କାଢ଼ାର ପାର୍ଶ୍ୱ ପ୍ରତିକ୍ରିୟା: କରୋନାରୁ ବଞ୍ଚିବାକୁ ପିଉଥିଲେ, ହେଲେ ଏବେ ଅନ୍ୟ ରୋଗରେ ପୀଡ଼ିତ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ଏଡାଇବା ପାଇଁ ଅନେକ ଲୋକ ପ୍ରତିଦିନ କାଢ଼ା ସେବନ କରିବା ପୂର୍ବରୁ ଆରମ୍ଭ କରି ଦେଇଛନ୍ତି। କାଢ଼ା ସେବନ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ ବୋଲି କୁହାଯାଏ। ଆହୁରି ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ କରୋନା ଭୟରେ ବହୁ ପରିମାଣରେ କାଢ଼ା ସେବନ କରୁଛନ୍ତି। ତେବେ କୌଣସି ବି ଜିନିଷ ଅତ୍ୟଧିକ ମାତ୍ରାରେ ସେବନ କରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ଠିକ ସେହିଭଳି ଅଧିକ କାଢ଼ା ସେବନ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ। ଅତ୍ୟଧିକ କାଢ଼ା ସେବନ କରି କିଛି ଲୋକ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଅଧିକ କାଢ଼ା ସେବନ ଦ୍ୱାରା କୋଷ୍ଠକାଠିନ୍ୟ ଓ ମଳଦ୍ୱାରରେ ଘା’ ସମସ୍ୟା ସାମ୍ନାକୁ ଆସିଛି। ଡାକ୍ତର ବି କହିଛନ୍ତି ଯେ ଅଧିକ କାଢ଼ା ସେବନର ଅନେକ କୁପ୍ରଭାବ ରହିଛି। ଚିକିତ୍ସକଙ୍କ ପରାମର୍ଶ ବିନା କାଢ଼ା ସେବନ ଠିକ୍ ନୁହେଁ ବୋଲି ଡାକ୍ତରମାନେ କହିଛନ୍ତି।

ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଜଣେ ମହିଳା ଚିକିତ୍ସା ପାଇଁ ଦିଲ୍ଲୀର ମୁଲଚାନ୍ଦ ହସ୍ପିଟାଲରେ ପହଞ୍ଚିଥିଲେ। ଗତ ଚାରି ଦିନ ହେଲା ତାଙ୍କୁ ମଳତ୍ୟାଗ କରିବାରେ ଅସୁବିଧା ହେଉଥିଲା ଏବଂ ରକ୍ତସ୍ରାବ ଜନିତ ସମସ୍ୟା ମଧ୍ୟ ହେଉଥିଲା। କାଉନସେଲିଂରେ ରୋଗୀ ଡାକ୍ତରଙ୍କୁ କହିଥିଲେ ଯେ ସେ ତିନିମାସ ହେଲା ପ୍ରତିଦିନ ଚାରିରୁ ପାଞ୍ଚ ଗ୍ଲାସ୍ କାଢ଼ା ପିଉଛନ୍ତି। କିଛି ସପ୍ତାହ ପରେ ତାଙ୍କ ପେଟରେ ଜ୍ବଳନ ହୋଇଥିଲା। ମହିଳାଙ୍କ ଅପରେସନ କରାଯାଇ ଉପଚାର କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁଲଚାନ୍ଦ ହସ୍ପିଟାଲର ଡାକ୍ତର ସଚିନ ଆମ୍ୱେକର କହିଛନ୍ତି ଯେ ଗତ କିଛି ମାସ ହେଲା ତାଙ୍କ ଓପିଡିକୁ ନିୟମିତ ଏହିଭଳି ୪-୫ ରୋଗୀ ଆସୁଛନ୍ତି, ଯେଉଁମାନେ କୋଷ୍ଠକାଠିନ୍ୟରେ ପୀଡିତ। ଏମାନଙ୍କ ମଧ୍ୟରୁ କିଛି କୋଭିଡରେ ଆକ୍ରାନ୍ତ ଥିଲେ ଓ ଆଉ କିଛି କୋଭିଡକୁ ଏଡ଼ାଇବା ପାଇଁ ଅଧିକ ମାତ୍ରାରେ କାଢ଼ା ସେବନ କରୁଥିଲେ। ଆଉ କିଛି ଭିଟାମିନ ସି ଓ ଡି ଔଷଧ ମଧ୍ୟ ସେବନ କରିଥିଲେ। ଡାକ୍ତର ସଚିନ କହିଛନ୍ତି, ଅନେକ ଲୋକ ସୋସିଆଲ ମିଡ଼ିଆ ଗ୍ରୁପରେ ଆସୁଥିବା ମେସେଜ ଦେଖି ବିନା ଡାକ୍ତରଙ୍କ ପରାମର୍ଶରେ ଏହିସବୁ ସେବନ କରୁଥିଲେ ଓ ନିଜ ଚିକିତ୍ସାରେ ଲାଗିଥିଲେ। ଡାକ୍ତର କହିଛନ୍ତି ଅଧିକ କାଢ଼ା ପେଟ ଓ ଅନ୍ତନଳୀର ଛିଦ୍ରକୁ ଶୁଖାଇ ଦେଇଥାଏ। ଏହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ହୋଇଥାଏ ଓ ତାହା ଅଧିକ ଗୁରୁତର ରୋଗର କାରଣ ପାଲଟିଯାଏ।

Spread the love