅତି ଭୀଷଣ) ବାତ୍ୟା ତୀବ୍ରତାରେ ଥିବ । ଭଦ୍ରକଠାରୁ ମେଦିନିପୁର ମଝିରେ ଏହା ସ୍ଥଳଭାଗରେ ମାଡ଼ ହେବା ସମ୍ଭାବନା ଅଛି । ଏହାର ମଝିରେ ରହୁଛି ବାଲେଶ୍ୱର । ସମ୍ଭବତଃ ବାତ୍ୟା କେନ୍ଦ୍ରାପଡ଼ା ଓ ଭଦ୍ରକରେ ଘଷି ହୋଇ ବାଲେଶ୍ୱର ପାଖରେ ପହଞ୍ଚିବ ।

ସେ କହିଛନ୍ତି, ଯଦି ବି ଏହା ମେଦିନପୁର ଉପକୂଳ ଛୁଇଁବ, ତଥାପି ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲା ଯଥା-ଜଗତସିଂହପୁର କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ଯାଜପୁରରେ ପବନର ବେଗ ଅଧିକ ରହିବ । ପୁରୀ, ଖୋର୍ଦ୍ଧା, କଟକ, କେନ୍ଦୁଝରରେ ମଧ୍ୟ ପବନ ପ୍ରଭାବ ରହିବ । ଢେଙ୍କାନାଳ ଓ ସୁନ୍ଦରଗଡ଼ରେ ମଧ୍ୟ ସାଧାରଣ ବାତ୍ୟା ପ୍ରଭାବ ପଡ଼ିପାରେ । ଉପକୂଳ ଜିଲ୍ଲା ଓ ପାଖ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁରର ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ସୁନ୍ଦରଗଡ଼, ଝାରସୁଗୁଡ଼ାରେ ବି ବର୍ଷା ହୋଇପାରେ । ୨୪ ତାରିଖ ଅପରାହ୍ନରୁ ଉପକୂଳ ଓଡ଼ିଶାରେ ପାଗ ବଦଳିବ । ୨୪ ରାତିରୁ ବର୍ଷା ଆରମ୍ଭ ହୋଇପାରେ । ୨୫ ଓ ୨୬ରେ ଉପକୂଳ ଓଡ଼ିଶା ଓ ୨୫ରୁ ୨୭ ଯାଏଁ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହୋଇପାରେ । ଉପକୂଳ ଅଞ୍ଚଳରେ ବନ୍ୟା ଭଳି ସ୍ଥିତି ଉପୁଜିପାରେ ।

ସୋଆ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ସମ୍ଭାବ୍ୟ ବାତ୍ୟା ଭଦ୍ରକ, ବାଲେଶ୍ୱର କିମ୍ବା ପଶ୍ଚିମବଙ୍ଗର ଦୀଘା ଉପକୂଳ ଦେଇ ସ୍ଥଳଭାଗ ଛୁଇଁପାରେ । ପରବର୍ତ୍ତୀ ସମୟରେ ଏହା ବିହାରକୁ ମୁହାଁଇପାରେ । ଏହା ପ୍ରଭାବରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁରରେ ୨୫ ତାରିଖ ରାତିରୁ ୨୭ ଯାଏଁ ପ୍ରବଳ ବର୍ଷା ହୋଇପାରେ ।

କରୋନା ମହାମାରୀ ସଙ୍କଟ ଭିତରେ ମାଡ଼ି ଆସୁଥିବା ବାତ୍ୟା ‘ୟଶ୍’ ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସବୁ ବିଭାଗ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ବିଭାଗ ସହ ଆଲୋଚନା କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ଘନଘନ ବୈଠକ ନେଇ ସ୍ଥିତି ଉପରେ ନଜର ରଖିଛନ୍ତି । ଦିଲ୍ଲୀସ୍ଥିତ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମୁଖ୍ୟାଳୟରୁ ଆରମ୍ଭ କରି ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କ ସହ ଯୋଗାଯୋଗ ରକ୍ଷା କରୁଛନ୍ତି ସରକାର । ଜିରୋ କାଜୁଆଲିଟି ମନ୍ତ୍ରରେ ପ୍ରସ୍ତୁତି ଚାଲିଛି । ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି । ପୁଲିସ, ଅଗ୍ନିଶମ, ଆଇଏନଏସ ଚିଲିକା, ଓଡ୍ରାଫ, ଏନଡିଆରଟିଏମ ପ୍ରସ୍ତୁତ ରହିଛି । ଶକ୍ତି ବିଭାଗ ଓ ବିଦ୍ୟୁତ ଯୋଗାଣକାରୀ କମ୍ପାନି ସହ ଆଲୋଚନା ହୋଇଛି । ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ଲୋକଙ୍କ ପାଖରେ ଯେଭଳି ପିଇବା ପାଣି ପହଞ୍ଚାଇବେ, ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଏସଆରସି ଶ୍ରୀ ଜେନା କହିଛନ୍ତି, ଏନଡିଆରଏଫର ୧୭ଟି ଟିମ୍‌, ଓଡ୍ରାଫର ୨୦ଟି ବାଟାଲିଅନ, ଉପକୂଳବର୍ତ୍ତୀ ଜିଲ୍ଲାରେ ଥିବା ଅଗ୍ନିଶମ ସେବା ବାହିନୀର ସମସ୍ତ ଟିମ୍‌ ସହ ବିଭିନ୍ନ ଜିଲ୍ଲାରେ ୧୦୦ରୁ ଅଧିକ ଟିମ୍‌, ବନ ବିଭାଗ ଏବଂ ଓଏଫଡିସି ଟିମ୍‌ ଉଦ୍ଧାର କାର୍ଯ୍ୟ ଏବଂ ବାତ୍ୟା ପରବର୍ତ୍ତୀ ରାସ୍ତା ସଫା ପାଇଁ ପ୍ରସ୍ତୁତ ଅଛନ୍ତି । ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ ବିଭାଗର ଇଞ୍ଜିନିୟରିଂ ଟିମ୍‌ ବିଭିନ୍ନ ସ୍ଥାନରେ ଯନ୍ତ୍ରପାତି, ଡ୍ରୋଜର ଓ ଶ୍ରମିକଙ୍କ ସହ ପ୍ରସ୍ତୁତ ଅଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ମାଟି ଘର, ଚାଳ ଓ ଆଜବେଷ୍ଟସ ଛପର ଘରେ କାହାରିକୁ ରହିବାକୁ ଦିଆଯିବନି । ତଳିଆ ଅଞ୍ଚଳ ଲୋକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । କରୋନା କଟକଣା ଭିତରେ ଯେଭଳି ସାମାଜିକ ଦୂରତା ରଖି ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି ।

Spread the love