ଲହୁଲୁହାଣ ଲକ୍ଷ୍ମୀପୁର ଖିରି: ୪ କୃଷକଙ୍କ ସହ ଗାଡିରେ ଥିବା ୪ ଜଣଙ୍କ ମୃତ୍ୟୁ, ଇଣ୍ଟରସେବା ବ୍ୟାନ୍

ଲକ୍ଷ୍ମୀପୁର ଖିରି ୦୩।୧୦: ଲକ୍ଷ୍ମୀପୁର ଖିରିରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତକୁ ନେଇ କୃଷକଙ୍କ ବିରୋଧ ପ୍ରଦର୍ଶନ ସମୟରେ ରବିବାର ଘଟିଥିବା ଦୁର୍ଘଟଣାରେ ଆଠ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇଟି ଏସୟୁଭି ଗାଡି ପ୍ରଦର୍ଶନକାରୀ କୃଷକଙ୍କ ଉପରେ ଚଢି ଯିବାରୁ ଉତ୍ତେଜନାକାରୀ କୃଷକ ଦୁଇ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। କୁହାଯାଉଛି ଉଭୟ ପକ୍ଷରୁ ଚାରି ଚାରି ଜଣଙ୍କ ମୃତ୍ୟୁ ଘଟିଛି। ଗାଡି ଚଢିଯିବାରୁ ଚାରି କୃଷକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡିରେ ଥିବା ଚାରି ଜଣଙ୍କୁ ପ୍ରଦର୍ଶନକାରୀ ପିଟି ପିଟି ମାରି ଦେଇଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ମୀପୁର ଖିରିରେ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ଆଦେଶ ଦେଇଛନ୍ତି।

ଲକ୍ଷ୍ମୀପୁର-ଖିରିର ତିକୋନିଆ-ବନବୀରପୁର ରାସ୍ତାରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତ ବିରୋଧରେ କୃଷକ ସଂଗଠନ ବିରୋଧ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଦୁଇଟି ଏସୟୁଭି କୃଷକଙ୍କ ଉପରେ ଚଢି ଯାଇଥିଲା। ଏହା ପରେ ଉତ୍ତେଜିତ ପ୍ରଦର୍ଶନକାରୀ ଦୁଇ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। କୃଷକଙ୍କ ମାଡରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଗାଡିରେ ଥିବା ମନ୍ତ୍ରୀଙ୍କ ପୁଅ କୌଣସି ପ୍ରକାରେ ଗାଡିରୁ ଖସି ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି।

ଲକ୍ଷ୍ନୌରୁ କମିଶନର ଏବଂ ଆଇଜି ରେଞ୍ଜ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି। କୃଷକ ନେତା ରାକେଶ ଟିକାୟତ ଦିଲ୍ଲୀରୁ ଆସୁଥିବା ଖବର ପରେ କୃଷକମାନେ ଇଣ୍ଟର କଲେଜରେ ମୃତକ କୃଷକଙ୍କ ଶବ ରଖି ଧାରଣା ଦେବା ଆରମ୍ଭ କରି ଦେଇଛନ୍ତି। ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏବେ ସବୁ ବିରାେଧୀ ଦଳଙ୍କ ଟାର୍ଗେଟ୍‌ରେ ବିଜେପି। ଉତ୍ତର ପ୍ରଦେଶ ସରକାର ଏହି ଘଟଣାରେ ବ୍ୟାକଫୁଟ୍‌ରେ ରହିଛନ୍ତି।

Spread the love