ବାପା-ମା’ଙ୍କ ବିରୋଧରେ ମାମଲା ରୁଜୁ କଲେ ଅଭିନେତା ଥଲାପତି ବିଜୟ

ମୁମ୍ବାଇ ୨୦/୦୯: ‘ମାଷ୍ଟର’ ଅଭିନେତା ଥଲାପତି ବିଜୟ ତାଙ୍କ ଫିଲ୍ମ ଏବଂ ଷ୍ଟାଇଲ୍‌କୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର ସେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ମାଡ୍ରାସ ହାଇକୋର୍ଟରେ ନିଜ ବାପା-ମା’ଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି।

ସୂଚନାନୁସାରେ, ବିଜୟ ତାଙ୍କ ବାପା-ମା’ଙ୍କ ସହ ମୋଟ ୧୧ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ବିଜୟଙ୍କ ବାପା ତଥା ନିର୍ଦ୍ଦେଶକ ଏସ.କେ ଚନ୍ଦ୍ରଶେଖର କିଛି ସମୟ ପୂର୍ବରୁ ଏକ ରାଜନୈତିକ ଦଳ ଆରମ୍ଭ କରିଥିଲେ, ଯାହାର ନାମ ଥିଲା ‘ଅଲ ଇଣ୍ଡିଆ ଥଲାପତି ବିଜୟ ମକ୍କଲ ଇୟକ୍କମ୍’। କୁହାଯାଉଛି ଯେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଦଲିଲରେ ବିଜୟଙ୍କ ବାପା ଏହି ନିର୍ବାଚନୀ ଦଳର ସାଧାରଣ ସମ୍ପାଦକ ଭାବରେ ନାମିତ ହୋଇଥିବାବେଳେ ତାଙ୍କ ମାତା ଶୋଭା ଚନ୍ଦ୍ରଶେଖର ଏହାର କୋଷାଧ୍ୟକ୍ଷ ଅଟନ୍ତି।

କିଛି ସମୟ ପୂର୍ବରୁ ବିଜୟ ଏକ ବିବୃତ୍ତିରେ କହିଥିଲେ ଯେ ତାଙ୍କର ଏହି ନିର୍ବାଚନ ଦଳ ସହ କୌଣସି ସମ୍ପର୍କ ନାହିଁ। ବିଜୟ ତାଙ୍କ ବିବୃତ୍ତିରେ କେବଳ ତାଙ୍କ ନାମ ପାଇଁ ଏହି ପାର୍ଟୀରେ ଯୋଗ ନଦେବାକୁ ପ୍ରଶଂସକଙ୍କୁ ନିବେଦନ କରିଥିଲେ। ବିଜୟ ଆହୁରି କହିଥିଲେ ଯେ ଯଦି କେହି ତାଙ୍କ ନାମ, ତାଙ୍କ ଇମେଜ୍ କିମ୍ବା ତାଙ୍କ ଫ୍ୟାନ୍ କ୍ଲବ ବ୍ୟବହାର କରନ୍ତି, ତେବେ ସେ ତାଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବେ। ଏହା ପରେ ଏବେ କୁହାଯାଉଛି ଯେ ବିଜୟ ତାଙ୍କ ବାପା-ମା’ଙ୍କ ସମେତ ୧୧ ଜଣଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଅଭିଯୋଗ କରିଛନ୍ତି।

ଥଲାପତି ବିଜୟ ଦକ୍ଷିଣ ଭାରତୀୟ ସିନେମାର ଏକ ବଡ ନାମ। ବିଜୟ ଅନେକ ବଡ କମ୍ପାନୀ ପାଇଁ ବିଜ୍ଞାପନ କରନ୍ତି। ଆକଳନ କରାଯାଇଛି ଯେ ପ୍ରତିବର୍ଷ ସେ ବିଜ୍ଞାପନରୁ ୧୦ କୋଟି ରୋଜଗାର କରନ୍ତି। 

Spread the love