କଂଗ୍ରେସ ଏପରି ଜମିଦାର ଯିଏ ଏବେ ନିଜର ମହଲ ବି ମରାମତି କରିପାରୁନାହାନ୍ତି: ଶରଦ ପାୱାର

ନୂଆଦିଲ୍ଲୀ ୧୦।୯:  ପ୍ରାୟ ୨୨ ବର୍ଷ ପୂର୍ବେ କଂଗ୍ରେସ ଛାଡି ନିଜର ରାଜନୈତିକ ଦଳ ଗଠନ କରିଥିବା ଶରଦ ପାୱାର କଂଗ୍ରେସକୁ ଜମିଦାରଙ୍କ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଏପରି ଜମିଦାର ଯିଏ ଏବେ ନିଜର ପୁରୁଣା ମହଲ ମରାମତି ଲାଗି ମଧ୍ୟ ଅସମର୍ଥ। କଂଗ୍ରେସକୁ ଏବେ ଏହା ସ୍ୱୀକାର କରିନେବା ଦରକାର ବୋଲି ସେ କହିଛନ୍ତି। ‘କଂଗ୍ରେସ ମୁକ୍ତ ଭାରତ’ ଘୋଷଣା କରୁଥିବା ବିଜେପି କଂଗ୍ରେସ ଲାଗି ଯେତେ ଚିନ୍ତାର କାରଣ ନୁହେଁ ଦଳୀୟ ଅନ୍ତର୍ଦ୍ୱନ୍ଦ ହିଁ ଦଳର ଅଧୋଗତିର କାରଣ ବୋଲି କହିଛନ୍ତି ପାୱାର।

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଏକ ମିଡିଆ ଗ୍ରୁପର କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ପୂର୍ବତନ ଜମିଦାରମାନଙ୍କର ଉଦାହରଣ ଦେଇ କଂଗ୍ରେସ ଉପରେ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଏକ ସମୟ ଥିଲା କାଶ୍ମୀରରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ଲୋକେ କେବଳ କଂଗ୍ରେସକୁ ହିଁ ଚିହ୍ନୁଥିଲେ। ହେଲେ ଏବେ ସମୟ ବଦଳି ଯାଇଛି। କିନ୍ତୁ ଏହି ସତ୍ୟକୁ କଂଗ୍ରେସ ସ୍ୱୀକାର କରୁ ନାହିଁ। ଯେଉଁ ଦିନ ଦଳ ଏହି ସତ୍ୟକୁ ସ୍ୱୀକାର କରିବ ସେବେ କଂଗ୍ରେସରେ ସୁଧାର ଆରମ୍ଭ ହେବ।  ଅନ୍ୟ ବିରୋଧୀ ଦଳଙ୍କ ସହ କଂଗ୍ରେସର ଅନ୍ତରଙ୍ଗତା ମଧ୍ୟ ବଢିଯିବ ବୋଲି ପାୱାର କହିଛନ୍ତି।

କଂଗ୍ରେସ ହାଇକମାଣ୍ଡ ହୁଏତ ପାୱାରଙ୍କ ମନ୍ତବ୍ୟକୁ ସ୍ୱୀକାର କରିନପାରନ୍ତି। ହେଲେ ପାର୍ଟି ଏବେ ନିଜ ସମୟର ସବୁଠୁ ସଂକଟ କାଳ ଦେଇ ଗତି କରୁଥିବା କଥାକୁ ଅସ୍ୱୀକାର କରିପାରିବେନି। ପାର୍ଟିର ବରିଷ୍ଠ ନେତାମାନେ ମଧ୍ୟ ଏବେ ଆତ୍ମ ମନ୍ଥନର ଆବଶ୍ୟକତା କଥା କହିଲେଣି। ପଞ୍ଜାବ,ରାଜସ୍ଥାନ, ଛତିଶଗଡ ଓ କେରଳ ସମେତ ଅନେକ ପ୍ରଦେଶ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ ଲାଗି ରହିଛି। ଦଳର ନିର୍ବାଚନୀ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ଖରାପ।

୨୦୧୯ ସାଧାରଣ ନିର୍ବାଚନରେ  କଂଗ୍ରେସ ଅତି କଷ୍ଟରେ ଲୋକସଭାର ୫୦ ପ୍ରତିଶତ ଆସନ ହାତେଇଛି। ହେଲେ ଏହାର ପୂର୍ବ ସାଧାରଣ ନିର୍ବାଚନ ୨୦୧୪ରେ ଦଳ ସଂସଦରେ ବିରୋଧୀ ଦଳ ହେବାକୁ ବି ଯୋଗ୍ୟ ନଥିଲା। ସେହିପରି ପରବର୍ତ୍ତି ବିଧାନସଭା ନିର୍ବାଚନ ମାନଙ୍କରେ ମଧ୍ୟ ଦଳ ସେପରି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରୁନାହିଁ। ଦେଶର କେବଳ ୩ଟି ରାଜ୍ୟରେ ପଞ୍ଜାବ, ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ ନିଜ ବଳରେ ସରକାର କରିଛି। ମହାରାଷ୍ଟ୍ର, ଝାରଖଣ୍ଡ ଓ ତାମିଲନାଡୁରେ କଂଗ୍ରେସର ସରକାର ରହିଛି। ହେଲେ ଏଥିରେ ଦଳକୁ ମେଣ୍ଟର ସାହାରା ନେବାକୁ ପଡିଛି ନଚେତ ମେଣ୍ଟରେ ସହଯୋଗୀ ହୋଇଛି।

ଦୀର୍ଘ ଦଶକ ଧରି ଦେଶରେ ରାଜ କରିଥିବା କଂଗ୍ରେସ ଏବେ ମାତ୍ର ୩ଟି ରାଜ୍ୟରେ ସୀମିତ ହୋଇଯାଇଛି। ଏହି ରାଜ୍ୟମାନଙ୍କରେ ଯଦିଓ ସରକାର କଂଗ୍ରେସ ଗଢିଛି ତେବେ ଅନ୍ତର୍ଦ୍ୱନ୍ଦରୁ ମୁକ୍ତ ନୁହେଁ। କଂଗ୍ରେସ ବନାମ କଂଗ୍ରେସ ଲଢେଇ ଯୋଗୁ ଏବେ କଂଗ୍ରେସର ଅସ୍ତିତ୍ୱ ବିପଦରେ ପଡି ଯାଇଛି। ଯାହାର ଫଳାଫଳ ଗତ ଦୁଇଟି ଲୋକସଭା ନିର୍ବାଚନରେ ଦେଖା ଯାଇଛି। ଏଥିରେ ଯଦି କଂଗ୍ରେସ ଏବେଠୁ ନିଜକୁ ନ ସମ୍ଭାଳେ ତେବେ ଆଗକୁ ଦଳର ପରିସ୍ଥିତି ଆହୁରି ଖରାପ ନ ହେବା ତାହା କହିହେବ ନାହିଁ।

Spread the love