‘ମୋ ଛୁଆକୁ ମୋତେ ଦିଅ ନଚେତ କୋଠା ଉପରୁ ଡେଇଁବି’ : ରୋଗୀ

କଟକ ୧୦/୦୮: ଏସ୍‌ସିବିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ରୋଗୀ ପୋଷ୍ଟ ପାର୍ଟମ କେନ୍ଦ୍ର ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଡ୍ୟୁଟିରେ ଥିବା ପୁଲିସ, ଦମକଳବାହିନୀ ଓ ସୁରକ୍ଷା କର୍ମୀମାନେ ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରି ମାନସିକ ଚିକିତ୍ସା ପ୍ରତିଷ୍ଠାନରେ ଭର୍ତ୍ତି କରିଛନ୍ତି ।

ସୂଚନା ମୁତାବିକ, ସୋମବାର ସକାଳ ପ୍ରାୟ ୧୦ଟା । ଜଣେ ବ୍ୟକ୍ତି ସର୍ଜରୀ ୱାର୍ଡ ପାଖରୁ ବିଜୁଳି ବେଗରେ ମେଡିକାଲ ଫାଣ୍ଡି ପଛପଟେ ଥିବା ପିପି କେନ୍ଦ୍ର (ପୋଷ୍ଟ ପାର୍ଟମ୍‌) ଆଡକୁ ଦୌଉ ଡୁଥାନ୍ତି । ହାତରେ ସାଲାଇନ୍‌ ଛୁଞ୍ଚି ଲାଗିଥାଏ । ଚାହୁଁ ଚାହୁଁ ବ୍ୟକ୍ତି ଜଣଙ୍କ ହଠାତ କୋଠା ମରାମତି ନିମନ୍ତେ ଲାଗିଥିବା ବାଉଁଶ ସିଡିରେ ପିପି କେନ୍ଦ୍ର କୋଠା ଉପରକୁ ଚଢିଥିଲେ । ‘ମୋ ଛୁଆକୁ ମୋତେ ଦିଅ ନଚେତ କୋଠା ଉପରୁ ଡେଇଁବି ବୋଲି ଚିତ୍କାର କରିଥିଲେ । ଏହାଶୁଣି ମେଡିକାଲ ଫାଣ୍ଡି ପୁଲିସ, ମେଡିକାଲ ପରିସରରେ ଥିବା ଦମକଳ ବାହିନୀ ଓ ମେଡିକାଲର ସିକ୍ୟୁରିଟି କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ବ୍ୟକ୍ତି ଜଣଙ୍କ ପିପି କୋଠାର ଦୁଇମହଲା ଉପରକୁ ଉଠିଯାଇଥିଲେ । ବହୁ ବୁଝାସୁଝା କରି ତାଙ୍କୁ ତଳକୁ ଅଣାଯାଇଥିଲା ।

ଖବର ନେବାରୁ ଜଣାପଡିଲା ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ରଞ୍ଜିତ ମୁଖୀ । ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଅଞ୍ଚଳରେ । ପତ୍ନୀଙ୍କ ସହିତ ରଞ୍ଜିତ ଏସ୍‌ସିବିକୁ ଆସିଥିଲେ । ମାତ୍ର କେଉଁ ୱାର୍ଡରେ ସେ ଆଡମିଶନ ହୋଇଥିଲେ ତାହା ତାଙ୍କ ପତ୍ନୀ କହିପାରୁନାହାନ୍ତି । ରଞ୍ଜିତ କୁଆଡେ ଗଲେ ବୋଲି ତାଙ୍କ ପତ୍ନୀ କାନ୍ଦି କାନ୍ଦି କାଜୁଆଲଟି ପାଖରେ ଲୋକଙ୍କୁ ପଚରାଉଚୁରା କରୁଥିବା ବେଳେ ପୁଲିସ ଓ ସିକ୍ୟୁରିଟି କର୍ମୀମାନେ ରଞ୍ଜିତଙ୍କୁ ଧରି ତାଙ୍କ ପାଖରେ ପହଞ୍ଚିଥିଲେ । ଉଦ୍ଧାର ପରେ ରଞ୍ଜିତଙ୍କୁ ମାନସିକ ରୋଗ ଚିକିତ୍ସା ପ୍ରତିଷ୍ଠାନରେ ଭର୍ତ୍ତି କରାଯାଇଛି ।

Spread the love