ସର୍ବଦଳୀୟ ବୈଠକ ପ​‌ରେ ଜୟଶଙ୍କରଙ୍କ ପ୍ରତିକ୍ରିୟା, କହିଲେ- ଆଫଗାନିସ୍ତାନ ପ୍ରସଙ୍ଗରେ ସରକାରଙ୍କ ସମର୍ଥନରେ ସବୁ ଦଳ

ନୂଆଦିଲ୍ଲୀ ୨୬/୦୮: ଆଫଗାନିସ୍ତାନରେ ଫସିଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଏକଥା ସର୍ବଦଳୀୟ ବୈଠକରେ ସରକାରଙ୍କ ପକ୍ଷରୁ କୁହାଯାଇଛି । ଗୁରୁବାର ସାଢ଼େ ତିନି ଘଣ୍ଟା ଚାଲିଥିବା ସର୍ବଦଳୀୟ ବୈଠକରେ ସରକାର ସମସ୍ତ ଦଳର ନେତାଙ୍କୁ ଆଫଗାନିସ୍ତାନର ସ୍ଥିତି ସମ୍ପର୍କରେ ବାଖ୍ୟା କରିଛନ୍ତି ।  ତେବେ ଆଫଗାନିସ୍ତାନ ପ୍ରସଙ୍ଗରେ ସବୁ ଦଳ ସରକାରଙ୍କ ସହ ଅଛନ୍ତି ବୋଲି ବୈଠକ ପରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି ।

ଏବେ ସୁଦ୍ଧା ଫେରିଲେଣି ୫୬୫ ଭାରତୀୟ
ସଂସଦୀୟ ସୌଧରେ ଆୟୋଜିତ ଆଜିର ଏହି ବୈଠକରେ ଜୟଶଙ୍କରଙ୍କ ବ୍ୟତୀତ ପୀୟୁଷ ଗୋୟଲ, ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ। ଆଫଗାନିସ୍ତାନକୁ ତାଲିବାନ କବଜା ପରଠୁ ସେଠାକାରର ପରିସ୍ଥିତି ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ଜୟଶଙ୍କର ତାଜା ଅପଡେଟ୍‌ ଦେଇଛନ୍ତି । ସେ କହିଛନ୍ତି, ଆଫଗାନିସ୍ତାନରୁ ଏବେ ସୁଦ୍ଧା ୫୬୫ ଜଣଙ୍କୁ ଭାରତ ଅଣାଯାଇଛି । ବୈଦେଶିକ ମନ୍ତ୍ରାଳୟର ସ୍ପେଶାଲ୍‌ ସେଲ ଏବେ ଯାଏଁ ୩,୦୧୪ ଟି କଲ ଜବାବ ଦେଇଛି। ଏହା ବ୍ୟତୀତ ହ୍ବାଟସ୍‌ଆପ୍‌ ଜରିଆରେ ୭,୮୨୬ ଜବାବ ଦିଆଯାଇଥିବା ବେଳେ ଇମେଲ ମାଧ୍ୟମରେ ୩,୧୦୧ ପ୍ରଶ୍ନର ଉତ୍ତର ଦେଇଛନ୍ତି ସରକାର ।

୩୧ ଦଳର ୩୭ ନେତା ଥିଲେ ସାମିଲ
ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ସାମ୍ବାଦିକ ସମ୍ମଳନୀରେ କହିଛନ୍ତି, ବୈଠକରେ ୩୧ ଦଳର ୩୭ ଜଣ ନେତା ସାମିଲ ଥିଲେ। ଏହି ପ୍ରସଙ୍ଗରେ ସରକାର ଏବଂ ସମସ୍ତ ରାଜନୈତିକ ଦଳର ରାୟ ସମାନ ରହିଛି । ସେ ଆହୁରି କହିଛନ୍ତି, ‘ଅଧିକାଂଶ ଭାରତୀୟଙ୍କୁ ଫେରାଇ ଆଣିଛୁ କିନ୍ତୁ ସମସ୍ତଙ୍କୁ ଅଣାଯାଇନାହିଁ। ଭାରତ ଆସିବାକୁ ଚାହୁଁଥିବା କିଛି ଆଫଗାନ ନାଗରିକଙ୍କୁ ଆମେ ଆଣିଛୁ। ସମସ୍ତ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।’

ଏହି ସବୁ ନେତା ବୈଠକରେ ସାମିଲ ଥିଲେ
ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ନେତା ଶରଦ ପାଓ୍ବାର, ରାଜ୍ୟସଭାରେ ବିରୋଧୀ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ, ଦ୍ରମୁକ ନେତା ଟି ଆର ବାଲୁ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା, ଅପନା ଦଳ ନେତା ଅନୁପ୍ରିୟା ପଟେଲଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ ।  

Spread the love