୨୦୨୨ ସୁଦ୍ଧା ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ, ୦୯/୦୭: ବଢିବ ଜମ୍ମୁ-କାଶ୍ମୀରର ବିଧାନସଭା ଆସନ ସଂଖ୍ୟା । ଆସନ୍ତା ବର୍ଷ ସୁଦ୍ଧା ଶେଷ ହେବ ନିର୍ବାଚନ । ଜମ୍ମୁ-କାଶ୍ମୀରରେ ସୀମା ପୁନର୍ଗଠନ କମିଶନଙ୍କ ଚାରିଦିନିଆ ଗସ୍ତ ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ ଚନ୍ଦ୍ରା ଏନେଇ ସୂଚନା ଦେଇଛନ୍ତି ।

ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ, ପିଓକେରେ ଥିବା ୨୪ଟି ଆସନ ଖାଲି ରହିବ । ସୀମା ପୁନର୍ଗଠନ ଆସନ୍ତା ବର୍ଷ ମାର୍ଚ୍ଚ ୫ ସୁଦ୍ଧା ଶେଷ ହୋଇଯିବ । ପ୍ରଥମ ପୂର୍ଣ୍ଣ ସୀମା ପୁନର୍ଗଠନ ଆୟୋଗ ୧୯୮୧ରେ ସ୍ଥାପିତ ହୋଇଥିଲା ।ଯାହାକୁ ୧୯୮୧ ଜନଗଣନା ଆଧାରରେ ଗଠନ କରାଯାଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୯୯୫ରେ ଜମ୍ମୁ-କାଶ୍ମୀରରେ ୧୨ଟି ଜିଲ୍ଲା ଥିଲା । ଯାହା ଏବେ ୨୦ରେ ପହଁଚିଛି । ୫୮ଟି ତହସିଲକୁ ବୃଦ୍ଧି କରାଯାଇ ୨୭୦ କରାଯାଇଛି । ୧୨ ଜିଲ୍ଲାରେ ନିର୍ବାଚନ ମଣ୍ଡଳୀର ସୀମାକୁ ଜିଲ୍ଲା ସୀମାଠୁ ଆଗକୁ ନିଆଯାଇଥିଲା ।ଏପରିକି ତହସିଲଗୁଡିକ ମଧ୍ୟ ପରସ୍ପରକୁ ଲାଗି ରହିଛି । ଯାହା ଫଳରେ ଲୋକଙ୍କୁ ନାନା ସମସ୍ୟାର ସାମ୍ନା କରିବାକୁ ପଡୁଛି । ସମସ୍ତ ଦାବି ଓ ପ୍ରସ୍ତାବକୁ ଧ୍ୟାନରେ ରଖି ସୀମା ପୁନର୍ଗଠନ ହେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଂଜନା ପ୍ରକାଶ ଦେସାଇ କେନ୍ଦ୍ରଶାସିତ ପ୍ରଦେଶର ସୀମା ପୁନର୍ଗଠନ ପ୍ରସଙ୍ଗରେ ଗତ ୬ ତାରିଖରେ ଶ୍ରୀନଗରରେ ପହଁଚିଥିଲେ । ସୀମା ପୁନର୍ଗଠନ ଆୟୋଗ ୪ ଦିନିଆ ଜମ୍ମୁ-କାଶ୍ମୀର ଗସ୍ତରେ ଗୁରୁବାର ଅନେକ ରାଜନୈତିକ ଦଳକ ନେତା ଓ ନାଗରିକ ସମାଜ ସହ ଆଲୋଚନା କରିଥିଲେ ।

Spread the love