ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ କିଟ୍ର ସଫଳତା, ବିଶ୍ୱ ରାଙ୍କିଂରେ ଉପରକୁ ଉଠିବା ସହ ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଛି
ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍ ବିଶ୍ୱବିଦ୍ୟାଳୟର ରାଙ୍କ । ଗୁରୁବାର ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ରାଙ୍କିଙ୍ଗ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍ ଅତ୍ୟଧିକ ଭଲ କରିଛି । ପ୍ରତିବର୍ଷ ପରି ଚଳିତବର୍ଷ ଦି ଟାଇମ୍ସ ହାଇଅର ଏଜୁକେସନ୍ ରାଙ୍କିଙ୍ଗ-୨୦୨୨ ଫଳାଫଳ ଆଜି ପ୍ରକାଶ ପାଇଛି । ପୂର୍ବବର୍ଷ କିଟ୍ ୧୦୦୦+ ସ୍ଥାନରେ ରହିଥିବା ବେଳେ ଏବର୍ଷ ୨ଶହ ରାଙ୍କିଙ୍ଗକୁ ଉନ୍ନୀତ ହୋଇ ୮୦୦+ରେ ରହିଛି । ଇଂଜିନିୟରିଂରେ କିଟ୍ ବିଶ୍ୱବିଦ୍ୟାଳୟ ପୂର୍ବବର୍ଷ ୬୦୦ ସ୍ଥାନରେ ଥିବା ବେଳେ ଏବର୍ଷ ମଧ୍ୟ ଏଥିରେ ଅଗ୍ରଗତି ହୋଇଛି ।
ସେହିପରି ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଅମ୍ରିତା ବିଶ୍ୱ ବିଦ୍ୟାପୀଠମ୍ ଓ ଏନ୍ଆଇଟି ରାଉରକେଲା ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ସେମାନଙ୍କ ପୂର୍ବ ବର୍ଷ ରାଙ୍କିଙ୍ଗ ୮୦୦+ ବଜାୟ ରଖିଛନ୍ତି । ଆଇଆଇଟି ଭୁବନେଶ୍ୱର ଓ ମନିପାଲ୍ ଆକାଡେମୀ ଅଫ୍ ହାଇଅର ଏଜୁକେସନ୍ ୧୦୦୦+ ସ୍ଥାନରେ ରହିଥିବା ବେଳେ ଏସ୍ଆର୍ଏମ୍ ୧୨୦୦+ ରାଙ୍କରେ ରହିଛନ୍ତି । ଚଳିତବର୍ଷ ଦି ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ କିଟ୍ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ପୂର୍ବଭାରତରେ ଥିବା ଡିମ୍ଡ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ମଧ୍ୟ ପ୍ରଥମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି ।
ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ମିଳିତ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । କିଟ୍ ବିଶ୍ୱବିଦ୍ୟାଳୟର ୨୮ଟି ପାଠ୍ୟକ୍ରମକୁ ହିସାବକୁ ନିଆଯାଇ ରାଙ୍କିଙ୍ଗ କରାଯାଇଛି । ଯଦି କିଟ୍ର ଇଂଜିନିୟିରଂ କିମ୍ବା ୨/୩ଟି ପାଠ୍ୟକ୍ରମକୁ ବିଚାରକୁ ନିଆଯାଇଥିଲେ କିଟ୍ ବିଶ୍ୱବିଦ୍ୟାଳୟର ରାଙ୍କ ଆହୁରି ଉନ୍ନତ ସ୍ଥାନରେ ରହି ପାରିଥାନ୍ତା ।