କୋଟିଆରେ ୪ ଓଡ଼ିଆ ଫଳକ ଲଗାଇଲେ ସରକାର : ପୂର୍ବରୁ ହଟାଇ ଦେଇଥିଲା ଆନ୍ଧ୍ର

କୋରାପୁଟ, ୦୧।୧୦ :  ଆନ୍ଧ୍ରକୁ ଓଡ଼ିଶାର କଡ଼ା ଜବାବ । କୋଟିଆରେ ଲାଗିଲା ଓଡ଼ିଆ ନାମ ଫଳକ । ଗତ ୨୭ ତାରିଖ ରାତିରେ ବିବାଦୀୟ କୋଟିଆରେ ଓଡ଼ିଶା ପକ୍ଷରୁ ଲଗାଯାଇଥିବା ନାମ ଫଳକକୁ ହଟାଇ ଦେଇଥିଲା ଆନ୍ଧ୍ର । ଆଉ ଗୁରୁବାର କୋରାପୁଟ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ପଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ୩ଟି ଗାଁରୁ ହଟାଯାଇଥିବା ୪ଟି ଫଳକକୁ ପୁଣି ଓଡ଼ିଆରେ ଲେଖାଯାଇଛି ।

ପଟାଙ୍ଗି ବିଡିଓ ଓ ସହକାରୀ ଇଞ୍ଜିନିୟର ଘଟଣାସ୍ଥଳରେ ପହଞ୍ଚି କୋଟିଆର ନେରେଡିବାଲାସାରେ ୨ଟି, ଉପରସେମ୍ବିରେ ଗୋଟିଏ ଏବଂ ଅର୍ଜୁବାଲାସାରେ ଗୋଟିଏ ନାମ ଫଳକକୁ ଓଡ଼ିଆରେ ପୁଣି ଲେଖାଇଛନ୍ତି । ଏଠାରେ ଲାଗିଥିବା ଓଡ଼ିଆ ନାମ ଫଳକକୁ ଲିଭାଇ ଦେଇଥିଲା ଆନ୍ଧ୍ରପ୍ରଦେଶ । ଯାହାର ଜବାବରେ କୋରାପୁଟ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । କୋଟିଆର ୩ଟି ସ୍ଥାନରେ ଓଡ଼ିଆ ଅକ୍ଷରରେ ନାମ ଫଳକ ମରାଯାଇଛି । ଗତ ୨୭ ତାରିଖରେ ବାତ୍ୟା ଗୁଲାବରେ ୨୬ ନମ୍ବର ଜାତୀୟ ରାଜପଥ ସମେତ କୋଟିଆର ୩ଟି ସ୍ଥାନରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଥିଲା ।

ରାସ୍ତା ଅବରୋଧ ହଟାଇବା ଓ ପୁନରୁଉଦ୍ଧାର କାର୍ଯ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ଲାଗିଥିବା ବେଳେ ଆନ୍ଧ୍ରର କିଛି ଲୋକ ନେରେଡିବାଲସାରେ ଲଗାଯାଇଥିବା ନାମ ଫଳକକୁ ଲିଭାଇ ଦେଇଥିଲେ । ଯାହାକୁ ତ୍ରୀବ୍ର ବିରୋଧ କରିଥିଲେ ଆମ କୋଟିଆ ସଙ୍ଗଠନ, କୋରାପୁଟ ବିକାଶ ପରିଷଦ ସମେତ ବିଭିନ୍ନ ସଙ୍ଗଠନ । ଆଉ ଶେଷରେ କୋରାପୁଟ ପ୍ରଶାସନ ଏଠାରେ ପୁଣି ଓଡ଼ିଆରେ ନାମ ଫଳକ ଲେଖି ଆନ୍ଧ୍ରକୁ ଦେଇଛି କଡ଼ା ଜବାବ ।

Spread the love