ଓଡିଆ ଅଧିକାରୀ ଜଗନ୍ନାଥ ବିଦ୍ୟାଧର ମହାପାତ୍ର ହେବେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ଅଧ୍ୟକ୍ଷ

ନୂଆଦିଲ୍ଲୀ ୩୧।୦୫: ପୁଣି ଆଉ ଜଣେ ଓଡିଆଙ୍କୁ କେନ୍ଦ୍ରରେ ମିଳିଛି ଗୁରୁ ଦାୟିତ୍ଵ।  ଓଡିଆ ଅଧିକାରୀ ଜଗନ୍ନାଥ ମହାପାତ୍ର କେନ୍ଦ୍ରୀୟ ପ୍ରତ୍ୟକ୍ଷ କରବୋର୍ଡର ପରବର୍ତ୍ତୀ ଅଧ୍ୟକ୍ଷ ହେବେ । ଜୁନ୍‌ ୧ ତାରିଖରୁ ସେ ଏହି କାର୍ଯ୍ୟଭାର ସମ୍ଭାଳିବେ। ଏବେ ସେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT)ର ସଦସ୍ୟ ଅଛନ୍ତି । ତାଙ୍କୁ ଆସନ୍ତା ତିନିମାସ ପର୍ଯ୍ୟନ୍ତ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ଅଧ୍ୟକ୍ଷ ଥିବା ପ୍ରମୋଦ ଚନ୍ଦ୍ର ମୋଦୀଙ୍କର କାର୍ଯ୍ୟକାଳ ମେ ୩୧ ତାରିଖରେ ଶେଷ ହେଉଛି । ୨୦୧୯ ମସିହା ଫେବ୍ରୁଆରୀ ୧୫ ତାରିଖରେ ପ୍ରମୋଦ ଚନ୍ଦ୍ର ମୋଦୀ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT)ର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।

ମେ ୩୧ ତାରିଖରେ ପ୍ରମୋଦ ଚନ୍ଦ୍ର ମୋଦୀଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାରୁ ସର୍ବସମ୍ମତିକ୍ରମେ ଜଗନ୍ନାଥ ବିଦ୍ୟାଧର ମହାପାତ୍ରଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାୟାଇଛି । ନିୟମିତ ଅଧ୍ୟକ୍ଷ ଚୟନ ହେବା ପର୍ଯ୍ୟନ୍ତ ଜଗନ୍ନାଥ ଏହି କାର୍ଯ୍ୟଭାର ସମ୍ଭାଳିବେ। ଜଗନ୍ନାଥ ବିଦ୍ୟାଧର ମହାପାତ୍ର ୧୯୮୫ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ । ସେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାର ପ୍ରିନ୍ସିପାଲ ଚିଫ୍‌ କମିଶନର ଭାବେ କାର୍ଯ୍ୟଭାର ତୁଲାଇଥିଲେ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT)ରେ ଜଣେ ଅଧ୍ୟକ୍ଷ ଏବଂ ୬ ଜଣ ସଦସ୍ୟ ରହିଛନ୍ତି । ଏଥିରେ ଥିବା ସମସ୍ତ ସଦସ୍ୟଙ୍କ ରାଙ୍କ ସ୍ୱତନ୍ତ୍ର ସଚିବଙ୍କ ପଦବୀ ସହ ସମାନ ।

Spread the love