କିଛି ନ ଜାଣି ଲେଲିନ ବାବୁ ଦେଇଥିବା ଅଳ୍ପ ବିଦ୍ୟାର ଭୟଙ୍କର ଜ୍ଞାନ ହାସ୍ୟାସ୍ପଦ : ଗୋଲକ ମହାପାତ୍ର

ଭୁବନେଶ୍ୱର : ଖଣିଜ ପଦାର୍ଥ ବିକ୍ରି ପ୍ରସଙ୍ଗରେ ଆମ ଦଳର ସାମ୍ବାଦିକ ସମ୍ମିଳନୀ ପରେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଦେଇଥିବା ମତମନ୍ତବ୍ୟରୁ ତାଙ୍କର ଜ୍ଞାନ ବହୁତ କମ୍ ବୋଲି ଜଣାପଡ଼ୁଛି। ଲେଲିନ ବାବୁ ଓଡ଼ିଶା ସରକାରଙ୍କ  ଖଣି ବିଭାଗ ଏବଂ ଖଣି ବିଭାଗର ପ୍ରମୁଖ ସଚିବଙ୍କ ସହ ଏ ପ୍ରସଙ୍ଗରେ କଥା ହୋଇ ଉତର ରଖିଥିଲେ ଭଲ ହୋଇଥାନ୍ତା । ମାତ୍ର କିଛି ନଜାଣି ଅଳ୍ପ ବିଦ୍ୟାର ଯେଉଁ ଭୟଙ୍କର ଜ୍ଞାନ ଦେଇଛନ୍ତି ତାହା ହାସ୍ୟାସ୍ପଦ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ
ମହାପାତ୍ର। ବିଜେପି ସବୁବେଳେ ତଥ୍ୟ ଆଧାରରେ ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଆସିଛି। ଲେଲିନ ବାବୁ ପ୍ରଥମେ ସ୍ପଷ୍ଟ କରନ୍ତୁ, ରାଜ୍ୟର ଖଣି ଅଂଚଳରେ ଦଳ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଛି ଠିକ୍ କି ନାହିଁ ?  ଖଣି ବିଭାଗ ସଚିବ କହିଥିଲେ ଯେ ଖଣିଜ ଦ୍ରବ୍ୟ ନ ଉଠିବା ପଛରେ କରୋନା ମହାମାରୀ କାରଣ ନୁହେଁ। ତେଣୁ ଏମଏମଡିଆର ଆକ୍ଟ ଧାରା ୧୨ ଅନୁସାରେ ୧ ନଭେମ୍ୱର,୨୦୨୦ ସୁଦ୍ଧା ଉଠାଯାଇ ନଥିବା ୧୬.୫ ନିୟୁତ ଟନ ଖଣିଜ ଦ୍ରବ୍ୟ ଉପରେ ରାଜ୍ୟ ସରକାରଙ୍କ ଅଧିକାର ରହିଛି। ଏହାକୁ ରାଜ୍ୟ ସରକାର ନିଜ ଇଚ୍ଛା ମୁତାବକ ବିକ୍ରି କରିପାରିବେ। ନିଜ ଖଣି ବିଭାଗର ସଚିବ ଏକଥା କହିଛନ୍ତି କି ନାହିଁ ଲେଲିନ ବାବୁ ପଚାରି ବୁଝି ଉତର ଦେବେ କି? ୧୦ ହଜାର କୋଟି ଟଙ୍କା ମୂଲ୍ୟର ୧୬.୫ ମିଲିୟନ ମେଟ୍ରିକ୍ ଟନ ଲୁହା ପଥର ଖଣି ଅଂଚଳରେ ବିକ୍ରି ନହୋଇ ପଡ଼ି ରହିଛି ନା ନାହିଁ? ଏହି ଲୁହାପଥର ବିକ୍ରି ହେଲେ ରାଜ୍ୟ ସରକାରଙ୍କର ଲାଭ ହେବ। ରାଜସ୍ୱ ବଢ଼ିବା ସହ କୋଭିଡ୍ ସମୟରେ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଲାଗିବ ।

ତେବେ ଲେଲିନ ବାବୁ କ’ଣ ଚାହୁଁନାହାନ୍ତି ଲୁହା ପଥର ବିକ୍ରି କରାଯାଇ ତାହାର ଅର୍ଥ  ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ଲାଗୁ? ନା ଜାଣି ଜାଣି ପଣସ ଖାଇ ଅନ୍ୟ କାହା ମୁଣ୍ଡରେ ଅଠା ବୋଳିବା ତଥା ରାଜ୍ୟ ତହବିଲକୁ ତଳିତଳାନ୍ତ କରି କେବଳ କେନ୍ଦ୍ର ଉପରେ ଦୋଷ ଲଦିବା ଚେଷ୍ଟା କରୁଛନ୍ତି। ଜଣେ ରାଜନୈତିକ ବ୍ୟକ୍ତି ହୋଇ ମଧ୍ୟ ଗୋଟିଏ ଦଳର ମୁଖପାତ୍ର ଭାବରେ ବିରୋଧୀ ଦଳର ମୁଖ୍ୟ ସଚେତକ  ମୋହନ ମାଝିଙ୍କୁ ନିଜ ଛବି ଗଣମାଧ୍ୟମରେ ବାହାରିବା ପାଇଁ ସେ ମିଛ କହିବା ନିନ୍ଦନୀୟ । ରାଜ୍ୟ ଏବଂ ରାଜ୍ୟବାସୀଙ୍କ ବିକାଶ ପାଇଁ ଲଢ଼ିବା ଯଦି ମିଡ଼ିଆରେ ବାହାରିବା ପାଇଁ ବିଜେପି ଉଦ୍ୟମ କରିବା ଲେନିନ୍ ବାବୁ କହୁଛନ୍ତି ତେବେ ଆମ ଦଳ ପକ୍ଷରୁ ଏହାକୁ ସ୍ୱାଗତ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Spread the love