ବିଜେଡିକୁ ଟାର୍ଗେଟ କରିଛନ୍ତି ଯୋଗୀ ଆଦିତ୍ୟନାଥ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୂରା ଜୀବନ କନ୍ଧମାଳବାସୀଙ୍କ ପାଇଁ ସମର୍ପିତ ଥିଲା। ତାଙ୍କ ସେବା ମନୋଭାବ ଦେଖି ନକ୍ସଲମାନେ ସହି ପାରିନଥିଲେ। ଫୁଲବାଣୀ ଜିଲ୍ଲା କରୋନେସନ ପଡ଼ିଆରେ ଆୟୋଜିତ ସଭାରେ ବିଜେପି ଲୋକସଭା ପ୍ରାର୍ଥୀ ଐର ଖାରବେଳ ସ୍ୱାଇଁଙ୍କ ପାଇଁ ପ୍ରଚାର କରିବାକୁ ଯାଇ ଯୋଗୀ ଆଜି ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସେ ଅହୁରି କହିଛନ୍ତି-“ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସମ୍ଭବକୁ ସମ୍ଭବ କରିଛନ୍ତି। ୫ ବର୍ଷ ତଳେ ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତ ଓ ଶୌଚାଳୟ ନଥିଲା। ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ମୁଣ୍ଡ ଉପରେ ଘର ଛାତ ତିଆରି ହୋଇଛି। ସାଢ଼େ ୯ କୋଟି ଗରିବଙ୍କ ଘରେ ଶୌଚାଳୟ ନିର୍ମାଣ ହୋଇଛି। ସେହିପରି ୭ କୋଟି ଗରିବଙ୍କୁ ଏଲ୍‌ପିଜି ସିଲିଣ୍ଡର ସଂଯୋଗ ଦିଆଯାଇଛି। ୪ କୋଟି ଲୋକଙ୍କୁ ବିଦ୍ୟୁତ ସଂଯୋଗ ଓ ସାଢ଼େ ୧୨ କୋଟି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ଅର୍ଥ ଯୋଗାଇ ଦିଆଯାଉଛି। ଏପରି କାମ କରିବାରେ ବିଜେଡି ଓ କଂଗ୍ରେସ ସଫଳ ହୋଇପାରି ନାହାନ୍ତି।

ମୋଦିଙ୍କ ପାଇଁ ଓଡ଼ିଶାକୁ ଦୁଇଟି ସ୍ମାର୍ଟ ସିଟି ମିଳିଛି। ବିଜେପି ପ୍ରାର୍ଥୀ ଜୁଏଲ ଓରାମଙ୍କ ଉଦ୍ୟମ ଯୋଗୁ ରାଉରକେଲା ଏକ ସ୍ମାର୍ଟ ସିଟିରେ ପରିଣତ ହୋଇପାରିଛି। ରାଉରକେଲାରେ ଏକ ଛୋଟ ଟର୍ମିନାଲ ଥିଲା। ଏହାକୁ ବିକଶିତ କରାଯାଇ ବିମାନବନ୍ଦରରେ ପରିଣତ କରାଯାଇଛି। ଉଡ଼ାନ ଯୋଜନାରେ ଏହି ବିମାନବନ୍ଦରକୁ ଯେତେ ବେଳେ ଅନ୍ୟ ବିମାନବନ୍ଦର ସହିତ ଯୋଡ଼ାଯିବ, ସେତେବେଳେ ହାୱାଇ ପିନ୍ଧୁଥିବା ବ୍ୟକ୍ତି ହାୱାଇ ଯାତ୍ରା କରିବାର ସୁଯୋଗ ପାଇବ। ବ୍ରହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟ ବିଜେପି ନେତୃତ୍ୱର ସରକାର କରୁଛନ୍ତି।”

Spread the love