ବାପା…


ନା-ନା କଥାଟା ସେମିତି ନୁହେଁ । ପ୍ରସଙ୍ଗଟିର ପରିସରକୁ ମଧ୍ୟ ସେତିକିରେ ସୀମିତ କରି ଦେବାଟା
ଆଦୌ ଠିକ୍ ହେବନାହିଁ । ଆଜ୍ଞା, ଆମେ ଏଠାରେ ଯେଉଁ କଥା ବା ପ୍ରସଙ୍ଗକୁ ନେଇ ଏତେ ଚର୍ଚ୍ଚା
କରୁଛୁ, ତା’ର ଶୀର୍ଷକ ହେଉଛି ‘ବାପା’ ।
ବାସ୍ତବିକ ଦୁଇଟି ଅକ୍ଷର ବିଶିଷ୍ଟ ଏହି ବାପା ଶବ୍ଦଟିର ଆଙ୍ଗିକ ତଥା ଗାଠନିକ ପରିପ୍ରକାଶ ଅତି
କ୍ଷୁଦ୍ର ଓ ସଂକ୍ଷିପ୍ତ ହୋଇଥିଲେ ମଧ୍ୟ ଏହାର ଆତ୍ମିକ ମୂଲ୍ୟବୋଧ ଏବଂ ଅପରିହାର୍ଯ୍ୟ ଉପାଦେୟତା
ଅତ୍ୟନ୍ତ ପରିବ୍ୟାପ୍ତ । ଅଥଚ ଆଜିକାଲି ପ୍ରାୟ ଅଧିକାଂଶ ପରିବାରରେ ବୃଦ୍ଧ ମା ବାପା ମାନେ
ଅବହେଳିତ ଲାଞ୍ଛିତ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି । ଅବଶ୍ୟ ଆମେ ଏଠାରେ ଆନ୍ତର୍ଜାତୀୟ
ସାମାଜିକ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଥିବା ଚୀନର ‘ପୋଷ୍ୟପିତା’ଙ୍କ ସମ୍ପର୍କରେ କହିବାକୁ
ଚାହୁନାହୁଁ । ଭାରତୀୟ ସମାଜରେ ବୃଦ୍ଧ ବାପାମାନଙ୍କ ଦୈନ୍ୟ ଅବସ୍ଥାର ଏକ ସଂକ୍ଷିପ୍ତ କଳେବର
ଉପସ୍ଥାପନ କରିବାକୁ ଆମର ଆଭିମୁଖ୍ୟ ।
ଶାନ୍ତି ଶୈଶବର ସରଳତା, ବାଲ୍ୟ ଚପଳତା, କୌଶୋରର ଭାବ ପ୍ରବଣତା, ତପ୍ତ ତାରୁଣ୍ୟର ମାଦକତା
ଇତ୍ୟାଦିକୁ ଅତିକ୍ରମ କରି ଯୌବନରେ ପଦାର୍ପଣ କରୁଥିବା ପ୍ରତ୍ୟେକ ମଣିଷ ସାଂସାରିକ ବନ୍ଧନରେ
ଆବଦ୍ଧ ହେବା ଶୋଭାବିକ । ଏହା ହିଁ ତ ଆମ ସାମାଜିକ ସଂସ୍କାରର ଚିରନ୍ତନ ଏବଂ ସାର୍ବଜନୀନ
ପରମ୍ପରା । ସାଂସାରିକ ଜୀବନର ନିଦର୍ଶନ ସ୍ୱରୂପ ସହଧର୍ମୀଣି ସନ୍ତାନ ସନ୍ତତି, ବୃଦ୍ଧ ପିତାମାତା
ଏବଂ ପରିବାରର ଅନ୍ୟ ସମସ୍ତ ସଦସ୍ୟମାନଙ୍କର ଦାୟିତ୍ୱ ବହନ କରିବା ପାଇଁ ବାପାମାନେ ନିଜ ଜୀନବର
ସମସ୍ତ ଶକ୍ତି ସାମଥ୍ୟ ବିନିଯୋଗ କରିଥାନ୍ତି । ପିଲାମାନଙ୍କର ଲାଳନପାଳନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ
ଏପରିକି ସେମାନଙ୍କର ଚାକିରି ବୃତ୍ତି ନିମନ୍ତେ ପ୍ରତ୍ୟେକ ବାପା ନିଜ ଜୀବନକୁ ବାଜି ଲଗାଇ
ଆପ୍ରାଣ ଉଦ୍ୟମ କରିଥାନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି, ଗଣ୍ଡେ ଖାଇ ଦଣ୍ଡେ ଜୀଇଁ ସଂସାରର
କାହିଁ ଏତେ ବାପା ନିଜର ପୁଅ ଝିଅମାନଙ୍କୁ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ କରାଇଥିବାର ଯଥେଷ୍ଟ
ଉଦାହରଣ ରହିଛି । ମୋଟ ଉପରେ କହିବାକୁ ଗଲେ ପିଲାମାନଙ୍କର ଜୀବନକୁ ସରସ, ସୁନ୍ଦର ଏବଂ
ସତେଜ କରିବା ପାଇଁ ବାପାମାନେ ସର୍ବଦା ସଂକଳ୍ପ ବଦ୍ଧ ।

source by google

ମାତ୍ର ସମୟର ସାୟାହ୍ନରେ ଅର୍ଥାତ୍ ବୟସର ଅପରାହ୍ଣରେ ଏହି ବାପାମାନେ ଆଜିକାଲି ଅଲୋଡା-
ଅଖୋଜା- ଅଦରକାରୀ ଥିବାର ଲକ୍ଷ୍ୟ କରାଯାଉଛି । ପ୍ରତିଷ୍ଠିତ ପୁଅ ଝିଅମାନେ ନିଜର ବ୍ୟସ୍ତତା,
ପ୍ରଫେସନ, କ୍ୟାରିୟର ପିଲାମାନଙ୍କ ଶିକ୍ଷାଦୀକ୍ଷା ପାଇଁ ବାପାମାନଙ୍କଠାରୁ ଦୂରେଇ ଯାଉଛନ୍ତି । ଆଉ
କେତେକ କ୍ଷେତ୍ରରେ ବାପା ମାନଙ୍କ ପ୍ରତି ଉପଯୁକ୍ତ ଆଦର ଯତ୍ନ ଅଭାବରୁ ନିଜେ ବାପା ମଧ୍ୟ ନିଜ
ରୋଜଗାରିଆ ପୁଅଝିଅଠାରୁ ଦୂରେଇ ରହିବାକୁ ଉଚିତ ମନେ କରୁଛନ୍ତି । ଆଲୋ ସଖୀ ଆପଣ
ରଖି ନ୍ୟାୟରେ ବାପାମାନେ ଦୂରେଇ ଯିବା ସ୍ୱାଭାବିକ । ଆଧୁନିକ ସଭ୍ୟତାରେ ବଞ୍ଚୁଥିବା ଉଚ୍ଚ ପଦସ୍ତ
ପଦାଧିକାରୀଙ୍କ ବାପାମାନେ ତ ନିଜ ଘରେ କେୟାରଟେକର ମାନଙ୍କ ଦ୍ୱାରା ଲାଳିତ ପାଳିତ ହେଉଛନ୍ତି
କିମ୍ବା ଜରାଶ୍ରମରେ ଜୀବନ ବିତାଉଛନ୍ତି । ମଧ୍ୟବିତ୍ କିମ୍ବା ନିମ୍ନମଧ୍ୟବିତ ପରିବାରର ବାପାମାନେ
ନିଜ ପୁଅମାନଙ୍କ ଦ୍ୱାରା ବିଭାଜିତ ହୋଇ ପାଳି ଅନୁଯାୟୀ ବର୍ଷରେ ଏଠି ଦୁଇ ମାସ ତ ସେଠି
ଦୁଇମାସ ରୁଟେସନରେ  ରହୁଛନ୍ତି ।

source by google


ଏହା କ’ଣ ଆମ ଧର୍ମ, ସଂସ୍କୃତି ଓ ପରମ୍ପରାର ପରିଚାୟକ? ଯେଉଁ ବାପା ଧୂପ ଭଳି ନିଜ ଜୀବନକୁ
ତିଳ ତିଳ କରି ଜାଳି ପୁଅ ଝିଅମାନଙ୍କୁ  ମଣିଷ କରିଛନ୍ତି ସେହି ବାପାଙ୍କୁ ହତାଦର
କରିବା ଉଚିତ କି ? କଥିତ ସଭ୍ୟ ସମାଜର ସୁଶିକ୍ଷିତ ରୋଜଗାରିଆ ପୁଅମାନେ ନିଜର ଅତୀତ
ଜୀବନକୁ ମନେପକାଇ ବାପାଙ୍କ ତ୍ୟାଗ ଓ ମହାନତାକୁ ବୁଝିବା ଉଚିତ ନୁହେଁ କି ? ଆମେ ପ୍ରାୟ
ସମସ୍ତେ କଥା କଥାକେ କହିଥାଉ ମା ହେଉଛି ଧରିତ୍ରୀ, ସେ ସର୍ବଂସହା । ବାପା ହେଉଛନ୍ତି ସ୍ୱର୍ଗ ସେ
ମହାନ । ଆମେ ସେହି ସହାୟତାର ମୂଲ୍ୟ ଦେବା ଆବଶ୍ୟକ । ସଂମ୍ପୂର୍ଣ୍ଣ ଋଣ ପରିଶୋଧ କରିବା ତ
କୌଣସି ପରିସ୍ଥିତିରେ ସମ୍ଭବ ନୁହେଁ । ତେବେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ରହିବା ଜରୁରି ।
କାହିଁ କେଉଁ ଆବାହମାନକାଳରୁ ପ୍ରଚଳିତ ହୋଇ ଆସୁଥିବା ପଙ୍କକ୍ତିଟି ପ୍ରାସଙ୍ଗିକ ହୋଇପାରେ ।
“ପିତା ଧର୍ମ ପିତା ସ୍ୱର୍ଗ, ପିତା ହିଁ ପରମତପ
              ପିତରିପିତିମା ପନ୍ନେ ପ୍ରିୟନ୍ତେ ସର୍ବଦେବତା” ।

 

Spread the love