ରବିବାରଠୁ ପୁରୀରେ କର୍ଫ୍ୟୁ, କାଲି ଲାଗୁ ହେବନି ଶଟଡାଉନ୍‌

ପୁରୀ : ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ନୂଆ ରୂପରେ ଝଟକୁଛନ୍ତି ମହାପ୍ରଭୁ। ଆସନ୍ତା ସୋମବାର ରଥ ଯାତ୍ରା। ଏହାକୁ ଆଖି ଆଗରେ ରଖି ରବିବାର ରାତ୍ର ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀରେ କର୍ଫ୍ୟୁ ବଳବତ୍ତର ରହିବ । ୨ ଦିନ କର୍ଫ୍ୟୁ ଲାଗିବାକୁ ଥିବାରୁ ଆସନ୍ତାକାଲି ଅର୍ଥାତ ଶନିବାର ଶଟଡାଉନ୍‌ କଟକଣା ପୁରୀରେ ଲାଗୁ ହେବ ନାହିଁ। ମହାପ୍ରଭୁଙ୍କର ନବଯୌବନ ଦର୍ଶନ ବେଶ ଦର୍ଶନ କରି ଭକ୍ତ କୋଟି ପୁଣ୍ୟ ପାଇଥାଏ ବୋଲି ବିଶ୍ୱାସ ରହିଛି । ତେବେ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ଆଜି ସକାଳୁ ଚକାଅପସର ନୀତି କରାଯିବା ପରେ ମଙ୍ଗଳଆରତୀ ଅବକାଶ ପରେ ଦଶଅବତାର ଠାକୁର ବାହୁଡା ବିଜେ କରିବେ । ତାପରେ ନବଯୌବନ ଦର୍ଶନ ବିଧି ରହିଛି । ସର୍ବାଙ୍ଗ ଓ ବନ୍ଦାପନା ପରେ ନେତ୍ରୋତ୍ସବ ବନ୍ଦାପନା କରାଯିବ ।
ଦୀର୍ଘ ୧୫ଦିନ ପରେ ପତିତପାବନଙ୍କୁ ଦେଖିବାର ସୁଯୋଗ ପାଇବେ ଭକ୍ତ । ଯେହେତୁ ଚତୁଦ୍ଧାମୁରତୀଙ୍କୁ ଦର୍ଶନ ନାହିଁ, ଆଖିପୁରାଇ ପତିତପାବନଙ୍କ ଦର୍ଶନ କରିବେ ଭକ୍ତ । ଅନ୍ୟପଟେ ଗତକାଲି ଚତୁର୍ଦ୍ଦଶୀ ତିଥିରେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେନୀତି ସମାପନ ହୋଇଛି । ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଖଡ଼ି ପ୍ରସାଦ ଲାଗି ପରେ ପୂର୍ଣ୍ଣ ଅଣସର ଗୁପ୍ତ ସେବା ନୀତି ଶେଷ ହୋଇଛି । ଏପଟେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥ କନା ମୁଣ୍ଡଣି କାର୍ଯ୍ୟ କରାଯାଉଛି । ଏନେଇ ବିନାୟକ ଦାସମହାପାତ୍ର କହିଛନ୍ତି, ସମସ୍ତ ନିତୀକାନ୍ତି ଶୃଙ୍ଖଳାର ସହ ଚାଲିଛି। ମହାପ୍ରଭୁଙ୍କ ଘୋଷଯାତ୍ରା ସୁରୁଖୁରୁରେ କିପରି ହେବ, ମହାପ୍ରଭୁ କିପରି ରତ୍ନ ସିଂହାସନକୁ ଫେରିବେ ସେଥିପାଇଁ ସମସ୍ତେ ପ୍ରାଣପଣେ ଲାଗିଛନ୍ତି

Spread the love