ଗୃହରେ ୨ଟି କ୍ରିମିନାଲ୍ କେସ୍ ଆଣୁଛି ବିଜେପି, କାହାକୁ ଦୋଷୀ ସାବ୍ୟସ୍ତ କରିବେ ନିଜେ ନେଉଛନ୍ତି ନିଷ୍ପତ୍ତି : ପ୍ରମିଳା ମଲ୍ଲିକ

ଭୁବନେଶ୍ବର ୨।୯: ବିଜେପି ସବୁ ଅଧିବେଶନରେ ଦୁଇଟି କ୍ରିମିନାଲ କେସ୍ ଗୃହକୁ ଆଣିଛନ୍ତି। ସେମାନେ ନିଜେ କୋର୍ଟ, ନିଜେ ପକ୍ଷ, ନିଜେ ଜଜ୍ ହୋଇଯାଉଛନ୍ତି । କାହାକୁ ଦୋଷୀ ସାବ୍ୟସ୍ତ କରିବେ ନିଜେ ନିଷ୍ପତ୍ତି ନେଇଯାଉଛନ୍ତି । ଅନ୍ୟ କୌଣସି କଥା ଆଲୋଚନା କରିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି । 

ରାଜ୍ୟରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଛି। ବିଭିନ୍ନ ସମସ୍ୟା ଅଛି । ବର୍ତ୍ତମାନ ସାରା ବିଶ୍ବରେ କୋଭିଡ୍ ପରିସ୍ଥିତି ଦେଖାଦେଇଛି । ତା ଉପରେ ଆଲୋଚନା କରିବାକୁ ବି ଆସୁନାହାନ୍ତି। ବିଭିନ୍ନ ନିର୍ବାଚନ ମଣ୍ଡଳୀର କେଉଁଠି ଜଳ ସେଚନର ଅସୁବିଧା ଅଛି, ପିଇବ ପାଣି ସମସ୍ୟା, ଶିକ୍ଷକ ନାହାନ୍ତି, ଡାକ୍ତର ନାହାନ୍ତି, ଛାତ୍ରଛାତ୍ରୀଙ୍କ ସମସ୍ୟା ଅଛି, ବେକାରୀ ସମସ୍ୟା ଅଛି ସେ ବିଷୟରେ ଆଲୋଚନା କରୁନାହାନ୍ତି ।

ଏପରିକି ବାଚସ୍ପତି ମରୁଡି ଉପରେ ଆଲୋଚନା କରିବାକୁ ଗୃହରେ ଘୋଷଣା କଲେ । ଚାଷୀଙ୍କ ଉପରେ ମଧ୍ୟ ଆଲୋଚନା କରିବାକୁ ଆସୁନାହାନ୍ତି । ସଂସଦରେ ତାଙ୍କ ସରକାର ବିରୋଧୀ ଆଲୋଚନାକୁ ଆସିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରୁଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ କାନ୍ଦି ପକାଉଛନ୍ତି । କିନ୍ତୁ ଏଠି ଏମାନେ ଆଲୋଚନାକୁ ଆସୁନାହାନ୍ତି।  କାଳେ ତାଙ୍କ ଦୋଷ ଦୁର୍ବଳତା ପଦାରେ ପଡିଯିବ।  କେବଳ ନିଜ ଆତ୍ମପ୍ରଚାର କରିବାକୁ ସେମାନେ ବିଧାନସଭା ଆସିଛନ୍ତି। ଲୋକଙ୍କ ସମସ୍ୟା ତାଙ୍କ ଆଖିକୁ ଦେଖାଯାଉନି । କେତେବେଳେ କୌଣସି ସମସ୍ୟା ଉପରେ ଆଲୋଚନା କରିବାକୁ ଆଗ୍ରହ ନୁହନ୍ତି । କେବଳ ଦୁଇଟି କ୍ରିମିନାଲ କେସ୍ ପଛରେ ପଡିଛନ୍ତି । ଗୃହକୁ ଅଚଳ କରୁଛନ୍ତି। ବିଜେପିର ଚାଲାକିକୁ ଓଡିଶାବାସୀ ବୁଝିଛନ୍ତି।

Spread the love