ଆଇପିଏଲ ୨୦୨୨ରେ ପୁଣେ ନୁହେଁ ଲକ୍ଷ୍ନୌ ହେବ ଦଶମ ଟିମ୍ ! ନବମରେ ଅଛି ଏହି ସହର, ଫ୍ରାଞ୍ଚାଇଜଙ୍କ ପର୍ସକୁ ଆସିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ ୧୨।୦୭: କିଛି ଦିନ ପୂର୍ବେ ଖବର ଆସିଥିଲା ଯେ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୨ରେ ଦୁଇଟି ନୂତନ ଦଳ ସାମିଲ୍ କରିପାରେ। ଅର୍ଥାତ ୨୦୨୨ ଆଇପିଏଲ୍‌ରେ ୮ ଟି ଜାଗାରେ ୧୦ ଦଳ ଅଂଶ ଗ୍ରହଣ କରିବେ। ଫ୍ରାଞ୍ଚାଇଜି ସହ ଆଉ ୫୦ ଖେଳାଳି ସାମିଲ ହେବେ। ଏହି ଦୁଇ ଦଳ କିଏ ରହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଗୋଟିଏ ଦଳ କିଏ  ତାହା ପ୍ରାୟତଃ ସ୍ପଷ୍ଟ ହୋଇ ସାରିଛି। ଆଉ ସେହି ଦଳ ହେଉଛି ଅହମ୍ମଦାବାଦ। ଦ୍ଵିତୀୟ ଟିମକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।

କିଛି ଲୋକଙ୍କ କହିବା କଥା ଦଶମ ଟିମ୍ ପୁଣେ ହୋଇପାରେ। ଏହା ମଧ୍ୟରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଓପନର ଆକାଶ ଚୋପ୍ରା ଆଇପିଏଲ ୨୦୨୨ର ଦଶମ ଦଳକୁ ନେଇ ଭବିଷ୍ୟତବାଣୀ କରିଛନ୍ତି। ତାଙ୍କ ଅନୁଯାୟୀ, ଦଶମ ଦଳ ପୁଣେ ନୁହେଁ ବରଂ ଉତ୍ତର ପ୍ରଦେଶ ହେବ। ଯାହାର ହୋମ ଗ୍ରାଉଣ୍ଡ ଲକ୍ଷ୍ନୌ ସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ୍ ଷ୍ଟାଡିୟମ ରହିବ।

ଆକାଶ ଚୋପ୍ରା ନିଜର ୟୁଟ୍ୟୁବ୍ ଚ୍ୟାନେଲ୍‌ ଉପରେ କହିଛନ୍ତି, ଦୁଇ ନୂତନ ଦଳ ଆଇପିଏଲ୍‌ରେ ସାମିଲ ହେବେ। ଚାରି ଖେଳାଳିଙ୍କୁ ଫ୍ରାଞ୍ଚାଇଜି ରିଟେନ୍ କରି ପାରିବେ। ଏଥିରୁ ତିନିରୁ ଅଧିକ ଭାରତୀୟ ଖେଳାଳି ହୋଇ ପାରିବେ ନାହିଁ। ସେହି ପରି ଏହି ଚାରି  ଖେଳାଳିଙ୍କ ମଧ୍ୟରୁ ଦୁଇରୁ ଅଧିକ ବିଦେଶୀ ଖେଳାଳି ହୋଇ ପାରିବେ ନାହିଁ।

ଆକାଶ ଚୋପ୍ରା ଏହା ମଧ୍ୟ କହିଛନ୍ତି, ଆଇିଏଲ୍ ୨୦୨୨ ଟୁର୍ଣ୍ଣାମେଣ୍ଟ ୯୦ ମ୍ୟାଚ୍‌ର ହେବ। ଏହା ପୂର୍ବରୁ ଖେଳାଳିଙ୍କ ମେଗା ନିଲାମ ହେବ। ଏହି ନିଲାମରେ ଫ୍ରାଞ୍ଚାଇଜିଙ୍କ ଖର୍ଚ୍ଚ କରିବାର ସୀମାକୁ ମଧ୍ୟ ବଢାଇ ଦିଆଯାଇଛି। ଏଥର ଫ୍ରାଞ୍ଚାଇଜିଙ୍କ ପର୍ସରେ ଅଧିକ ୫ କୋଟି ଟଙ୍କା ରହିବ। ଏହାର ଅର୍ଥ ଏବେ ୮୫ କୋଟି ଜାଗାରେ ଫ୍ରାଞ୍ଚାଇଜି ଖେଳାଳିଙ୍କୁ କିଣିବା ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ କରି ପାରିବେ। ଫ୍ରାଞ୍ଚାଇଜିକୁ ଅତି କମରେ ୭୫ ପ୍ରତିଶତ ଧନରାଶି ଖର୍ଚ୍ଚ କରିବାକୁ ପଡିବ। ଯଦି ଏଥିରୁ କମ ଖର୍ଚ୍ଚ କରନ୍ତି ତେବେ ଫ୍ରାଞ୍ଚାଇଜଙ୍କଠୁ ଟଙ୍କା କାଟି ନିଆଯିବ।

Spread the love