ଆଜି ୨୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩/୦୭: ବର୍ଷା ଅଭାବରୁ ରାଜ୍ୟରେ ମରୁଡ଼ି ଆଶଙ୍କା ଦେଖା ଦେଇଥିବାବେଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପ୍ରଭାବରେ ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି, ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଏହି ବର୍ଷା ଖରିଫ ଫସଲର ବେଉଷଣ ପାଇଁ ସହାୟକ ହେବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି ।

ପାଣିପାଗ ବିଭାଗ କହିଛି, ଗୁରୁବାର ସନ୍ଧ୍ୟା ସୁଦ୍ଧା ମାଲକାନଗିରିରେ ୮୩ ମିଲିମିଟର, ଝାରସୁଗୁଡ଼ାରେ ୮୨ ମିମି, ଗୋପାଳପୁରରେ ୪୭, ବୌଦ୍ଧରେ ୪୩, ଫୁଲବାଣୀରେ ୩୭, ଛତ୍ରପୁରରେ ୩୦,ପାରଳାଖେମୁଣ୍ଡିରେ ୩୦, ବାରିପଦାରେ ୨୫ ମିମି ବର୍ଷା ହୋଇଛି । ଏହାବାଦ୍‌ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀରେ ବି ଭଲ ବର୍ଷା ହୋଇଛି । ରାତି ଭିତରେ ସମଗ୍ର ଉପକୂଳ ଓଡ଼ିଶା ସମେତ କେତେକ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ଆଇଏମଡି କହିଛି, ଶୁକ୍ରବାର ରାଜ୍ୟର ଅଧିକାଂଶ ଜାଗାରେ ବର୍ଷା ହେବ । ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ଦେବଗଡ଼ରେ ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଶନିବାର ବି ପ୍ରବଳ ବର୍ଷା ସମ୍ଭାବନା ଅଛି । ହେଲେ ଶୁକ୍ରବାର ତୁଳନାରେ ବର୍ଷା ପରିମାଣ କମିଯିବ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପୂର୍ବାନୁମାନ କରିଛି, ଲଘୁଚାପ ଶନିବାର ଅପରାହ୍ନ ସୁଦ୍ଧା ଉତ୍ତର ଆଡ଼କୁ ମୁହାଁଇ ବିହାର ଅଭିମୁଖେ ଯିବ । ଏହା ପ୍ରଭାବରେ ଗୁରୁବାର ରାତିରୁ ଶନିବାର ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ । ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

ସେହିପରି ଆସନ୍ତା ୨୮ ତାରିଖବେଳକୁ ବାଂଲାଦେଶ ଓ ଏହାର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଅଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଡ଼କୁ ମୁହାଁଇବ । ଏହାର ପ୍ରଭାବ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ରହିବ । ଜୁଲାଇ ୨୮ରୁ ୩୦ ଯାଏଁ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ, ଯାଜପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି ।

 ଆଜି ସୁଦ୍ଧା ରାଜ୍ୟରେ ୨୪% ବର୍ଷା କମ୍‌ ହୋଇଥିବାବେଳେ ୧୯ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ଅନୁମାନ କରାଯାଉଛି, ଏହି ବର୍ଷାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବ । ତେବେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଯେତିକି ବିଳମ୍ବିତ ହୋଇଛି, ସେ କ୍ଷତି ଭରଣା ହେବ କି ନାହିଁ, ତାହା ଉପରେ ଚାଷୀଙ୍କ ନଜର ରହିଛି ।

Spread the love