ନିରାଶ କଲେ ଦୂତି, ପଦକ ପକ୍କା କଲେ ମହିଳା ବକ୍ସର

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ମହିଳା ଶହେ ମିଟର ଦୌଡ଼ରେ ନିରାଶ କରିଛନ୍ତି ଦୂତି ଚାନ୍ଦ। ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ନେଇଛନ୍ତି। ୫ମ ହିଟ୍‌ରେ ଥିବା ଦୂତି ସପ୍ତମ ସ୍ଥାନରେ ରହିଥିଲେ। ମୋଟ୍ ଉପରେ ସେ ୪୫ତମ ସ୍ଥାନରେ ରହିଥିଲେ। ଏପରିକି ସେ ନିଜର ରେକର୍ଡରେ ମଧ୍ୟ ଉନ୍ନତି ଆଣିପାରି ନଥିଲେ। ଦୂତି ୧୧.୫୪ ସେକେଣ୍ଡରେ ଶହେ ମିଟର ଦୂରତ୍ୱକୁ ଅତିକ୍ରମ କରିଥିଲେ, ଯେତେବେଳେ କି ତାଙ୍କର ନିଜର ରେକର୍ଡ ୧୧.୧୭ ରହିଥିଲା। ତାଙ୍କର ୧୧.୧୭ ରେକର୍ଡ ଏକ ଜାତୀୟ ରେକର୍ଡ ମଧ୍ୟ। ଶହେ ମିଟର ଦୌଡ଼ରେ ଦୂତି ଭଲ କରି ନଥିଲେ ମଧ୍ୟ ତାଙ୍କ ପାଖରେ ଆଉ ଏକ ସୁଯୋଗ ଅଛି। କାରଣ ଆଗକୁ ତାଙ୍କର ୨୦୦ ମିଟର ଦୌଡ଼ ମଧ୍ୟ ରହିଛି। ଅଗଷ୍ଟ ୨ ତାରିଖରେ ସେ ୨୦୦ ମିଟର ଦୌଡ଼ ପାଇଁ ଟ୍ରାକ୍‌କୁ ଓହ୍ଲାଇବେ। ଦେଶର ଏକମାତ୍ର ଆଥ୍‌ଲେଟ୍‌ ଭାବେ ଦୂତି ଟୋକିଓ ଅଲିମ୍ପିକ୍ସରେ ଦୁଇଟି ଇଭେଣ୍ଟ (ଶହେ ଓ ୨ଶହ ମିଟର ଦୌଡ଼)ରେ ଭାଗ ନେଇଛନ୍ତି। ଦୂତିଙ୍କର ଏହା ହେଉଛି ଦ୍ୱିତୀୟ ଅଲିମ୍ପିକ୍ସ। ସେ ୨୦୧୬ରେ ରିଓ ଅଲିମ୍ପିକ୍ସରେ ମଧ୍ୟ ଭାଗ ନେଇଥିଲେ। ଟୋକିଓ ଅଲିମ୍ପିକ୍ସ ପାଇଁ ଦୂତିଙ୍କୁ ସିଧାସଳଖ ଟିକେଟ୍ ମିଳି ନଥିଲା। ସେ ୱାର୍ଲ୍ଡ ରାଙ୍କିଙ୍ଗ ଅନୁସାରେ ଟୋକିଓକୁ ଟିକେଟ୍ ପାଇଥିଲେ।

ଅପରପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ପଦକ ପକ୍କା କରିଛନ୍ତି ମହିଳା ବକ୍ସର । ୬୯ କିଲୋ ବର୍ଗରେ ଲଭଲିନାଙ୍କ ଦମଦାର ବିଜୟ ହାସଲ କରିଛନ୍ତି । ସେମିଫାଇନାଲରେ ପହଞ୍ଚିଲେ ଲଭଲିନା ବୋରଗୋହେନ୍ । ଚାଇନିଜ୍ ତାଇପେଇ ଚିନ୍-ଚେନ୍ ନିଏନଙ୍କୁ ୪-୧ରେ ପରାସ୍ତ କରିଛନ୍ତି ଲଭଲିନା ।

Spread the love