ସଂସ୍କୃତି ମନ୍ତ୍ରୀ ଅନୁଧ୍ୟାନ କଲେ କ୍ଷୟକ୍ଷତି, ରାଜ୍ୟ ସଂଗ୍ରହାଳୟ ଖୋଲିବା ବିଳମ୍ବିତ ହେବ

ଭୁବନେଶ୍ୱର: ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୂର୍ବାହ୍ନରେ
ଘୂର୍ଣ୍ଣିବାତ୍ୟା ‘ଫନୀ’ ପ୍ରଭାବିତ ରାଜ୍ୟ ସଂଗ୍ରହାଳୟ ଯାଇ ବିଭିନ୍ନ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହିତ ବିଭିନ୍ନ  ଗୃହ, ଗ୍ୟାଲେରୀ ଓ ଅଞ୍ଚଳ ପରିଦର୍ଶନ କରିଥିଲେ । ସେ ପଦାଧିକାରୀମାନଙ୍କଠାରୁ ବିଭିନ୍ନ ତଥ୍ୟ ସଂଗ୍ରହ  କରିଥିଲେ । ସଂଗ୍ରହାଳୟ ପରିସରରେ ବ୍ୟାପକ ଭାବରେ ଗଛବୃଚ୍ଛ ଭାଙ୍ଗିବା ସହିତ ଉଦ୍ୟାନ ଓ ସୌନ୍ଦର୍ଯ୍ୟକରଣ ନଷ୍ଟ ହୋଇଯାଇଛି । ସଂଗ୍ରହାଳୟର ସମ୍ମିଳନୀ ପ୍ରକୋଷ୍ଠ ଭାଙ୍ଗିଯାଇଛି । ମୁଦ୍ରା ବିଭାଗ ଗ୍ୟାଲେରୀର ଛାତ
କ୍ଷତିଗ୍ରସ୍ତ ହୋଇଛି । ସଂଗ୍ରହାଳୟରେ ଲାଗିଥିବା ୧୨୦ଟି ବାତାନୁକୂଳ ଯନ୍ତ୍ରରୁ ପ୍ରାୟ ୩୦ଟି ନଷ୍ଟ ହୋଇଯାଇଛି । ତୁରନ୍ତ ବିଭିନ୍ନ ପୁନଃନିର୍ମାଣ କାର୍ଯ୍ୟ ଓ ବିଦୁ୍ୟତ ସରବରାହ ତଥା ପାନୀୟ ଜଳଯୋଗାଣକୁ ସୁସଂହତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ପଣ୍ଡା ବିଭାଗୀୟ ପଦାଧିକାରୀମାନଙ୍କ ସହ କଥାବାର୍ତ୍ତା କରି
କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସଂଗ୍ରହାଳୟର ପ୍ରାୟ ୧୫
କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି । ତେବେ ତୁରନ୍ତ ମରାମତି କାର୍ଯ୍ୟ
ଏବଂ କ୍ଷତିଗ୍ରସ୍ତ ବାତାନୁକୂଳ ଯନ୍ତ୍ରଗୁଡ଼ିକୁ ସଚଳ କରିବା ପର୍ଯ୍ୟନ୍ତ ସଂଗ୍ରହାଳୟକୁ ବନ୍ଦ ରଖିବାକୁ ମନ୍ତ୍ରୀ
କହିଥିଲେ । ସେଥିପାଇଁ ସର୍ବସାଧାରଣଙ୍କ ନିମନ୍ତେ ସଂଗ୍ରହାଳୟ ଖୋଲିବା ବିଳମ୍ବିତ ହୋଇପାରେ ବୋଲି
କୁହାଯାଇଛି । ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ପରିଦର୍ଶନ ଓ ଅନୁଧ୍ୟାନ ସମୟରେ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ
ମନୋରଞ୍ଜନ ପାଣିଗ୍ରାହୀ, ବିଭାଗର ଅନ୍ୟାନ୍ୟ ପଦାଧିକାରୀ, ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥଙ୍କ
ସମେତ କର୍ମଚାରୀ ଏବଂ କୁ୍ୟରେଟରମାନେ ଉପସ୍ଥିତ ଥିଲେ ।

Spread the love