ଟେଣ୍ଡର କରାଇବା ନାଁରେ କୋଟିଏ ଟଙ୍କାର ଠକେଇ, ୨ ଗିରଫ

କେନ୍ଦୁଝର ୧୬।୮: କେନ୍ଦୁଝରର ଜଣେ ବ୍ୟକ୍ତିଙ୍କଠାରୁ ଟେଣ୍ଡର କରାଇଦେବା ନାଁରେ କୋଟିଏ ଟଙ୍କାର ଠକେଇ । ବାଲେଶ୍ବର ଅଞ୍ଚଳର ଦୁଇ ଠକଙ୍କୁ ଗିରଫ କଲା ଟାଉନ ପୋଲିସ । କେନ୍ଦୁଝର ସହରର ବଣିଆପାଟଠାରେ ରହୁଥିବା ମୋ ୱାଲେଟ ଅନଲାଇନ ସର୍ଭିସ ଫାର୍ମ ମାଲିକ ଜନ୍ମେଜୟ ପରିଡା ଠକେଇ ନେଇ ଅଭିଯୋଗ କରିଥିଲେ । ତାଙ୍କ ଲିଖିତ ଅଭିଯୋଗ ଅନୁସାରେ, ତାଙ୍କ ଫାର୍ମରେ ପୂର୍ବରୁ ବାଲେଶ୍ବର ଅଞ୍ଚଳର ବିଶ୍ବଜିତ ପଣ୍ଡା ଓ ତାଙ୍କ ସହଯୋଗୀ ରମେଶ ଚନ୍ଦ୍ର ପାଢ଼ୀ ତାଙ୍କ ଭାଇ ସମୀର ରଞ୍ଜନ ପରିଡା କାମ କରୁଥିଲେ । ଦିଲ୍ଲୀ ସ୍ତରରୁ ସାରା ଓଡିଶାରେ ଥିବା ଏସସି, ଏସଟି ଅଫିସ ଓ ସ୍କୁଲ ହଷ୍ଟେଲ ବିଲଡିଂର ମରାମତି କାମ ପାଇଁ ଟେଣ୍ଡର ପ୍ରକ୍ରିୟାରେ ତାଙ୍କ ଟେଣ୍ଡର ପାସ୍ କରାଇ ଦେବାକୁ କହି ବିଭିନ୍ନ ସମୟରେ ପ୍ରାୟ କୋଟିଏ ଟଙ୍କା ଠକି ନେଇଥିଲେ । ପରେ ପୁଣି କୋଡିଏ ଲକ୍ଷ ଟଙ୍କା ଦାବି କରିବାରୁ ସେ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ । ଆହୁରି ମଧ୍ୟ ଏହି ଫାର୍ମର ପ୍ୟାନ, ଟିନ ଆଦି ନମ୍ବର ନଥିବାରୁ ଏହି ଦୁଇ ଠକଙ୍କର ଲକ୍ଷ୍ମୀ ଜଗନ୍ନାଥ ପ୍ରୋକରୀ ପ୍ରାଇଭେଟ୍ ଲିମିଟେଡ଼ ନାମରେ ଥିବା ଏକ ସଂସ୍ଥା ନାଁରେ ଟେଣ୍ଡର ପାସ୍ ହେବ ଓ ଏମାନେ କାମ କରିବେ ବୋଲି କୁଆଡେ କଥା ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରି ଭୁବନେଶ୍ବରର ଖାରବେଳନଗର ଅଞ୍ଚଳରୁ ଦୁଇ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Spread the love