କୋଭିଡ୍‌ର ତୃତୀୟ ଲହର ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ, କର୍ମଚାରୀ ସଂକ୍ରମିତ ହେଲେ ସଂପୃକ୍ତ ବିଭାଗର ଅଧିକାରୀ ଉତ୍ତରଦାୟୀ

ବ୍ରହ୍ମପୁର, ୦୧/୦୯: ଗଞ୍ଜାମ ଜିଲ୍ଲାପାଳଙ୍କ ଭିସି ମାଧ୍ୟମରେ ଜିଲ୍ଲା ସ୍ତରୀୟ ତୃତୀୟ କୋଭିଡ୍ ଲହର ପାଇଁ ସତର୍କତା ମୂଳକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । କୋଭିଡ୍ ନିୟମ ଅନୁପାଳନ ଦିଗରେ ସାଧାରଣ ଜନତାଙ୍କ ସଚେତନତା ଅଭାବ ପରିଲିକ୍ଷିତ ହୋଇଛି । ଏ ଦିଗରେ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ଦିନ ସଂକ୍ରମଣ ସଂଖ୍ୟା ଏକ ଅଙ୍କ ବିଶିଷ୍ଟ ରହୁଛି । ଦୋକାନ, ବଜାରରେ ପୂର୍ବ ଅପେକ୍ଷା ଏବେ ଭିଡ ରହିବା ସହ କୋଭିଡ୍ ନିୟମ ପାଳନରେ ଅଭାବ ଦେଖିବାକୁ ମିଳିଛି । ସଚେତନତା ସହ ଚଢାଉ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି । ତୃତୀୟ ଲହର ଜିଲ୍ଲାରେ ବ୍ୟାପିଲେ ଜନଜୀବନ ସହ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି ।

କୌଣସି କର୍ମଚାରୀ କୋଭିଡ୍ ସଂକ୍ରମଣ ହେଲେ ସଂପୃକ୍ତ ବିଭାଗର ଅଧିକାରୀ ଉତ୍ତରଦାୟୀ ରହିବେ । କୌଣସି ଅଞ୍ଚଳରେ କେହି ସଂକ୍ରମିତ ହେଲେ ତାର ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଟୀକାକରଣ ସହ ଚେକିଂ ବ୍ୟବସ୍ଥାକୁ କଡାକଡି କରିବାକୁ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । ତୃତୀୟ ଲହରରୁ ବର୍ତ୍ତିବା ପାଇଁ ସାମୁହିକ ପ୍ରୟାସ ଜରୁରୀ । ମନ୍ଦିର ଗୁଡିକରେ କୋଭିଡ୍ ନିୟମ ପାଳନର ଅଭାବ ପରିଲିକ୍ଷିତ ହେଲେ ୭ ଦିନ ପାଇଁ ମନ୍ଦିର ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ମାଆ ତାରାତାରିଣୀ ମନ୍ଦିରର ଉନ୍ନୟନ କାର୍ଯ୍ୟ ତୀବ୍ର ଗତିରେ ଚାଲିଛି । ମନ୍ଦିର ଦର୍ଶନ କରିବାକୁ ଯିବା ବେଳେ ଦୁଃର୍ଘଟଣା ଘଟିବା ସମ୍ଭାବନା ରହିଛି । ଏଥିପାଇଁ ମନ୍ଦିର ଦର୍ଶନରୁ ନିବୃତ୍ତ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Spread the love