ପୁଣି ଆରମ୍ଭ ହେଲା ବସ୍ତି ଚାଲ ଅଭିଯାନ

ଭୁବନେଶ୍ୱର, ୧୨/୦୮: କମିଶନରେଟ ପୋଲିସ ପୁଣି ଆରମ୍ଭ କରିଛି ବାସ୍ତି ଚାଲ ଅଭିଯାନ । କୋଭିଡ ଯୋଗୁ ଏହା ଗତ ଦୁଇବର୍ଷ ବନ୍ଦ ରହିଥିଲା । ପ୍ରଥମ ପର୍ଯ୍ୟାୟରେ ଏଗାରଟି ବସ୍ତିକୁ ଏହି ଅଭିଯାନରେ ସାମିଲ କରାଯାଇଛି । ପ୍ରଥମେ ମାଷ୍ଟରକ୍ୟାଟିନ ଓ ଏହା ପରେ ମୁଣ୍ଡା ସାହି ବସ୍ତିରେ ଗୋଷ୍ଠୀ ସଂଘର୍ଷ । ଯାହାକୁ ନେଇ ଚିନ୍ତାରେ କମିଶନରେଟ ପୋଲିସ । ଆଜି ଟ୍ରାଫିକ ଥାନାରେ ୧୧ଟି ଥାନା ଅଧୀନରେ ଥିବା ବସ୍ତି ଅଂଚଳକୁ ପ୍ରାଧାନ୍ୟ ଦେଇ ଡିସିପିଙ୍କ ନେତୃତ୍ୱରେ ଏକ ବୈଠକ ହୋଇଥିଲା ।

ଏହି ବୈଠକରେ ଖଣ୍ଡଗିରି, ଭରତପୁର, ନୟାପଲି, ସହିଦନଗର, ମଞ୍ଚେଶ୍ୱର, ଖାରବେଲନଗର, ଏୟାରପୋର୍ଟ କ୍ୟାପିଟାଲ ଭଳି ଥାନାର ଅଧିକାରୀମାନେ ଯୋଗ ଦେଇଥିଲେ । ପ୍ରତି ମାସରେ ଚାରୋଟି ଥାନା ଅଂଚଳରେ ଥିବା ବସ୍ତିକୁ ଅଭିଯାନ କରିବ କମିଶନରେଟ ପୋଲିସ । ଏହା ସହିତ ପ୍ରତି ବସ୍ତିରେ ଦୁଇଜଣ ଏସଆଇ ଦାୟିତ୍ୱରେ ରହିବେ ।

କେବଳ ବସ୍ତିରେ ପୋଲିସ ଅପରାଧ ନିୟନ୍ତ୍ରଣ କରିବ ନାହିଁ । ବସ୍ତି ପିଲାଙ୍କ ପାଠପଢ଼ା ବୟସ୍କ ଲୋକଙ୍କ ସୁବିଧା ଅସୁବିଧା ସହିତ ସେମାନଙ୍କୁ କିଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ କରାଯାଇ ପାରିବ ତାକୁ ମଧ୍ୟ ବୁଝିବେ । ଏପରିକି ପ୍ରତି ଥାନାର ପିସିଆର ଓ ପୋଲିସ ଭ୍ୟାନ ବସ୍ତିରେ ପାଇଁତରା ମାରିବ ।

କମିଶନରେଟ ପୋଲିସର ଭୁବନେଶ୍ୱର ଇଉପିଡ଼ିରେ ଏଭଳି ବସ୍ତି ଅଭିଯାନ ଫଳରେ ଅପରାଧ ନିୟନ୍ତ୍ରଣ ସହିତ ପୋଲିସ ପବ୍ଲିକ ସୁସମ୍ପର୍କ ବଢ଼ିପାରିବ । ରାଜଧାନୀରେ ପ୍ରାୟ ସରକାରୀ ଆକଳନ ଅନୁଯାଇ ୩୦୦ରୁ ଅଧିକ ବସ୍ତି ରହିଛି । ତେବେ ଏହି ଅଭିଯାନ ଅନ୍ୟ ବସ୍ତି ଅଂଚଳକୁ କେବେ ଯିବ ସେନେଇ କୌଣସି ସୂଚନା ମିଳିଲାନି ।

Spread the love