ଦିଲ୍ଲୀ ଏୟାରପୋର୍ଟରୁ ଫେରିଗଲେ ଆଫଗାନ ସାଂସଦ, ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରାଳୟ

ନୂଆଦିଲ୍ଲୀ ୨୭/୦୮: ଆଫଗାନିସ୍ତାନର ସ୍ଥିତି ଦେଖି ଅନେକ ନେତା ତଥା ସାଧାରଣ ଲୋକ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି । ଏମିତିକି କିଛି ଲୋକ ଶରଣ ନେବାକୁ ଭାରତ ଆସିଛନ୍ତି । ହେଲେ ଏହାରି ଭିତରେ ଗୋଟିଏ ଦୁଃଖଦ ଘଟଣା ନଜରକୁ ଆସିଛି । ଆଫଗାନର ଜଣେ ମହିଳା ସାଂସଦଙ୍କୁ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବଳପୂର୍ବକ ବିଦା କରିଦିଆଯାଇଛି ।

ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ମହିଳା ସାଂସଦ ଜଣଙ୍କ ଶରଣାର୍ଥୀ ଭାବେ ଏଠାକୁ ଆସି ନଥିଲେ । ବରଂ ମେଡିକାଲ ଚିକିତ୍ସା ପାଇଁ ଆସିଥିଲେ । ତଥାପି ତାଙ୍କୁ ଏୟାରପୋର୍ଟରୁ ବାହାରକୁ ନ ଛାଡ଼ି ପୁଣି ବିମାନରେ ଇସ୍ତାବୁଲ ପଠାଇ ଦିଆଯାଇଛି । ଏହି ଘଟଣା ଜଣାପଡ଼ିବା ପରେ ଭାରତ ସରକାରଙ୍କ ପକ୍ଷରୁ ମହିଳା ସାଂସଦଙ୍କୁ ଫୋନ କରି ଦୁଃଖ ପ୍ରକାଶ କରାଯାଇଛି ।

ଆଫଗାନିସ୍ତାନର ଫରୟାବ ପ୍ରଦେଶରେ ଥିବା ୱଲେସି ଜିରଗାର ସାଂସଦ ହେଉଛନ୍ତି ରଙ୍ଗିନା କାରଗର । ସେ ଶନିବାର ମେଡିକାଲ ଚିକିତ୍ସା ପାଇଁ ଇସ୍ତାନବୁଲରୁ ଦିଲ୍ଲୀ ଆସିଥିଲେ । ତାଙ୍କ ପାଖରେ ଅଫିସିଆଲ ପାସପୋର୍ଟ ଥିଲେ ମଧ୍ୟ ତାଙ୍କୁ ଦିଲ୍ଲୀ ଏୟାରପୋର୍ଟରୁ ବାହାରକୁ ଛଡ଼ା ଯାଇ ନଥିଲା। ତାଙ୍କୁ ଦିଲ୍ଲୀ ଏୟାରପୋର୍ଟର ସୁରକ୍ଷା ଅଧିକାରୀମାନେ ୪ ଘଣ୍ଟା ଅଟକ ରଖିବା ପରେ ଦୁବାଇ ରୁଟ୍‌ରେ ଇସ୍ତାନବୁଲ ପଠାଇ ଦେଇଛନ୍ତି । ଏହି ଘଟଣାରେ ମର୍ମାହତ କାରଗର କହିଛନ୍ତି, “ସେଠାରେ ଖାଦ୍ୟ କିମ୍ବା ପାଣି ନଥିଲା । ମୁଁ ଜଣେ ସାଂସଦ ବୋଲି ସେମାନଙ୍କୁ କହିଥିଲେ ହେଁ ସେମାନେ ମୋତେ ଛାଡ଼ି ନଥିଲେ ।

Spread the love