ସ୍ୱାସ୍ଥ୍ୟ ଭିତିଭୂମିର ଦୟନୀୟ ଚିତ୍ରକୁ ଲୁଚାଇବା ପାଇଁ ଓଡିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର : ଡ.ଲେଖାଶ୍ରୀ

ଭୁବନେଶ୍ୱର : ରାଜ୍ୟର ସ୍ୱାସ୍ଥ୍ୟ ଭିତିଭୂମି ପାଇଁ ଗତକାଲି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୮୫୦୦ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହି ବିପୁଳ ଅର୍ଥ ଅତୀତର ନା ବର୍ତମାନର ନା ଭବିଷ୍ୟତରେ ଖର୍ଚ୍ଚ ହେବ ? ଏତେ ବିପୁଳ ପରିମାଣ ଅର୍ଥର ବ୍ରେକ୍‌ଅପ୍ ତଥା ସଂପୂର୍ଣ୍ଣ ତଥ୍ୟ ରାଜ୍ୟବାସିଙ୍କ ସମ୍ମୁଖରେ ଉପସ୍ଥାପିତ ହେବା ନିହାତି ଆବଶ୍ୟକ। ମୁଖ୍ୟମନ୍ତ୍ରୀ ନିଜ ସ୍ୱପ୍ନରେ ଏଭଳି ଦେଖିଥିବେ ମାତ୍ର ବାସ୍ତବରେ ଏଭଳି କୈାଣସି ଚିତ୍ର ଦେଖିବାକୁ ମିଳୁନାହିଁ ବୋଲି ଡ.ଲେଖାଶ୍ରୀ ସାମନ୍ତସିଂହାର କଟାକ୍ଷ କରି କହିଛନ୍ତି। ଓଡିଶାର ସ୍ୱାସ୍ଥୀ ଭିତିଭୂମି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ । ଏଭଳି ଘୋଷଣା କରି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। କୋଭିଡ୍ ସଂକ୍ରମଣର ୧ମ ଓ ୨ୟ ଲହର ପରିଚାଳନରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ଡାକ୍ତର ଅଭାବ, କୋଭିଡ୍ ପରିଚାଳନରେ ବିଫଳତା, କୋଭିଡ୍ ପୀଡିତ ଏବଂ ମୃତ୍ୟୁ ସଂଖ୍ୟା ଲୁଚାଇବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଧୂଆଁବାଣ। ଏଭଳି ଘୋଷଣା କରି ରାଜ୍ୟ ସରକାର ନିଜ ବିଫଳତାକୁ ଲୁଚାଇବାକୁ “ଡାଇଭର୍ଟ ଷ୍ଟ୍‌୍ରାଟେଜୀ” ଆପଣାଇଛନ୍ତି ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ସହରାଂଚଳ ସମେତ ଗ୍ରାମାଂଚଳରେ ମଧ୍ୟ ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ଓ ସ୍ୱାସ୍ଥ୍ୟ ଭିତିଭୁମି ଅତ୍ୟନ୍ତ ଖରାପ ସ୍ଥିତିରେ ଅଛି ।ରାଜ୍ୟରେ କୋଭିଡ୍ ପରିଚାଳନା ସଂପୂର୍ଣ୍ଣ ଭାବେ ବେସରକାରୀ ଡାକ୍ତରଖାନା ଏବଂ ବିଭିନ୍ନ ରାଷ୍ଟ୍ରାୟତ କଂପାନୀମାନଙ୍କ ସହଯୋଗରେ ପରିଚାଳିତ ହେଉଛି। ରାଜ୍ୟ ସରକାରଙ୍କ ଭୂମିକା କଣ ରହିଛି ବୋଲି ଡ.ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରଙ୍କ ଡାକ୍ତରଖାନରେ ଶଯ୍ୟା, ଅକ୍ସିଜେନ, ଭେଂଟିଲେଟର, ଡାକ୍ତର, ନର୍ସ, ଔଷଧ ଆଦିର ବ୍ୟାପକ
ଅଭାବ ରହିଛି। ସ୍ୱାସ୍ଥ୍ୟସେବା ଭିତିଭୂମିକୁ ଲୁଚାଇବା ପାଇଁ କୋଭିଡ୍ ମୃତ୍ୟୁ ସଂଖ୍ୟା କମ୍ ଦର୍ଶାଉଛନ୍ତି । ସମଗ୍ର ଦେଶରେ କୋଭିଡ୍ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ରାଜ୍ୟରେ ଏହା ଅତ୍ୟନ୍ତ ମନ୍ଥର ଗତି ଦେଇ ଗତି କରୁଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି। ରାଜ୍ୟରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସର୍ବମୋଟ ଯୋଗଦାନ ୫୦୦ କୋଟି ଟଙ୍କାରୁ ଅଧିକ ନୁହେଁ। ରାଜ୍ୟରେ ନିର୍ମିତ ସମସ୍ତ ମେଡିକାଲ କଲେଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୫୦–୫୦ ସହଭାଗିତା ଆଧାରରେ ପ୍ରତିଷ୍ଠା ହେଉଛି । ତଥାପି ନିର୍ମାଣ କାର୍ଯ୍ୟ ସମାପ୍ତ କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ରାଜ୍ୟସରକାରଙ୍କ କୈାଣସି ମେଡିକାଲ କଲେଜ କିମ୍ବା ଡାକ୍ତରଖାନାରେ ନିଜସ୍ୱ ଅକ୍ସିଜେନ ପ୍ଲାଂଟ ନାହିଁ। ନିଜ
ରାଜ୍ୟରେ ଅକ୍ସିଜେନ ଅଭାବ କାରଣରୁ କୋଭିଡ୍ ରୋଗୀ ମୃତ୍ୟୁବରଣ କରୁଥିବାବେଳେ ଅନ୍ୟ ରାଜ୍ୟକୁ ଅମ୍ସିଜେନ ଦେଇ ମୁଖ୍ୟମନ୍ତ୍ରୀ କେବଳ ବାଃବାଃ ସାଉଁଟିବାରେ ବ୍ୟସ୍ତ ଥିଲେ । ଟେକ୍ନିକାଲ ଷ୍ଟାଫ ଅଭାବ କାରଣରୁ ବହୁ ଭେଂଟିଲେଟର ଅଚଳ ହୋଇ ପଡି ରହିଥିବା ପରିଲକ୍ଷିତ ହୋଇଛି ଏବଂ ଏହି କାରଣରୁ ବହୁ ଅମୂଲ୍ୟ ଜୀବନ ହାନି ଘଟିଛି ବୋଲି ଡ.ଲେଖାଶ୍ରୀ
ଅଭିଯୋଗ କରିଛନ୍ତି। ରାଜ୍ୟରେ ବ୍ୟାପକ ମାତ୍ରାରେ ନକଲି ଔଷଧ କାରବାର ବେଧଡକରେ ଚାଲିଛି ଏବଂ ଏହି କାରବାରରେ ଶାସକ ବିଜେଡିର ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହାତ ରହିଛି। ଡ୍ରଗ୍ସ୍ ଆଣ୍ଡ କସମେଟିକ ଆଇନ ଅନୁଯାୟୀ ବେଆଇନ ଔଷଧ କାରବାର ପାଇଁ ପୋଲିସ ତଦନ୍ତ କରିବାର ବ୍ୟବସ୍ଥା ନାହିଁ। ଏହା ସଂପୂର୍ଣ୍ଣ ଭାବେ ଡ୍ରଗ୍ସ କଂଟ୍ରୋଲର ଅଧିନରେ। ନିଜ ଅପାରଗତା ଏବଂ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ଆଇନର ଉର୍ଦ୍ଧ୍ୱକୁ ଯାଇ କ୍ରାଇମବ୍ରାଂଚ ଦ୍ୱାରା ଏହାର ତଦନ୍ତ କରାଉଛନ୍ତି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ଲୋକସଂଖ୍ୟା ଆଧାରରେ ଓଡିଶାରେ ପର୍ଯ୍ୟାପ୍ତ ଡାକ୍ତର ନାହାନ୍ତି। ଜାତୀୟ ହାରରୁ ବହୁ କମ୍ ଡାକ୍ତର ଓଡିଶାରେ ଅଛନ୍ତି। କେବଳ ୮୫୦୦କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି କେବଳ ଘୋଷଣା କରି ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ରାଜ୍ୟବାସିଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ହସ୍ପିଟାଲ ନିର୍ମାଣ; ଅକ୍ସିଜେନ ପ୍ଲାଂଟ ସ୍ଥାପନ; ନୂତନ ଭେଂଟିଲେଟର କ୍ରୟ; ଡାକ୍ତର, ନର୍ସ, ଟେକି୍ନକାଲ ଷ୍ଟାଫ ନିଯୁକ୍ତି ଆଦି କେଉଁ ଭିତିଭୂମି ପାଇଁ କେତେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ?ଏହାର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ତୁରନ୍ତଦେବା ନିହାତି ଆବଶ୍ୟକ ବୋଲି ଡ.ଲେଖାଶ୍ରୀ ଦାବି କରିଛନ୍ତି ।

Spread the love