ଶରତ ପୂର୍ଣ୍ଣିମାରେ ମହାରାସ ଲୀଳା ରଚିଥିଲେ ଶ୍ରୀକୃଷ୍ଣ: ଏହି ଦିନ ଆକାଶରୁ ହୁଏ ଅମୃତ ବର୍ଷା, ରହିଛି ଖିରି ଭୋଗ ବିଧାନ

ଭୁବନେଶ୍ୱର ୦୩/୧୦ : ହିନ୍ଦୁ ପାଞ୍ଜି ଅନୁସାରେ ପ୍ରତି ବର୍ଷ ଅଶ୍ୱିନ ମାସ ପୂର୍ଣ୍ଣିମାରେ ଶରତ ପୂର୍ଣ୍ଣିମା ପର୍ବ ପାଳନ କରାଯାଏ। ଏହାକୁ ରାସ ପୂର୍ଣ୍ଣିମା ଓ କୋଜାଗରି ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏଥର ଶରତ ପୂର୍ଣ୍ଣିମା ଅକ୍ଟୋବର ୧୯ ତାରିଖରେ ପଡୁଛି।

ହିନ୍ଦୁ ଧର୍ମରେ ଶରତ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ମା’ ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଏ। ଶରତ ପୂର୍ଣ୍ଣିମା ଦିନ ମା’ ଲକ୍ଷ୍ମୀଙ୍କୁ ପୂଜା କଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ ଏବଂ ଜୀବନରେ ସୁଖ ସମୃଦ୍ଧି ଆସେ।

ସନାତନ ଧର୍ମରେ ଅଶ୍ୱିନ ମାସ ଶୁକ୍ଳ ପକ୍ଷକୁ ପୂର୍ଣ୍ଣିମା ତିଥିକୁ ଶରତ ପୂର୍ଣ୍ଣିମା କୁହାଯାଇଆ। ପାଞ୍ଜି ଅନୁସାରେ ଏଥର ଶରତ ପୂର୍ଣ୍ଣିମା ଅକ୍ଟୋବର ୧୯ ତାରିଖ, ମଙ୍ଗଳବାର ଦିନ ସନ୍ଧ୍ୟା ୭ଟା ଆରମ୍ଭ ହୋଇ ଅକ୍ଟୋବର ୨୦ ତାରିଖ ବୁଧବାର ରାତି ୮ଟା ୨୦ ମିନିଟରେ ଶେଷ ହେବ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଦିନ ଆକାଶରୁ ଅମୃତ ବୁନ୍ଦା ବର୍ଷା ହୋଇଥାଏ।

ପୌରାଣିକ ବିଶ୍ୱାସ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ଶରତ ପୂର୍ଣ୍ଣିମା ଦିନ ମହାରାସ ଲୀଳା ରଚିଥିଲେ। ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ରମାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ବିଧାନ ରହିଛି। ଏହି ଦିନ ଚନ୍ଦ୍ରମାଙ୍କୁ ଖିରି ଭୋଗ ଲାଗିହୁଏ ଏବଂ ଏହି ଭୋଗ ଘର ଅଗଣାରେ ଖୋଲା ଆକାଶ ତଳେ ରଖାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଆକାଶରୁ ଅମୃତ ଝରିଥାଏ। ଅମୃତ ବର୍ଷା ଯୋଗୁଁ ଖିରି ମଧ୍ୟ ଅମୃତ ସମାନ ହୋଇଯାଏ। ଏହି ଖିରିକୁ ପ୍ରସାଦ ଭାବେ ଗ୍ରହଣ କରାଯାଏ। ଏହି ତିଥିରେ ଚନ୍ଦ୍ରମା ପୃଥିବୀର ନିକଟତର ହୋଇଥାନ୍ତି।

Spread the love