ପରିବାର ସହ ରାଜଭବନ ପହଞ୍ଚିଲେ ଚରଣଜିତ ସିଂହ ଚନ୍ନି, ସୋମବାର ୧୧ଟାରେ ଶପଥ ଗ୍ରହଣ

ଚଣ୍ଡିଗଡ ୧୯।୦୯: ରବିବାର ଦିନ ସାରା ମାନସ ମନ୍ଥନ ଏବଂ ଅନେକ ଦାବିଦାରଙ୍କ ଉପରେ ତର୍ଜମା ପରେ ଶେଷରେ କଂଗ୍ରେସ ଦଳିତ ନେତା ଚରଣଜିତ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ଚନ୍ନି ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ପୂର୍ବାହ୍ନ ୧୧ଟାରେ ଶପଥ ନେବେ। ରବିବାର ସନ୍ଧ୍ୟା ୬ଟା ୩୦ରେ ଚନ୍ନି ରାଜ୍ୟପାଳଙ୍କୁ ଭେଟିବା ପାଇଁ ରାଜଭବନ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳକୁ ପ୍ରଦାନ କରିଛନ୍ତି।

ଏହି ସମୟରେ ଚନ୍ନିଙ୍କ ସହ ପଞ୍ଜାବ ରାଜ୍ୟ  କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ଏବଂ ପ୍ରଭାରୀ ହରିଶ ରାଓ୍ଵତ ଉପସ୍ଥିତ ଥିଲେ। ଏହା ବ୍ୟତୀତ ଚନ୍ନିଙ୍କ ପରିବାର ମଧ୍ୟ ରାଜଭବନରେ ଉପସ୍ଥିତ ଥିଲେ। ୫୮ ବର୍ଷୀୟ ଚରଣ ସିଂହ ଚନ୍ନି ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ସେ କ୍ୟାପଟେନ୍ ମନ୍ତ୍ରିମଣ୍ଡଳରେ ବୈଷେୟିକ ଶିକ୍ଷା ମନ୍ତ୍ରୀ ଥିଲେ। ସେ ଚମକୌର ସାହିବ ନିର୍ବାଚନ ମଣ୍ଡଳିରୁ ତିନି ଥରର  ବିଧାୟକ। ଚନ୍ନି ୨୦୧୫ରୁ ୨୦୧୬ ପର୍ଯ୍ୟନ୍ତ ପଞ୍ଜାବ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ। ୨୦୧୭ ମାର୍ଚ୍ଚରେ କ୍ୟାପଟେନ୍ ସରକାରରେ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରାଯାଇଥିଲା।

ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ରାଓ୍ଵତ ଟ୍ଵିଟ୍ କରିଛନ୍ତି ଯେ, ମୋତେ ଏହା ଘୋଷଣା କରି ବହୁତ ଖୁସି ଲାଗୁଛି ଯେ, ଚରଣଜିତ ସିଂହଙ୍କୁ ସର୍ବସମ୍ମତିକ୍ରମେ ପଞ୍ଜାବ କଂଗ୍ରେସ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ଚନ୍ନି ଏବେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ସ୍ଥାନ ନେବେ।

Spread the love