ରଥଯାତ୍ରା ବେଳେ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ମହାପ୍ରଭୁଙ୍କ ରଥଯାତ୍ରାକୁ ଆଉ ୩ ଦିନ ରହିଲା। ତାହା ପୂର୍ବରୁ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲରେ ହୋଇଥିବା ଏହି ଶେଷ ସମନ୍ୱୟ ବୈଠକରେ ସୂଚାରୁ ରୂପେ ନୀତିକାନ୍ତି ସମାପନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରଥଯାତ୍ରା ବେଳେ କୋଭିଡ୍‌ ଗାଇଡଲାଇନ୍‌ ପାଳନ କରିବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ଓ ରଥଯାତ୍ରାର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି।

ଆଜିର ବୈଠକରେ ଆଇନ୍‌ ପ୍ରତାପ ଜେନା, ଗଣଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ପୁଲିସ ଡିଜି ଅଭୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍‌ପି କନୱର ସିଂହ ପ୍ରମୁଖ ସାମିଲ ଥିଲେ। ସେପଟେ ବିନା ଭକ୍ତରେ ଦ୍ୱିତୀୟ ଥର ପାଇଁ ପୁରୀରେ ହେବାକୁ ଯାଉଛି ଶ୍ରୀଜିଉଙ୍କ ରଥଯାତ୍ରା। ସେଥିପାଇଁ ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତ, ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଆଜିଠାରୁ RTPCR କୋଭିଡ୍‌ ଟେଷ୍ଟ କରାଯାଉଛି।

ରଥଯାତ୍ରା ସମୟରେ ପୁରୀରେ ହେବ ଗ୍ରୀନ ଜୋନ୍। ଗୁଣ୍ଡିଚା ମନ୍ଦିର ଚାରିପଟେ କଡା ସୁରକ୍ଷ ବ୍ୟବସ୍ଥା ରହିବ। ସେପଟେ ଆଜି ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ହରିତାଳ, ହିଙ୍ଗୁଳ, କଳା, ଧଳା, ନାଲି ଭଳି ପାରମ୍ପରିକ ରଙ୍ଗରେ ସଜେଇ ହେବେ ଶ୍ରୀଜିଉ। ଆସନ୍ତାକାଲି ନବଯୌବନ ଦର୍ଶନ ରହିଛି। ତେବେ କୋଭିଡ କଟକଣା ଯୋଗୁ ଏଥର କୌଣସି ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ନାହିଁ।

Spread the love