ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶ- ସମସ୍ତ ଭାରତୀୟଙ୍କୁ ଆଫଗାନିସ୍ତାନରୁ ସୁରକ୍ଷିତ ଅଣାଯାଉ, ହିନ୍ଦୁ-ଶିଖଙ୍କୁ ଦିଆଯିବ ଶରଣ

ନୂଆଦିଲ୍ଲୀ ୧୭।୦୮: ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ଉତ୍ପନ ପରିସ୍ଥିତିକୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଅନ ସିକ୍ୟୁରିଟି(ସିସିଏସ)ର ବୈଠକ ବସିଛି। ପ୍ରଧାନମନ୍ତ୍ରୀ ଅଧିକାରୀଙ୍କୁ ଆଫଗାନିସ୍ତାନରୁ ସମସ୍ତ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଆଣିବା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଫଗାନିସ୍ତାନରୁ ଭାରତ ଆସିବାକୁ ଇଚ୍ଛୁକ ଶିଖ,  ହିନ୍ଦୁ ସଂଖ୍ୟାଲଘୁଙ୍କୁ ଶରଣ ଦେବା ପାଇଁ କୁହାଯାଇଛି। ଏପରିକି ଭାରତଠୁ ସାହାଯ୍ୟର ଆଶା ବାନ୍ଧି ବସିଥିବା ଆଫଗାନ ନାଗରିକଙ୍କୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନିଜର ସରକାରୀ ବାସଭବନରେ ଅନୁଷ୍ଠିତ ଗୁରୁତ୍ଵପୂର୍ଣ୍ଣ ବୈଠକ ପରେ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ୍ ଶାହା, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ୟତୀତ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲା, ଆଫଗାନିସ୍ତାନରେ ଭାରତର ରାଜଦୂତ ଆର ଟଣ୍ଡନ ସହିତ ଅନେକ  ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଆଫଗାନିସ୍ତାନରେ ଜାରି ରହିଥିବା ହିଂସାକୁ ନେଇ ଏବେ ଚିନ୍ତାରେ ବିଶ୍ବବାସୀ । ତାଲିବାନୀମାନେ କାବୁଲ ଦଖଲ କରିବା ପରେ ଏବେ ସେଠାକାର ଲୋକମାନେ ଦେଶ ଛାଡିବା ପାଇଁ ଡହଳ ବିକଳ ହେଉଛନ୍ତି । ଏହାରି ମଧ୍ୟରେ ସବୁଠାରୁ ବଡ ସମସ୍ୟା ହେଉଛି ସେଠାରେ ଫସିରହିଥିବା ପ୍ରବାସୀ ଭାରତୀୟଙ୍କୁ କିଭଳି ଉଦ୍ଧାର କରାଯିବ । ଏହା ସହିତ ଆଫଗାନିସ୍ତାନକୁ ନେଇ ଭାରତର ଆଗାମୀ ଦୃଷ୍ଟିଭଙ୍ଗୀ କଣ ହେବ ସେ ନେଇ ବୈଠକରେ ଆଲୋଚନା ହେଉଥିବା ଜଣାପଡିଛି ।

Spread the love