MI vs Punjab Kings: କ୍ରମାଗତ ତିନି ପରାଜୟ ପରେ ବିଜୟର ସ୍ଵାଦ ଚାଖିଲା ମୁମ୍ବାଇ, ଛକା ମାରି ଦଳକୁ ଜିତାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

ଆବୁଧାବି ୨୮।୦୯: ଆଇପିଏଲ-୨୦୨୧ର ୪୨ତମ ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ। ଦ୍ଵିତୀୟ ପର୍ଯ୍ୟାୟରେ କ୍ରମାଗତ ତିନୋଟି ପରାଜୟ ପରେ ବିଜୟ ହାସଲ କରିଛି ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ। ସୌରଭ ତିଓ୍ଵାରୀ(୪୫) ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ରୁତ ବ୍ୟାଟିଂ ବଳରେ ମୁମ୍ବାଇ ପଞ୍ଜାବ କିଙ୍ଗ୍ସକୁ ୬ ଓ୍ଵିକେଟ୍‌ରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ମାରକ୍ରମଙ୍କ ୪୨ ଏବଂ ଦୀପକ  ହୁଡାଙ୍କ ୨୮ ରନ ବଳରେ ୬ ଓ୍ଵିକେଟ୍ ବିନିମୟରେ ୧୩୫ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୯ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଛକା ମାରି  ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ଵାଇକୁ ଜିତାଇଛନ୍ତି। ହାର୍ଦ୍ଦିକ ୩୦ ବଲ୍‌ରୁ ୪୦ ରନର ମ୍ୟାଚ୍ ବିଜୟୀ ଅପରାଜିତ ଇନିଂସ ଖେଳିଛନ୍ତି। କିରଣ ପୋଲାର୍ଡ ୧୫ ରନରେ ଅପରାଜିତ ଥିଲେ। ପଞ୍ଜାବ କିଙ୍ଗ୍ସ ପକ୍ଷରୁ ରବି ବିଶ୍ନୋଇ ୨ଟି ସଫଳତା ପାଇଛନ୍ତି। ମୁମ୍ଵାଇ ୧୧ଟି ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ପଏଣ୍ଟ ତାଲିକାର ପଞ୍ଚମରେ ପହଞ୍ଚିଛି। ପଞ୍ଜାବ କିଙ୍ଗ୍ସ ସମାନ ମ୍ୟାଚ୍‌ରୁ ସପ୍ତମ ପରାଜୟ ଭୋଗି ଷଷ୍ଠ ସ୍ଥାନକୁ ଖସି ଆସିଛି।

ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ୮ ରନ କରିଥିବା ବେଳେ କ୍ଵିଣ୍ଟନ ଡିିକକ୍‌ ୨୭ ରନର ଇନିଂସ ଖେଳିଥିଲେ। ସୂର୍ଯ୍ୟକୁମାର ଯାଦବ ନିଜର ଖରାପ ଫର୍ମ ଜାରି ରଖି ଖାତା ମଧ୍ୟ ଖୋଲି ପାରିନଥିଲେ। ମଧ୍ୟକ୍ରମରେ ସୌରଭ ତିଓ୍ଵାରୀ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ମୁମ୍ବାଇ ସ୍ଥିତିରେ ସୁଧାର ଆଣିଥିଲେ। ସେ ଡିକକ୍‌ଙ୍କ ସହ ତୃତୀୟ ଓ୍ଵିକେଟ୍‌ରେ ୪୫ ରନ ଯୋଡିଥିଲେ। ସୌରଭ ତିଓ୍ଵାରୀ ୩୭ ବଲ୍‌ରୁ ୩ ଚୌକା ଓ ୨ ଛକା ସହ ୪୫ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ୯୨ ରନରେ ୪ ଓ୍ଵିକେଟ୍ ହରାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କିରଣ ପୋଲାର୍ଡ ଅବିଭାଜିତ ପଞ୍ଚମ ଓ୍ଵିକେଟ୍‌ରେ ୪୫ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ହାର୍ଦ୍ଦିକ ୩୦ ବଲ୍‌ରୁ ୪୦ ରନର ମ୍ୟାଚ୍ ବିଜୟୀ ଅପରାଜିତ ଇନିଂସ ଖେଳିଛନ୍ତି। କିରଣ ପୋଲାର୍ଡ ୭ ବଲରୁ ଦ୍ରୁତ ବ୍ୟାଟିଂ କରି ୧୫ ରନରେ ଅପରାଜିତ ଥିଲେ।

Spread the love