ପ୍ରଦର୍ଶନ ମାପଦଣ୍ଡରେ ରାଜ୍ୟରେ ନବୀନ ସରକାର ଫେଲ୍ ମାରିଛନ୍ତି : ତରୁଣ ଚୁଗ୍

ଭୁବନେଶ୍ୱର : ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ କପି ପେଷ୍ଟ କରି ନିଜର ଆତ୍ମ ପ୍ରଚାର କରୁଛନ୍ତି । କେନ୍ଦ୍ରୀୟ ଅର୍ଥରେ ନିଜ ପୋଷ୍ଟର ମାରି ବାହା ବାହା ନେଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଚାଷୀ ସମସ୍ୟା ଦେଖାଦେଇଛି । ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ରାଜ୍ୟ ସରକାର ଚାଷୀମାନଙ୍କୁ ଅଣଦେଖା କରୁଛନ୍ତି । ରବି ଓ ଖରିଫ ଫସଲରେ ଚାଷୀଙ୍କ ଠାରୁ ଧାନ କିଣିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ରାଜ୍ୟରେ ନବୀନ ସରକାରଙ୍କ ଆଳସ୍ୟ, ଭ୍ରଷ୍ଟାଚାର ଓ ଉଦାସୀନତା ସ୍ପଷ୍ଟ ଜଣାପଡୁଛି । ଶାସକ ଦଳ ଭାବୁଛି କି, ୨ ଦଶନ୍ଧିର ଶାସନ ପୀଢି ପର୍ଯ୍ୟନ୍ତ ଚାଲିବ । ପ୍ରଦର୍ଶନ ମାପଦଣ୍ଡରେ ରାଜ୍ୟରେ ନବୀନ ସରକାର ଫେଲ୍ ମାରିଛନ୍ତି । ନବୀନ ସରକାରଙ୍କ ଶାସନରେ ଓଡିଶାର ଜନତା ଅତିଷ୍ଠ ହୋଇପଡିଲେଣି । ଯୁବକ ମାନଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ରାଜ୍ୟ ସରକାର ଦୃଢ ପଦକ୍ଷେପ ନେବା କଥା ା କିନ୍ତୁ ତାହା ଓଡିଶାରେ ଦେଖିବାକୁ ମିଳିଲା ନାହିଁ । ଶିଳ୍ପ ଓ କୃଷି କ୍ଷେତ୍ର ପରି ସମସ୍ତ ବର୍ଗର ଲୋକମାନେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ଓଡିଶାର ବିକାଶରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । କିନ୍ତୁ ବିଜେପି ସବୁବେଳେ ଲୋକଙ୍କ ସାଙ୍ଗରେ ରହି ସେମାନଙ୍କ ସମସ୍ୟା ପାଇଁ ମୁଖ୍ୟ ବିରୋଧୀ ଦଳ ଭାବେ ଲଢେଇ କରୁଛି । ବିଜେପି ଲୋକଙ୍କ ପାଖରେ ପହଂଚି ସେମାନଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛି ।

ଏବେବି ରାଜ୍ୟରେ ଅନେକ ଗରିବ ଲୋକଙ୍କ ଘରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ରାସନ ପହଂଚି ପାରି ନାହିଁ । ପ୍ରଧାନମନ୍ତ୍ରୀ ଲକ୍ଷ ଲକ୍ଷ ଚାଷୀଙ୍କୁ କୃଷକ ସମ୍ମାନ ନିଧି ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ସମୟରେ ରାଜ୍ୟ ସରକାର ଚାଷୀଙ୍କୁ ଧାନର ଏମଏସପି ଦେଇପାରୁ ନାହଁନ୍ତି ବୋଲି ତିନି ଦିନିଆ ଓଡିଶା ଗସ୍ତରେ ଆସି ଶାସକ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ତରୁଣ ଚୁଗ । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଚୁଗ କହିଛନ୍ତି ଯେ, ତୃଣମୂଳସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ବିଜେପି ନିରନ୍ତରଭାବେ କାର୍ଯ୍ୟ କରିଆସୁଛି ।

ଗରିବଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ମୋଦି ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା ଲାଗୁ କରିଛନ୍ତି । ୨୦୧୪ ପରେ ଜନଧନ ଯୋଜନାରେ ୪୦ କୋଟି ଲୋକଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦିଆଯାଇଛି । ୧୦ କୋଟି ଲୋକଙ୍କୁ ଜୀବନ ବୀମା ମିଳିଛି । ୨୩ କୋଟି ଲୋକଙ୍କୁ ଦୁର୍ଘଟଣା ବୀମା ମିଳିଛି । ୧୦ କୋଟି ଲୋକଙ୍କ ଘରେ ଶୌଚାଳୟ ନିର୍ମାଣ କରାଯାଇଛି  ା ୧୧ କୋଟି ଲୋକଙ୍କ ଘରେ ମାଗଣା ଗ୍ୟାସ ସଂଯୋଗୀ କରଣ କରାଯାଇଛି । ୫୦ କୋଟି ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯାଇଛି । ୩ କୋଟି ଲୋକଙ୍କୁ ଅଟଳ ପେନସନ ଯୋଜନାର ଲାଭ ମିଳିଛି । ମୋଦି ସରକାର ଗରିବ ଲୋକଙ୍କ ଜୀବନରେ ଅନେକ ପରିବର୍ତନ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ପକ୍କା ଘର, ରୋଷେଇ ଗ୍ୟାସ, ଜୀବନ ସୁରକ୍ଷା ବୀମା, ମାଗଣା ସ୍ୱାସ୍ଥ୍ୟ ସେବା, ପେନସନ ଭଳି ଜନକଲ୍ୟାଣକାରୀ ଯୋଜନା କରି କୋଟି କୋଟି ଗରିବ ଲୋକଙ୍କ ପାଖରେ ପହଂଚାଇଛନ୍ତି । ଦେଶରେ ୭୯୦୦ ଜନଔଷଧୀ କେନ୍ଦ୍ର ଖୋଲାଯାଇ ସୁଲଭ ଦରର ଔଷଧ ଯୋଗାଇବାର ବ୍ୟବସ୍ଥା ହୋଇଛି । ଘରେ ଘରେ ନଳ ଯୋଗେ ପାଣି ପହଂଚାଇବା ଲକ୍ଷ୍ୟରେ ଜଳ ଜୀବନ ମିଶନରେ ୭.୭୫ କୋଟି ଲୋକଙ୍କ ଘରେ ଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧.୧୨ କୋଟି ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି । ବିଜେପି ସରକାର ଦୀନଦୟାଲ ଉପାଧ୍ୟାୟଜୀଙ୍କ ଏକାତ୍ମ ମାନବବାଦ ଦର୍ଶନକୁ ପୂରା କରିବାର କାର୍ଯ୍ୟ କରୁଛି । କରୋନା ମହାମାରୀ ସମୟରେ ମୋଦି ସରକାର ଦେଶରେ ଅର୍ଥନୈତିକ ବିକାଶ ଓ ସ୍ୱାସ୍ଥ୍ୟ ଭିତିଭୂମି ସୁଦୃଢ କରିବା ସହ ଗରିବଙ୍କ ପାଖରେ ମାଗଣାରେ ଖାଦ୍ୟ ପହଂଚାଇବାର ବ୍ୟବସ୍ଥା କରିଛନ୍ତି ।

କୋଭିଡର ପ୍ରଥମ ଲହରରେ ମୋଦି ସରକାର ୮୦ କୋଟି ଲୋକଙ୍କୁ ୧୦ ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ଯୋଗାଇଛନ୍ତି । ସେହିପରି ଦ୍ୱିତୀୟ ଲହରରେ ୮ ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ପ୍ରଦାନ କରାଯାଇଛି । ଆତ୍ମନିର୍ଭର ଭାରତ ଯୋଜନାରେ ଦେଶର ଜିଡିପିର ୧୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯାଇଛି । କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାୟକ ଭୂମିକା ତୁଲାଉଛନ୍ତି ବୋଲି ଶ୍ରୀ ଚୁଗ୍ କହିଛନ୍ତି । କରୋନା ମହାମାରୀ ବିରୁଦ୍ଧରେ ଟିକାକରଣ କରିବାରେ ପ୍ରଧାନମନ୍ତ୍ରୀଙ୍କ ସର୍ବଶ୍ରେଷ୍ଠ ଅବଦାନ ରହିଛି । ଏପର୍ଯ୍ୟନ୍ତ ୪୦ କୋଟିରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଛି,ଯାହାକି ଆମେରିକା ଓ ଋଷର ଜନସଂଖ୍ୟା ଠାରୁ ବି ଅଧିକ । ଆଗାମୀ ୩୧ ଡିସେମ୍ବର ସୁଦ୍ଧା ୨୦୦ କୋଟି ଲୋକଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ରହିଛି । ମହାମାରୀ ସମୟରେ କିଛି ଖଳ ପ୍ରକୃତିର ଲୋକେ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କରୋନା ହାରିବ ଓ ମାନବିକତାର ବିଜୟ ହେବ । ଏହି ଲକ୍ଷ୍ୟରେ ମୋଦି ସରକାର ପ୍ରଥମ ଦିନରୁ କାର୍ଯ୍ୟ କରିଆସୁଛନ୍ତି ବୋଲି ଶ୍ରୀ ଚୁଗ୍ କହିଛନ୍ତି ା ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love