କେଉଁ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା ଅଧିକ କାମୁଡିଥାଆନ୍ତି, ଜାଣନ୍ତୁ…

ଭୁବନେଶ୍ବର: ଆପଣକୁ କେବେ କେବେ ମଶା ତ କାମୁଡିଥିବେ ନିଶ୍ଚୟ । ବେଳେ ବେଳେ ଏମିତି ବି ହୋଇଥାଏ ମଶାମାନେ ଆପଣଙ୍କୁ କାମୁଡୁଥିବେ କିନ୍ତୁ ଆପଣଙ୍କ ପାଖରେ ଥିବା ଲୋକକୁ କାମୁଡୁନଥିବେ । ସେତେବେଳେ ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଥାନ୍ତି । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ । ଏକ ଗବେଷଣାରୁ ଜଣାପଡିଛି ଯେ, ମଶାମାନେ ଲୋକମାନଙ୍କୁ କାମୁଡିବାରେ ମଧ୍ୟ ସେମାନଙ୍କ ପ୍ରାଥମିକତା ବା ଚଏସ୍ ରଖିଥାନ୍ତି । କେଉଁମାଙ୍କୁ କାମୁଡିବେ ଆଉ କେଉଁମାନଙ୍କୁ ନୁହେଁ । ତେବେ ଆସନ୍ତୁ ଜାଣିବା କାହାକୁ ବେଶୀ ମଶା କାମୁଡିଥାଆନ୍ତି ।
ମଶାମାନେ ନିଜ ଖାଦ୍ୟ ପାଇଁ ମନୁଷ୍ୟ ଶରୀରୁ ରକ୍ତ ଶୋଷି ନଥାନ୍ତି । ମାଈ ମଶା ଲୋକମାନଙ୍କୁ କାମୁଡିଥାନ୍ତି କାରଣ ସେମାନେ ମନୁଷ୍ୟ ରକ୍ତରୁ ପ୍ରୋଟିନ୍ ସଂଗ୍ରହ କରି ଅଣ୍ଡା ସୃଷ୍ଟି କରି ସେଥିରୁ ଅଧିକ ମଶା ଛୁଆ କରିଥାନ୍ତି । ୮୫ପ୍ରତିଶତ ଲୋକଙ୍କୁ ବଂଶାନୁକ୍ରମିକ କାରଣରୁ ମଶା କାମୁଡିଥାଏ ।
କିଛି ବ୍ଲଡ୍ ଗ୍ରୁପର ଲୋକଙ୍କ ରକ୍ତ ଅନ୍ ମାନଙ୍କ ତୁଳନାରେ ମିଠା ହୋଇଥାଏ । ଏକ ଗବେଷଣାରୁ ଜଣାପଡିଛି ଯେ ‘ଓ’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା କାମୁଡିବାର ସମ୍ଭାବନା ୮୩ ପ୍ରତିଶତରୁ ଅଧିକ ଅଛି । ସେହିଭଳି ‘ଏ’ ବ୍ଲଡ ଗ୍ରୁପର ଲୋକଙ୍କୁ ମଶା କମ୍ କାମୁଡିବାର ସମ୍ଭାବନା ରହିଥିବାବେଳେ ‘ବି’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା ମଧ୍ୟମ ଭାବେ କାମୁଡିଥାନ୍ତି ।
ଆପଣଙ୍କ ଶରୀର ଯଦି ମୋଟା ହୋଇଥାଏ ତେବେ ଆପଣଙ୍କୁ ମଶାମାନେ ଅଧିକ କାମୁଡିଥାନ୍ତି । ମୋଟା ଲୋକ ନିଶ୍ବାସରେ ଅଧିକ କାର୍ବନ ଡାଇଅକ୍ସାଇଡ ଛାଡିଥାନ୍ତି । କାର୍ବନ ଡାଇଅକ୍ସାଇଡକୁ ମଶାମାନେ ସହଜରେ ଜାଣିପାରିଥାନ୍ତି । ୫୦ ମିଟର ଦୂରରୁ ସେମାନେ କାର୍ବନ ଡାଇଅକ୍ସାଇଡକୁ ଜାଣିପାରିଥାନ୍ତି । ବୟସ୍କ ଲୋକ ଅଧିକ କାର୍ବନ ଡାଇଅକ୍ସାଇଡ୍ ଛାଡିଥାନ୍ତି ଫଳରେ ଛୁଆଙ୍କ ଅପେକ୍ଷା ବୟସ୍କ ଲୋକଙ୍କ ପାଖକୁ ମଶା ଅଧିକ ଯାଇଥାନ୍ତି । ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ମଶା କାମୁଡିଥାନ୍ତି ।

ଗର୍ଭବତୀ ମହିଳାଙ୍କୁ ମଶା ଅଧିକ କାମୁଡିଥାନ୍ତି । କାରଣ ସେମାନଙ୍କ ନିଶ୍ବାସରେ ଅଧିକ କାର୍ବନ ଡାଇଅକ୍ସାଇଡ୍ ଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଜଣେ ସାଧାରଣ ମହିଳା ତୁଳନାରେ ଗର୍ଭବତୀ ମହିଳା ୨୧ ପ୍ରତିଶତ ଅଧିକ କାର୍ବନ ଡାଇଅକ୍ସାଇଡ୍ ଛାଡିଥାନ୍ତି ।

ଲାକଟିକ୍ ଏସିଡ୍ ମଶାମାନଙ୍କୁ ବେଶୀ ଆକୃଷ୍ଟ କରିଥାଏ । ଯାହାକି ଅଧିକ କାମ କରିବା ଦ୍ବାରା ଝାଳ ଦ୍ବାରା ନିର୍ଗତ ହୋଇଥାଏ । ଯଦି ଆପଣ ଦୌଡିବା ପାଇଁ ବାହାରକୁ ଯାଉଛନ୍ତି କି ଜିମ୍ ଯାଉଛନ୍ତି ତେବେ ଆପଣଙ୍କୁ ଅଧିକ ମଶା କାମୁଡିବାର ସମ୍ଭାବନା ଥାଏ ।
ମଦ ପିଇବା ଦ୍ବାରା ଶରୀରର ପାଚନକ୍ରିୟା ଏବଂ ଶରୀରର ଉସ୍ମତା ବୃଦ୍ଧି ପାଇଥାଏ । ଫଳରେ ମଶାମାନେ ସେମାନଙ୍କୁ ଅଧିକ କାମୁଡିଥାନ୍ତି ଯେଉଁମାନେ ମଦ ପିଇଥାନ୍ତି ।
ମଶାମାନେ ନିଜର ଶୀକାର ଖୋଜିବା ପାଇଁ ଦୃଷ୍ଟିଶକ୍ତିର ମଧ୍ୟ ଉପଯୋଗ କରିଥାନ୍ତି । ଲାଲ୍ ରଙ୍ଗ ଏକ ପ୍ରମୁଖ ରଙ୍ଗ ଦୃଷ୍ଟିକୁ ଆକର୍ଷଣ କରିବାପାଇଁ ।କଳା ଏବଂ ବ୍ଲୁ ଭଳି ଗାଢ ରଙ୍ଗ ମଧ୍ୟ ଅଧିକ ଆକୃଷ୍ଟ କରିଥାଏ । ତେଣୁ ଯଦି ଆପଣ ଗାଢ ରଙ୍ଗର ପୋଷାକ ପିନ୍ଧୁଛନ୍ତି ତେବେ ମଶାମାନେ ଆପଣଙ୍କୁ ଅଧିକ କାମୁଡିବେ ।

ଯେଉଁମାନଙ୍କ ଶରୀରରେ ଅଧିକ ଲାକଟିକ୍ ଏସିଡ୍, ୟୁରିକ୍ ଏସିଡ୍ ଉତ୍ପାଦିତ ହୋଇଥାଏ ସେମାନଙ୍କୁ ମଶାମାନେ ଅଧିକ କାମୁଡିଥାନ୍ତି । ଷ୍ଟେରୋଏଡ୍ ଏବଂ କୋଲେଷ୍ଟେରଲ ଅଧିକ ରହିଥିଲେ ମଧ୍ୟ ଅଧିକ ମଶା କାମୁଡିଥାନ୍ତି ।

Spread the love