ପଞ୍ଜଶୀର ଘାଟିରେ ଘମାଘୋଟ ଯୁଦ୍ଧ : ମାସୁଦ ସେନାକୁ ଚାରିପଟୁ ଘେରିରହିଛନ୍ତି ତାଲିବାନୀ

କାବୁଲ ୦୨/୦୯ : ଆଫଗାନିସ୍ତାନକୁ କବ୍‌ଜା କରିସାରିଥିବା ତାଲିବାନ ଏବେ ପଞ୍ଜଶୀର ପାଇଁ ସଂଘର୍ଷ କରୁଛି । ସମ୍ପୂର୍ଣ୍ଣ ଆଫଗାନ୍‌କୁ ନିଜ କବ୍‌ଜାକୁ ନେଇସାରିଥିଲେ ସୁଦ୍ଧା ଏବେ ପଞ୍ଜଶୀରରେ ପଶିବାକୁ ଭରପୁର ପ୍ରୟାସ କରୁଛନ୍ତି ତାଲିବାନୀ । ପଞ୍ଜଶୀର ଘାଟିରେ ସେମାନଙ୍କୁ ଜୋରଦାର ଟକ୍କର ଦେଉଛନ୍ତି ନର୍ଦର୍ନ ଆଲିୟାନ୍ସ । ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳିମାଡ ଜାରିରହିଛି । କୌଣସି ପରିସ୍ଥିତିରେ ମଧ୍ୟ ପଛକୁ ହଟିବାକୁ ନାରାଜ ମହମ୍ମଦ ମାସୁଦ ସେନା ।

ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ତାଲିବାନୀମାନେ ସମ୍ପୂର୍ଣ୍ଣ ଭାବେ ପଞ୍ଜଶୀର ଘାଟିକୁ ଚାରିପଟୁ ଘେରି ରହିଛନ୍ତି । ତେଣୁ ଉଭୟ ପକ୍ଷ ମଧ୍ୟରେ ଜୋରଦାର ସଂଘର୍ଷ ଜାରିରହିଥିବା ବେଳେ ଆଗାମୀ ଦିନରେ ଆହୁରି ଘାତକ ରୁପ ନେବ ବୋଲି ଅନୁମାନ କରାଯାଉଛି । କାରଣ ପଞ୍ଜଶୀର ହିଁ ଗୋଟିଏ ଅଞ୍ଚଳ ଯେଉଁଠାରେ ଏବେବି ତାଲିବାନ ପହଞ୍ଚିବାକୁ ସକ୍ଷମ ହୋଇନାହିଁ ।

ପଞ୍ଜଶୀର ସିଂହ କୁହାଯାଉଥିବା ଅହମ୍ମଦ ଶାହା ମାସୁଦର ପୁଅ ଅହମ୍ମଦ ମାସୁଦଙ୍କ ନେତୃତ୍ବରେ ମାସୁଦ ସେନା ତାଲିବାନୀଙ୍କୁ କଡା ଟକ୍କର ଦେଉଛନ୍ତି । ପଞ୍ଜଶୀରର ପ୍ରବେଶ ପଥରେ ଆକ୍ରମଣ ଜୋରଦାର କରିଛି ତାଲିବାନ । ଅଗଷ୍ଟ ୧୫ରେ କାବୁଲ କବ୍‌ଜା କରିଥିଲା ତାଲିବାନ । କିନ୍ତୁ ବର୍ତ୍ତମାନ ସୁଦ୍ଧା ପଞ୍ଜଶୀରକୁ ନିଜ ଅକ୍ତିଆରକୁ ନେଇ ପାରିନି ତାଲିବାନ ।

ଅହମ୍ମଦ ମାସୁଦଙ୍କ ବ୍ୟତିତ ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ପଞ୍ଜଶୀରରେ ରହି ରଣନୀତି ପ୍ରସ୍ତୁତ କରୁଛନ୍ତି । ଟ୍ବିଟ୍ କରି ସାଲେହ କହିଛନ୍ତି, ଆଫଗାନିସ୍ତାନର ନାଗରିକମାନଙ୍କ ପାଇଁ ଲଢେଇ ଜାରିରଖିଛି ପଞ୍ଜଶୀର ଏବଂ ଶେଷ ପର୍ଯ୍ୟନ୍ତ ଲଢେଇ ଜାରିରଖିବ ।

Spread the love