ଆଜି ରାତିରୁ ତାଣ୍ଡବ ରଚିବ ‘ୟସ୍’

ଭୁବନେଶ୍ୱର,୨୫/୦୫: ଆସୁଛି ବାତ୍ୟା ୟସ୍‌ । ଅତି ଭୀଷଣ ବାତ୍ୟା ରୂପରେ ମାଡ଼ ହେବ ବାଲେଶ୍ୱର ସଦର ଉପକୂଳ ପାଖରେ । ବୁଧବାର ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ । ସେତେବେଳେ ୧୫୫ରୁ ୧୬୫ କିଲୋମିଟର ବେଗରେ ମାଡ଼ ହେବ ପବନ । ମଝିରେ ମଝିରେ ୧୮୫ କିମି ବେଗରେ ପବନ ମାଡ଼ କରି ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳକୁ ମୋଡ଼ି ମକଚି ଦେବ ୟସ୍‌ ।

ତା ପୂର୍ବରୁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରଳୟ ରଚାଇବ । ଏ ତିନିଟି ଜିଲ୍ଳାକୁ ଘଷି ହୋଇଯିବ ବାତ୍ୟା ଯେତେବେଳେ ପବନର ବେଗ ସର୍ବୋଚ୍ଚ ଥିବ । କେନ୍ଦ୍ରାପଡ଼ା ଜିଲ୍ଲାଠୁ ମାତ୍ର ୨୦ରୁ ୨୫ କିଲୋମିଟର, ଭଦ୍ରକ ଉପକୂଳରୁ ୩୦ରୁ ୩୫ କିମି ଏବଂ ପାରାଦୀପଠୁ ୫୦ କିଲୋମିଟର ଦୂରରେ ଅତିକ୍ରମ କରିବ ୟସ୍‌ ।

ବାତ୍ୟାର କେନ୍ଦ୍ର ବଳୟ (ସର୍ବୋଚ୍ଚ ବେଗ ପବନ)ର ବ୍ୟାସାର୍ଦ୍ଧ ପ୍ରାୟ ୬୦ କିଲୋମିଟର ରହିବ । ଏହାର ଅର୍ଥ ହେଉଛି ସମୁଦ୍ରରେ ଥିଲେ ବି ସ୍ଥଳଭାଗରେ ପ୍ରଳୟଙ୍କରୀ ପବନ (୧୮୫ କିଲୋମିଟର ଯାଏ) ମାଡ଼ ହେବ ।ମଙ୍ଗଳବାର ବିଳମ୍ବିତ ରାତିରୁ ପ୍ରକୋପ ବଢ଼ାଇ ଚାଲିବ । ବୁଧବାର ସକାଳୁ ଚଳାଇବ ତାଣ୍ଡବ । ଭୟାନକ ପବନ ମାଡ଼ରେ କ୍ଷତାକ୍ତ କରିଦେବ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲାକୁ ।

ୟସ୍‌ର ସମ୍ଭାବ୍ୟ ଗତିପଥ, ସ୍ଥିତି ଏବଂ ପବନର ବେଗ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବାରମ୍ବାର ବଦଳାଉଛି ଆକଳନ । ପ୍ରଥମେ ଅନୁମାନ କରାଯାଉଥିଲା, ସ୍ଥଳଭାଗ ଛୁଇଁବାବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହେବ । ମାତ୍ର ଆଇଏମଡିର ତାଜା (ରାତି ୧୦ଟା ୧୫ ଜରି ପୂର୍ବାନୁମାନ) ଆକଳନରୁ ଜଣାପଡ଼ୁଛି, ମଙ୍ଗଳବାର ବିଳମ୍ବିତ ରାତିରୁ ବୁଧବାର ରାତି ପର୍ଯ୍ୟନ୍ତ ତାଣ୍ଡବ କରିବ ୟାସ୍‌ ।

ଅକ୍ଷାଂଶ ଓ ଦ୍ରାଘିମା ସ୍ଥିତି ସହ ଆଇଏମ୍‌ଡି ଦେଇଥିବା ଆକଳନ କହୁଛି, ସମ୍ଭବତଃ ୟସ୍‌ ଅତି ଭୀଷଣ ବାତ୍ୟା ଅବସ୍ଥାରେ ବୁଧବାର ମଧ୍ୟାହ୍ନ ପୂର୍ବରୁ ବାଲେଶ୍ୱର ସଦର ଉପକୂଳ ପାଖାପାଖି ସ୍ଥଳଭାଗ ଛୁଇଁବ । ସେତେବେଳେ ପବନ ବହୁଥିବ ୧୫୫-୧୮୫ କିମି ବେଗରେ । ବାଲେଶ୍ୱର ସଦର, ଚାନ୍ଦିପୁର, ସୋର, ଇଞ୍ଚୁଡ଼ି ଓ ସହରରେ ପ୍ରଚଣ୍ଡ ପ୍ରଭାବ ଦେଖାଇବ ୟସ୍‌ ।

ଦିନ ତମାମ ପୂରା ତୀବ୍ର ବେଗରେ ପ୍ରଳୟ ଭିଆଇବ । କଚ୍ଚା ଘର, ଆଜବେଷ୍ଟସ ଘର, ଚାଳ ଛପର, ଦୁର୍ବଳ କୋଠାବାଡ଼ିକୁ ମାଟିରେ ମିଶାଇ ଦେଇପାରେ । ବଡ଼ବଡ଼ ଗଛ, ବିଜୁଳି ଖୁଣ୍ଟକୁ ମୋଡ଼ି ଭାଙ୍ଗି ରାସ୍ତାରେ ଗଡ଼ାଇ ଦେବ । ବିଗାଡ଼ି ଦେଇପାରେ ବାଲେଶ୍ୱରର ଚେହେରା । ହେଲେ ଏହା ପୂର୍ବରୁ କେନ୍ଦ୍ରାପଡ଼ା ଓ ଭଦ୍ରକକୁ ଏମିତି ଘଷି ହୋଇଯିବ, ବ୍ୟାପକ କ୍ଷତି ଭିଆଇବ ।

ମଙ୍ଗଳବାର ସଂଧ୍ୟା ସାଢ଼େ ୫ଟା ବେଳେ ୟାସ୍‌ ଅତି ଭୀଷଣ ବାତ୍ୟା ରୂପରେ ସମୁଦ୍ରରେ ମାଡ଼ି ଆସୁଥିବ । ପୁରୀ ଉପକୂଳର ସାମନ୍ତରାଳରେ ଥିବ, ପ୍ରାୟ ୧୩୦ କିମି ଦୂରରେ । ରାତି ସାଢ଼େ ୧୧ଟା ବେଳକୁ ପାରାଦୀପଠୁ ସାମାନ୍ୟ ଦକ୍ଷିଣରେ ପ୍ରାୟ ୫୦ କିଲୋମିଟର ସମୁଦ୍ର ଭିତରେ ଅତିକ୍ରମ କରୁଥିବ । ଫଳରେ ପାରାଦୀପରେ ବି ୧୬୦ କିଲୋମିଟର ପବନ ମାଡ଼ ହେବା ଆଶଙ୍କା ରହିଛି ।

ଭୁବନେଶ୍ୱରରେ ବି ପାଖାପାଖି ୧୦୦ କିଲୋମିଟର ବେଗରେ ପବନ ବହିବା ଭୟ ରହିଛି । କାରଣ ବାତ୍ୟାର ଦ୍ୱିତୀୟ ବଳୟ (୯୨ରୁ ୧୧୭ କିମି ପବନ) ଭିତରେ ରହୁଛି ରାଜଧାନୀ ।ବୁଧବାର ଭୋର ସାଢ଼େ ୫ଟାବେଳେ ଏହା କେନ୍ଦ୍ରାପଡ଼ାର କନିକା ଦ୍ୱୀପ ପାଖାପାଖି ପହଞ୍ଚିଯାଇଥିବ । କନିକା ଦ୍ୱୀପରୁ ଦୂରତା ଥିବ ମାତ୍ର ୨୦ରୁ ୨୫ କିଲୋମିଟର ପାଖରେ ଯିବ । ସେତେବେଳେ ୟାସ୍‌ ଅତି ଭୀଷଣ ବାତ୍ୟା ଅବସ୍ଥାରେ ଥିବ, ତା’ର କେନ୍ଦ୍ରୀୟ ମଣ୍ଡଳବହୁଥିବ ୧୫୫-୧୮୫ କିମି ପବନ । ଏହି କେନ୍ଦ୍ରୀୟ ମଣ୍ଡଳରେ ପଡ଼ିଯିବ ଉଭୟ କେନ୍ଦ୍ରାପଡ଼ା ଓ ଭଦ୍ରକ ଉପକୂଳର ବ୍ୟାପକ ଅଞ୍ଚଳ ।

କେନ୍ଦ୍ରାପଡ଼ାର ଅବସ୍ଥିତି ଯାହା, ଜିଲ୍ଲାର ବ୍ୟାପକ ଅଞ୍ଚଳରେ ତାଣ୍ଡବ ଦେଖାଇବ ୟାସ୍‌ । ଭିତରକନିକା ଅଞ୍ଚଳ ଛିନଛତ୍ର ହୋଇପାରେ ଅତି ଭୀଷଣ ପବନ ମାଡ଼ରେ । ରାଜକନିକା, ଆଳି ପର୍ଯ୍ୟନ୍ତ ବ୍ୟାପକ କ୍ଷୟକ୍ଷତି ହୋଇପାରେ ।ଭଦ୍ରକ ଉପକୂଳ ଅଞ୍ଚଳରେ ମଧ୍ୟ ପ୍ରଚଣ୍ଡ ପ୍ରଭାବ ପଡ଼ିବ । ଚାନ୍ଦବାଲି, ବାସୁଦେବପୁର, ଧାମରା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ପ୍ରବଳ ପ୍ରକୋପ ଦେଖାଇବ ବାତ୍ୟା । ତା’ ପରେ ପ୍ରକୋପ ସାମାନ୍ୟ କମିଲେ ବି ଥମିବନି ।ବାଲେଶ୍ୱରରେ ପ୍ରଳୟ ଭିଆଇବା ସହ ମୟୂରଭଞ୍ଜକୁ ପଶିବ ୟସ୍‌ । ବୁଧବାର ସନ୍ଧ୍ୟା ସାଢ଼େ ୫ଟାବେଳେ ମୟୂରଭଞ୍ଜ ଉପରେ ଥିବ । ପବନ ଥିବ ୧୨୫-୧୩୫ ବେଗରେ । ପବନ ଧକ୍କା ମାରୁଥିବ ୧୫୦ କିମି ବେଗରେ । ଏଥିରୁ ଅନୁମାନ କରାଯାଇପାରେ କିଭଳି ଭୟଙ୍କର ହେବ ପରିସ୍ଥିତି । ୨୭ ତାରିଖ ସକାଳ ସାଢ଼େ ୫ଟାବେଳକୁ ବାତ୍ୟା ପ୍ରକୋପ ଖସିବ । ଆଇଏମ୍‌ଡି ଆକଳନ କହୁଛି, ବୁଧବାର (୨୬) ତାରିଖ ସକାଳ ବେଳକୁ ଏହା ଉତ୍ତର ଓଡ଼ିଶା ଉପକୂଳ ଏବଂ ପଶ୍ଚିମବଙ୍ଗ ଉପକୂଳ ପାଖରେ ଥିବ । ମଧ୍ୟାହ୍ନ ସୁଦ୍ଧା ବାଲେଶ୍ୱର ପାଖାପାଖି ସ୍ଥଳଭାଗ ଅତିକ୍ରମ କରିପାରେ ।

  
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଭିନ୍ନ ମଡେଲ ଆକଳନରୁ ଜଣାପଡ଼ୁଛି, ୟସ୍‌ ଭଦ୍ରକର ଚାନ୍ଦବାଲି ଓ ବାଲେଶ୍ୱରର ଇଞ୍ଚୁଡ଼ି ମଧ୍ୟରେ ସ୍ଥଳଭାଗରେ ପ୍ରବେଶ କରିପାରେ । ଏହା ପ୍ରଭାବ ସମଗ୍ର ଉପକୂଳ ଓଡ଼ିଶା ଓ ସଂଲଗ୍ନ କେନ୍ଦ୍ରୀୟ ଏବଂ ପଶ୍ଚିମ ଅଞ୍ଚଳରେ ପଡ଼ିପାରେ । ଅନେକ ଜିଲ୍ଲାରେ ସମୁଦାୟ ୨୦୦ରୁ ୩୦୦ ମିଲିମିଟର ବର୍ଷା ହୋଇପାରେ । ପବନ ବେଗ ୧୬୦ କିମି ଓ ପବନ ଧକ୍କା ୧୮୦ କିମି ପର୍ଯ୍ୟନ୍ତ ରହିପାରେ । କିନ୍ତୁ, ସ୍ଥଳଭାଗ ଛୁଇଁଲାବେଳକୁ ସାମାନ୍ୟ କମିପାରେ । ୨୫ ତାରିଖ (ମଙ୍ଗଳବାର) ମଧ୍ୟାହ୍ନ ପରେ ବାତ୍ୟା ଅଧିକ ଘନୀଭୂତ ହେବ । ୨୫ ସନ୍ଧ୍ୟା ପରେ ଏହାର ଗତି ବେଗ କିଛି କମିପାରେ । ବର୍ତ୍ତମାନର ଆକଳନରୁ ଏଭଳି ଅନୁମାନ କରାଯାଉଛି । ତେବେ ଆସନ୍ତାକାଲିକୁ ଏହା ପରିବର୍ତ୍ତନ ମଧ୍ୟ ହୋଇପାରେ ।

 ସୋଆ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ୟାସ୍‌ କେନ୍ଦ୍ରାପଡ଼ାର ରାଜନଗରରୁ ବାଲେଶ୍ୱରର ବାଲିଆପାଳ ମଧ୍ୟରେ ବୁଧବାର ପୂର୍ବାହ୍ନରେ ସ୍ଥଳଭାଗ ଛୁଇଁବ । ସେତେବେଳେ ପବନ କମି ଘଣ୍ଟା ପ୍ରତି ୮୦ରୁ ୧୦୦ କିମି କିମ୍ବା ଅତି ବେଶିରେ ୧୨୦ କିମି ରହିପାରେ । ୟାସ୍‌ କେନ୍ଦ୍ରାପଡ଼ାର ରାଜନଗର ନିକଟବର୍ତ୍ତୀ ହୋଇ ଚାନ୍ଦବାଲି କିମ୍ବା ଏହାର ପାଖ ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ମଙ୍ଗଳବାର ସକାଳୁ ଜଗତସିଂହପୁରରେ ପବନ ବଢ଼ିବ । ୨୬ ଅପରାହ୍ନରୁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ପବନ ପ୍ରକୋପ ବେଶି ରହିବ । ବର୍ଷା ମଧ୍ୟ ପ୍ରବଳରୁ ପ୍ରବଳତର ହେବା ଆଶଙ୍କା ରହିଛି ।  ତେବେ ଡକ୍ଟର ପଶୁପାଳକ କହିଛନ୍ତି, ୨୫ ସନ୍ଧ୍ୟାରୁ ୨୭ ସକାଳ ଯାଏଁ ପବନର ପ୍ରଭାବ ରହିବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ୱରରେ ଘଣ୍ଟା ପ୍ରତି ୧୬୦ କିମି ଓ ସର୍ବାଧିକ ୧୮୦ କିମି ବେଗରେ ପବନ ମାଡ଼ ହୋଇପାରେ । ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜରେ ୮୦ରୁ ୧୨୦ କିମି ପର୍ଯ୍ୟନ୍ତ ପବନ ଆଶଙ୍କା ଅଛି । 

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର ଓ କେନ୍ଦୁଝରରେ ସମୁଦାୟ ୨୦୦ରୁ ୩୫୦ ମିମି ବର୍ଷା ଆଶଙ୍କା ଅଛି । ପୁରୀ, ନୟାଗଡ଼, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ସମୁଦାୟ ୧୫୦ରୁ ୨୦୦ ମିମି ବର୍ଷା ହୋଇପାରେ । ଭୁବନେଶ୍ୱରରେ ହାରାହାରି ୨୦୦ ମିମି ବର୍ଷିପାରେ ୟସ୍‌ ।

ଆଜିଠୁ ବାତ୍ୟା ପ୍ରଭାବ ଉପକୂଳ ଓଡ଼ିଶାରେ ପଡ଼ିଛି । ବିଭିନ୍ନ ସ୍ଥାନରେ ହାଲୁକା ପବନ ସହ ଝିପିଝିପି ବର୍ଷା ଓ ଅସରାଏ ଲେଖାଏଁ ବର୍ଷା ଚାଲିଛି । ଆଇଏମଡି କହିଛି, ୨୫ ତାରିଖରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ୬୫ରୁ ୭୫ କିମି ପବନ ଓ ପବନ ଧକ୍କା ୮୫ କିମି ହୋଇପାରେ । ଭଦ୍ରକ, ବାଲେଶ୍ୱର, ପୁରୀରେ ୫୫ରୁ ୬୫ କିମି, ବେଳେବେଳେ ୭୫ କିମି ହୋଇପାରେ । କଟକ, ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜରେ ୪୦ରୁ ୫୦ ଓ ସର୍ବାଧିକ ୬୦ କିମି ପବନ ହେବ।

୨୬ (ବୁଧବାର) ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୧୫୦ରୁ ୧୬୦ କିମି ଓ ପବନ ଧକ୍କା ୧୮୦ କିମି ଛୁଇଁପାରେ । ମୟୂରଭଞ୍ଜରେ ୧୨୦ରୁ ୧୫୦ କିମି ପବନ ହୋଇପାରେ । ଯାଜପୁର, କଟକ, ପୁରୀରେ ୭୦ରୁ ୯୦ କିମି ପବନ ହେବ । ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମରେ ୬୦ରୁ ୮୦ କିମି ପବନ ହେବ । ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୬ରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳରେ ପ୍ରବଳରୁ ପ୍ରବଳତର ଓ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହେବ । ୨୫ରେ ପୁରୀରୁ ବାଲେଶ୍ୱର ପର୍ଯ୍ୟନ୍ତ ପ୍ରବଳରୁ ପ୍ରବଳତର ବର୍ଷା ହେବ ।  ସମୁଦ୍ର ଅଶାନ୍ତ ଥିବାରୁ ଧାମରା, ପାରାଦୀପରେ ୪ ନମ୍ବର ବିପଦ ସଙ୍କେତ ଓ ଗୋପାଳପୁର ଓ ପୁରୀରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।

Spread the love