ବନ୍ୟାରେ ଫସିଲା ପରିବାର, ଅନ୍ତସତ୍ତ୍ବା ମହିଳା ୧୬ଫୁଟ ଉଚ୍ଚ ଗଛରେ ରହିଲେ ୨୪ଘଣ୍ଟା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶାରେ ୧୬ଫୁଟ ଉଚ୍ଚ ଗଛ ଦୁଇ ପରିବାରଙ୍କ ଜୀବନ ବଞ୍ଚାଇ ଦେଇଛି। ବନ୍ୟାରେ ଫସିଥିବା ଏହି ପରିବାର ୨୪ଘଣ୍ଟା ଗଛ ଉପରେ ବିତାଇଥିଲେ। ଗର୍ଭବତୀ ମହିଳା ସାଙ୍ଗରେ ଥିବା ହେତୁ ପରିବାର ତାଙ୍କୁ ଛାଡ଼ି ଯାଇ ପାରିଲେ ନାହିଁ। ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଇ ଅନ୍ୟ ପରିବାର ବି ବନ୍ୟାରେ ଫସି ଯାଇଥିଲେ। ତା’ପର ଦିନ ସକାଳେ ଏନଡିଆରଏଫ ଟିମ ଦୁଇ ପରିବାରକୁ ସୁରକ୍ଷିତ ଉଦ୍ଧାର କରିଥିଲେ।

ବିଦିଶାର ସିରୋଞ୍ଜ କୈଥନ ନଦୀରେ ବନ୍ୟା ଆସିଥିବା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା ହେତୁ ଲୋକେ ଭୟଭୀତ ହୋଇ ଗ୍ରାମ ଛାଡ଼ି ଚାଲି ଯାଇଥିଲେ। କିନ୍ତୁ ରନିଆ ଗ୍ରାମରେ ବସବାସ କରୁଥିବା ଗୌରବ ଓ ତାଙ୍କର ଭାଇ ଏହି ବନ୍ୟାରେ ଫସି ଯାଇଥିଲେ।

ଗୌରବଙ୍କ ପତ୍ନୀ ଲକ୍ଷ୍ମୀ ଅନ୍ତସତ୍ତ୍ବା ଥିଲେ ଯେଉଁ କାରଣ ପାଇଁ ସେ ବନ୍ୟା ପାଣି ପଶିବା ପୂର୍ବରୁ ବାହାରକୁ ବାହାରି ପାରିଲେ ନାହିଁ। ଚାରିଆଡେ ପାଣି ଭରି ଯାଇଥିଲା। ଏହାପରେ ଗୌରବ ପତ୍ନୀ ଲକ୍ଷ୍ମୀ, ଦୁଇ ପୁଅ ୟଶ ଓ ବିଟ୍ଟୁ ସହିତ ଭାଇ ଓ ତାଙ୍କ ପତ୍ନୀ ସୁନୀତାଙ୍କୁ ଧରି୧୬ଫୁଟ ଉଚ୍ଚ ଗଛରେ ଚଢ଼ି ଯାଇଥିଲେ। ପ୍ରଶାସନ ପାଖରେ ଏଖବର ପହଞ୍ଚିବା ପରେ ଏୟାରଲିପ୍ଟର ଆଦେଶ ଦେଇଥିଲେ କିନ୍ତୁ ଅନ୍ଧାର ହୋଇଯାଇଥିବାରୁ ହେଲିକପ୍ଟର ସାହାଯ୍ୟ ପାଇଁ ଉକ୍ତ ପରିବାର ପାଖରେ ପହଞ୍ଚି ପାରି ନଥିଲା। ଗୌରବ ଓ ତାଙ୍କ ପରିବାର ସାହାସର ସହ ପୂରା ରାତି ଗଛ ଉପରେ ରହିଥିଲେ। ଶନିବାର ସକାଳେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁଇ ପରିବାରକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

Spread the love