ଚୀନ୍ ମୁହାଁଇଛି ‘ଚନ୍ଥୁ’, ଝୋଉସାନରେ ଭୂ-ଭାଗକୁ ପ୍ରବେଶ କରିପାରେ ବର୍ଷର ଦ୍ୱିତୀୟ ବଡ଼ ବାତ୍ୟା

ବେଜିଂ୧୨।୯:  ଚୀନ୍ ପାଣିପାଗ ବିଭାଗ ରବିବାର ସାମୁଦ୍ରିକ ବାତ୍ୟା ‘ଚନ୍ଥୁ’ ଲାଗି ଅରେଞ୍ଜ ଆଲର୍ଟ ଜାରି କରିଛି। ବାତ୍ୟା ଏବେ ସମୁଦ୍ର ଭିତରକୁ ଚାଲିଯାଇଛି। ତେବେ ସୋମବାର ଝୌସାନ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିପାରେ ବୋଲି ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛନ୍ତି। ଚୀନ ଉପକୂଳକୁ ମୁହାଁଇଥିବା ଏହା ବର୍ଷର ଚତୁର୍ଦ୍ଦଶ ସାମୁଦ୍ରିକ ବିତ୍ପାତ। ଏହି ବାତ୍ୟା ଯୋଗୁ ସମୁଦ୍ରରେ ଏବେ ପ୍ରତି ସେକେଣ୍ଡ ୫୨କିଲୋମିଟର ବେଗରେ ଝଡ ବହୁଥିବା କୁହାଯାଇଛି।

ଏହା ପୂର୍ବ ତାଇୱାନରୁ ୨୪ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୧୨୨.୪ ଡିଗ୍ରି ଦ୍ରାଘିମା ଦେଇ ରବିବାର ସମୁଦ୍ରକୁ ପଶି ଯାଇଛି। ଏହା ଏବେ ଘଣ୍ଟାପ୍ରତି ୨୦ରୁ ୨୫ କିଲମିଟର ବେଗରେ ସମୁଦ୍ରରେ ଗତି କରୁଥିବା ବେଳେ ସୋମବାର ପୂର୍ବାହ୍ନ ସ୍ଥାନୀୟ ସମୟ ୯ଟା ବେଳେ ଭୂ-ଭାଗକୁ ଛୁଇଁବ। ଏହାର ପ୍ରଭାବ ସାଂଘାଇ ସମେତ ଝେଜିଆଙ୍ଗ, ଜିଆଙ୍ଗସୁ, ଫୁଜିଆନ ଓ ତାଇୱାନରେ ମଧ୍ୟ ଅନୁଭୂତ ହେବ। ରବିବାର ଅପରାହ୍ନରୁ ସୋମବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏଥିଯୋଗୁ ଝଡତୋଫାନ ହୋଇପାରେ ବୋଲି ସତର୍କ କରାଇ ଦିଆଯାଇଛି।

ଚୀନ୍‌ ପାଣିପାଗ ବିଭାଗ ସାମୁଦ୍ରିକ ବାତ୍ୟାର ଭୀଷଣତାକୁ ନେଇ ୪ ପ୍ରକାରର କଲର କୋଡିଂ ବ୍ୟବସ୍ଥା କରିଛନ୍ତି। ଏଥିରେ ଅତ୍ୟାଧିକ କ୍ଷୟଖାରୀ ସାମୁଦ୍ରିକ ବାତ୍ୟା ଲାଗି ଲାଲ ୱାର୍ଣ୍ଣିଂ ଜାରି କରାଯାଉଥିବା ବେଳେ ଏହାଠାରୁ କମ୍ ପ୍ରଭାବୀ ବାତ୍ୟା ଲାଗି ଅରେଞ୍ଜ, ୟେଲୋ ଓ ବ୍ଲୁ ୱାର୍ଣ୍ଣିଂ ଜାରି ହୁଏ। ଏଥିରେ ଚନ୍ଥୁ ଲାଗି ଶନିବାର ଠାରୁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି ରଖିଛନ୍ତି।   

Spread the love