ଆଇପିଏଲ ୨୦୨୧: ଏମଏସ ଧୋନୀ ଓ ବିରାଟ କୋହଲିଙ୍କ ମଧ୍ୟରେ ହେବ ରୋଚକ ଲଢେଇ, ଦୁହିଁଙ୍କ ପାଇଁ ବିପଦ ଋଷଭ ପନ୍ତ

ନୂଆଦିଲ୍ଲୀ ୦୩।୧୦: ଆଇପିଏଲ ୨୦୨୧ରେ ତିନୋଟି ଦଳ ପ୍ଲେଅଫ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ଦଳ ଏହି ଦୌଡରୁ ବାହାର ହୋଇ ସାରିଛି। ପ୍ଲେଅଫ୍‌ରେ ଗୋଟିଏ ଜାଗା ପାଇଁ ୪ଟି ଦଳ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ଚାଲିଛି। ଏମଏସକେ ଧୋନୀଙ୍କ ସିଏସକେ, ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଓ ବିରାଟ କୋହଲିଙ୍କ ଆରସିବି ପ୍ଲେଅଫ୍‌ରେ ପ୍ରବେଶ କରି ସାରିଛନ୍ତି। ଏବେ ଏହି ତିନି ଦଳ ମଧ୍ୟରେ ଟପ୍-୨ରେ ସ୍ଥାନ ସୁନିଶ୍ଚିତ କରିବା ପାଇଁ ବଡ ଲଢେଇ ଦେଖିବାକୁ ମିଳିପାରେ। କାରଣ ଶୀର୍ଷ-୨ରେ ରହୁଥିବା ଦଳକୁ ଫାଇନାଲ୍‌ରେ ପହଞ୍ଚିବା ପାଇଁ ଦୁଇଟି ସୁଯୋଗ ମିଳିବ।

ସିଏସକେ ଓ ଦିଲ୍ଲୀ କ୍ୟାପିଟାଲ୍ସ ୧୨-୧୨ ମ୍ୟାଚ୍‌ରେ ୧୮-୧୮ ପଏଣ୍ଟ ହାସଲ କରିଛନ୍ତି। ମାତ୍ର ଉନ୍ନତ ରନ ରେଟ୍ ଆଧାରରେ ସିଏସକେ ଶୀର୍ଷରେ ରହିଛି। ସିଏସକେକୁ ଏବେ ଦିଲ୍ଲୀ ଓ ପଞ୍ଜାବ କିଙ୍ଗ୍ସ ବିରୋଧରେ ମୁକାବିଲା ବାକି ରହିଛି। ତେଣୁ ଦିଲ୍ଲୀ ଏବଂ ସିଏସକେ ମଧ୍ୟରେ ହେବାକୁ ଥିବା ମୁକାବିଲା ପ୍ରାୟତଃ ସ୍ଥିର କରିବ ଯେ, କେଉଁ ଦଳ ଶୀର୍ଷରେ ରହିବ। ଦିଲ୍ଲୀର ଆଉ ଗୋଟିଏ ମ୍ୟାଚ୍ ଆରସିବି ବିରୋଧରେ ରହିଛି। ଏମିତିରେ ବିରାଟ କୋହଲି ପନ୍ତଙ୍କ ଦଳକୁ ମାତ୍ ଦେବାକୁ ଚାହିଁବ।

ଆରସିବି ଦଳ ୧୨ଟି ମ୍ୟାଚ୍‌ରେ ୧୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଦଳର ବାକି ଦୁଇଟି ମ୍ୟାଚ୍ ଦିଲ୍ଲୀ ଓ ହାଇଦ୍ରାବାଦ  ବିରୋଧରେ ରହିଛି। ଯଦି ଆରସିବି ଉଭୟ ମ୍ୟାଚ୍ ଜିତି ଯାଏ ତେବେ ଏହାର ଶୀର୍ଷ ୨ରେ ପହଞ୍ଚିବାର ସମ୍ଭାବନା ରହିଛି। କିନ୍ତୁ ତୃତୀୟ ସ୍ଥାନରେ ଥିବା ଆରସିବିର ରନରେଟ୍ ବହୁତ ଖରାପ ରହିଛି। ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ଏ ପର୍ଯ୍ୟନ୍ତ ଆଇପିଏଲ ଟ୍ରଫି ଜିତି ପାରିନଥିବା ବେଳେ ସିଏସକେ ତିନି ଥର ଚାମ୍ପିଅନ ହୋଇ ସାରିଛି।

Spread the love