ବାଲେଶ୍ବରରେ ‘ୟାସ୍‌’ର ତାଣ୍ଡବ ଆରମ୍ଭ: ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା କାର୍ଯ୍ୟ ଜାରି

ଜିଲ୍ଲାରୁ ପ୍ରାୟ ଦେଢ଼ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବା ପାଇଁ ଟାର୍ଗେଟ ନିଆଯାଇଥିବା ବେଳେ କାଲି ରାତିଠାରୁ ପ୍ରଭାବିତ ବ୍ଲକ ଭୋଗରାଇ, ବାଲିଆପାଳ, ବସ୍ତା, ସଦର, ରେମୁଣା ଓ ବାହାନଗାର ବିଭିନ୍ନ ବ୍ଲକରୁ ସମୁଦ୍ର କୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନୀୟ ଆଶ୍ରୟସ୍ଥଳୀ ଏବଂ ସୁରକ୍ଷିତ ସ୍ଥାନଗୁଡ଼ିକୁ ସ୍ଥାନାନ୍ତର ଆରମ୍ଭ ହୋଇଛି। ଏବେ ସୁଦ୍ଧା ପାଖାପାଖି ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି।ଆଶ୍ରୟସ୍ଥଳ‌କୁ ଅଣାଯାଉଥିବା‌ ଲୋକମାନଙ୍କୁ ପ୍ରଥମେ ଥର୍ମାଲ ସ୍କାନିଂ କରାଯାଇ ସାନିଟାଇଜ୍‌ କରାଯାଉଛି। ଏହାପରେ ସେମାନଙ୍କୁ ଡବଲ ମାସ୍କ ପ୍ରଦାନ କରାଯିବା ସହ ସାମାଜିକ ଦୂରତା‌ ନିୟମ ମାନି ଆଶ୍ରୟସ୍ଥଳୀରେ ରହିବାକୁ ସତର୍କ କରାଯାଉଥିବା ଦେଖାଯାଇଛି।

ଯଦିଓ ବାଲେଶ୍ବର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ତରଫରୁ ୧୪୦ଟି ବହୁମୁଖୀ ଆଶ୍ରୟସ୍ଥଳୀର ବ୍ୟବସ୍ଥ‌ା ରହିଛି କିନ୍ତୁ କୋଭିଡ ଗାଇଡଲାଇନ ନିୟମ ଦୃଷ୍ଟିରୁ ଅତିରିକ୍ତ ଭାବେ ଆଉ ୧୨ଶହଟି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ସ୍କୁଲଘର ଏବଂ ଅନ୍ୟାନ୍ୟ ସରକାରୀ କୋଠାଘର ରହିଛି। ସେସବୁ ସ୍ଥାନକୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
ବିଶେଷ କରି ୧୩/୧୪ ଫୁଟର ସମୁଦ୍ର ଜୁଆର ମାଡ଼ି ଆସିବାର ଆଶଙ୍କା ରହିଥିବାରୁ ସମୁଦ୍ର କୂଳିଆ ଅଞ୍ଚଳରେ ରହିଥିବା ଚିଙ୍ଗୁଡ଼ିଘେରିର ଶ୍ରମିକମାନଙ୍କୁ ଏବଂ ତଳିଆ ଅଞ୍ଚଳବାସୀଙ୍କୁ ତୁରନ୍ତ ସେ ସ୍ଥାନ ଛାଡ଼ି ନିକଟସ୍ଥ ଆଶ୍ରୟସ୍ଥଳୀକୁ ଅଣାଯାଉଛି। ଉପକୂଳ ଅଞ୍ଚଳରୁ ଚିହ୍ନଟ ହୋଇଥିବା ପ୍ରାୟ ୬୦୦ ଜଣ ପ୍ରସୂତି ମହିଳାଙ୍କୁ ନିକଟସ୍ଥ ପିଏଚସି ଏବଂ ସିଏଚସିଗୁଡ଼ିକୁ ଆଣିବା ପ୍ରକ୍ରିୟା ଜାରି ରହିଛି।

ଏଭଳି ଘଡ଼ିସନ୍ଧି ସମୟରେ ବାତ୍ୟା ମୁକାବିଲା କାର୍ଯ୍ୟ ଦେଖିବା ଲାଗି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ସଚିବ ତଥା ବରିଷ୍ଠ ଆଇଏଏସ୍‌ ବିଶାଲ ଦେବ ଏବଂ ପୂର୍ବାଞ୍ଚଳ ଆଇଜି ଦୀପ୍ତେଶ ପଟ୍ଟନାୟକ ସକାଳେ ବାଲେଶ୍ବର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସହ କଥା ହେବା ପରେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତିି। ସେହିପରି ରାଜ୍ୟ ସରକାରଙ୍କ ଦୁଇମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଧ୍ୟ ବିଭିନ୍ନ ଅଞ୍ଚଳ ବୁଲି ଲୋକମାନଙ୍କୁ କିପରି ସ୍ଥାନାନ୍ତର କରାଯାଉଛି ଏବଂ ଠିକ୍‌ ଭାବେ ଏହି କାର୍ଯ୍ୟ ହେଉଛି କି ନାହିଁ ସେନେଇ ତଦାରଖ କରୁଛନ୍ତି।

 

Spread the love