ଆଶା ସଞ୍ଚାର କରୁଛି ସାମ୍ଭାବ୍ୟ ଲଘୁଚାପ, ବଢିପାରେ ବର୍ଷାର ପରିଣାମ

ତିନିମାସର ଲୁଚକାଳି ଖେଳ ପରେ ଆଶା ସଞ୍ଚାର କରୁଛି ସାମ୍ଭାବ୍ୟ ଲଘୁଚାପ । ସେପ୍ଟେମ୍ବର ୫ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ମୌସୁମୀ ଟ୍ରପଲାଇନ୍ ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ୪ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବଢିବ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ବଢିବ ।

ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ ଏବଂ ବଲାଙ୍ଗିରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଚଳିତ ମୌସୁମୀ ସିଜିନ୍ ଅନୁସାରେ ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୯୩୫.୮ ମିଲିମିଟର ବର୍ଷା ହେବାକଥା । କିନ୍ତୁ ଏହି ସମୟ ମଧ୍ୟରେ ୬୬୬.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷାଠାରୁ ୨୯ ପ୍ରତିଶତ କମ୍ ।

୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରି, ଖୋର୍ଦ୍ଧା, କୋରାପୁଟ, କଟକ,ପୁରୀ, କେନ୍ଦ୍ରାପଡା, ଏବଂ ଜଗତସିଂହପୁରରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ବାକି ସବୁ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ୪୦ କିମ୍ବା ତାଠାରୁ ଅଧିକ ନିଅଣ୍ଟିଆ ବର୍ଷା ପାଇଁ ୩ ଟି ଜିଳ୍ଲା ଭଦ୍ରକ, ବଲାଙ୍ଗିର ଏବଂ ଯାଜପୁର ସର୍ବାଧିକ ପ୍ରଭାବିତ ହୋଇଛି । ବାକି ୨୦ ଜିଲ୍ଲାରେ ୨୦ରୁ ୩୯ ପ୍ରତିଶତ ନିଅଣ୍ଟିଆ ରହିଛି । କେବଳ ଅଗଷ୍ଟ ମାସରେ ୪୪ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Spread the love