ପଞ୍ଚଭୂତରେ ଲୀନ ହେଲେ ସାମ୍ବାଦିକ ଅରିନ୍ଦମ ଦାସ

ପାଟଣା ୨୫।୦୯ : ପଞ୍ଚଭୂତରେ ଲୀନ ହେଲେ ସାମ୍ବାଦିକ ଅରିନ୍ଦମ ଦାସ । ଅରିନ୍ଦମକୁ ଝୁରୁଛି ଗାଁ ମାଟି । କେନ୍ଦୁଝର ପାଟଣା ଥାନା ରାଇକଳା ଗାଁ ନିକଟ ବୈତରଣୀ ନଦୀକୂଳ ସ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି । କକା ପୁଅ ଭାଇ ମାନସ ରଞ୍ଜନ ଦାସ ଦେଲେ ମୁଖାଗ୍ନି । କାନ୍ଦ ବୋବାଳିରେ ଫାଟି ପଢୁଛି ସାରା ଗାଁ ।

ସୂଚନାଯୋଗ୍ୟ ଯେ, କଟକ ସ୍ଥିତ ମୁଣ୍ଡଳି ବ୍ୟାରେଜ୍‌ ନିକଟରେ ଏହା ଦନ୍ତା ହାତୀ ପାଣି ଭିତରେ ଫସିଯାଇଥିଲା । ହାତୀକୁ ଉଦ୍ଧାର କରିବାକୁ ଯାଇଥିଲେ ଓଡ୍ରାଫ୍‌ ଟିମ୍‌ । ତେବେ ଏହି ଓଡ୍ରାଫ୍‌ ଟିମ୍‌ର ୨ଜଣ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଯାଇଥିଲା । ହେଲେ ସେଠାରେ ପାଣି ସୁଅରେ ଓଡ୍ରାଫ୍ ଟିମ୍‌ ସହ ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ୍‌ ଦାସ ଭାସିଯାଇଥିଲେ । ଏହାର କିଛି ସମୟରେ ମୁଣ୍ଡଳି ବ୍ରିଜ୍‌ ନିକଟରୁ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇଥିଲା । ସେଠାରୁ ତାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଆଜି ଭୋରରୁ ଅରିନ୍ଦମଙ୍କ ମୃତଦେହ ଗାଁରେ ପହଁଚିବା ପରେ ଦେଖା ଦେଇଥିଲା ଶୋକାକୂଳ ପରିବେଶ । ଗତକାଲି ଘଟଣା ପରଠାରୁ ଗାଁରେ ଚୁଲି ଜଳିନାହିଁ। ଅରିନ୍ଦମଙ୍କ ପତ୍ନୀ ଏବଂ ମା ସମ୍ପୂର୍ଣ ବାକଶୂନ୍ୟ ହୋଇପଡିଛନ୍ତି । ଅରିନ୍ଦମଙ୍କ ପରିବାରରେ ତାଙ୍କର ବିଧବା ମା, ୨ ବର୍ଷର ପୁଅ ଏବଂ ସ୍ତ୍ରୀ ରହିଥିବା ବେଳେ ସମ୍ପୁର୍ଣ୍ଣ ପରିବାର ଅସହାୟ ହୋଇପଡିଛି ।

Spread the love